ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ଅଭିନବ ପ୍ରତିବାଦ: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ଅଭିନବ ପ୍ରତିବାଦ

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ କର୍ମୀ ଝାଞ୍ଜ, ଘଣ୍ଟ, ଥାଳି ବାଡ଼େଇ ପ୍ରତିବାଦ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିବା ସହିତ ବିଜେପି ଓ ବିଜେଡି କାହିଁକି ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତେଣୁ ସରକାର ତୁରନ୍ତ ପଦକ୍ଷେପ ନେଇ ବର୍ଦ୍ଧିତ ତୈଳ ଦର ସାଙ୍ଗକୁ ରନ୍ଧନ ଗ୍ୟାସ୍‌ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବାକୁ ଦାବି କରାଯାଇଛି।

ତୈଳ ଦର ବୃଦ୍ଧି ଓ ମହଙ୍ଗାମାଡ଼ ବିରୋଧରେ ଆଜିଠାରୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ। ରାଜ୍ୟବ୍ୟାପୀ ବିଭିନ୍ନ ବ୍ଲକ୍ ଓ ସଦର ମହକୁମାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଆଜି ଭୁବନେଶ୍ବର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ପ୍ରଦେଶ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ସେବାଦଳର କର୍ମୀମାନେ ଏଥିରେ ସାମିଲ ହୋଇଥିଲେ।
ଦଳ ପକ୍ଷରୁ କୁହାଯାଇଛି କ‌ରୋନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ, ଡିଜେଲରେ ଟିକସ ଓ ଭ୍ୟାଟ୍‌ ବଢ଼ାଇ ସାଧାରଣ ଜନତାଙ୍କୁ ଲୁଟୁଛନ୍ତି। ରନ୍ଧନ ଗ୍ୟାସ୍‌ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି କରି ସିଧା ହାଣ୍ଡିଶାଳରେ ଚୋଟ ମାରିଛନ୍ତି। ଏହାସହ କରୋନା ପରିଚାଳନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି। କରୋନା ସଚେତନତା ନେଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସରକାର ଏହାକୁ କର୍ଣ୍ଣପାତ କରି ନାହାନ୍ତି। ତେଣୁ ସାଧାରଣ ଜନତାଙ୍କ ସମସ୍ୟାକୁ ନେଇ କଂ‌ଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି ବୋଲି କଂଗ୍ରେସ ନେତୃବୃନ୍ଦ ମତ ଦେଇଛନ୍ତି।

ଆଜିର ପ୍ରତିବାଦ ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କମିଟି ସଭାପତି ବିଶ୍ୱଜିତ ଦାସ, ଛାତ୍ର କଂଗ୍ରେସ ସଭାପତି ୟସିର୍ ନୱାଜ୍, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ରଶ୍ମି ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ (କନିଷ୍ଠ), ମାନସ ଆଚାର୍ଯ୍ୟ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଆଶିଷ ମଲ୍ଲିକ, ମନୋଜ ନାୟକ, ଆଲୋକ ମହାନ୍ତି, ମିହିର ଆଚାର୍ଯ୍ୟ ପ୍ରମୁଖ ଶତାଧିକ ନେତା ଓ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର