ମନ୍ଦିର ଖୋଲିବା ଦାବିରେ ଅଭିନବ ବିକ୍ଷୋଭ, ଘଣ୍ଟ ପିଟିଲେ ସେବାୟତ

ବାଲିଅନ୍ତା: କରୋନା ମହାମାରୀ ପାଇଁ ମାସ ମାସ ଧରି ବନ୍ଦ ରହିଥିବା ମନ୍ଦିର ଖୋଲିବାକୁ ଦାବି କରି ଆଜି ବାଲିଅନ୍ତା ବ୍ଲକର ବିଭିନ୍ନ ମଠ ମନ୍ଦିରରେ ସେବାୟତମାନେ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମନ୍ଦିର ସମ୍ମୁଖରେ ସେବାୟତମାନେ ଘଣ୍ଟ ପିଟି ଓ ଘଣ୍ଟି ବଜାଇ ଦାବି ଜଣାଇଛନ୍ତି। ସେବାୟତମାନଙ୍କ ସହ ବହୁ ସ୍ଥାନୀୟ ଲୋକେ ମଧ୍ୟ ଏଭଳି ବିକ୍ଷୋଭରେ ସାମିଲ୍ ହୋଇ ଘଣ୍ଟ ପିଟି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି।

ଅଭିଯୋଗ ଅନୁସାରେ ମନ୍ଦିର ସବୁ ବନ୍ଦ ରହିବା ଫଳରେ ପୂଜକ, ମାଳି, ପଣ୍ଡା ଓ ଅନ୍ୟାନ୍ୟ ସେବାୟତମାନଙ୍କ ପରିବାର ଘୋର ଆର୍ଥିକ ସଂକଟରେ ପଡ଼ିଛନ୍ତି। ମାତ୍ର ସରକାରୀସ୍ତରରେ ସେମାନଙ୍କୁ କୌଣସି ସହାୟତା ଦିଆଯାଉନାହିଁ। ଏବେ ସବୁ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲି ସାରିଥିବାରୁ ମନ୍ଦିର ଖୋଲିଲେ କିଛି ସମସ୍ୟା ନାହିଁ। କରୋନା କଟକଣା ଭିତରେ ମନ୍ଦିରକୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଆସିବାରେ କିଛି ଅସୁବିଧା ନାହିଁ। ମାତ୍ର ସରକାର ଏ ଦିଗରେ ମୋଟେ ବିଚାରଶୀଳ ହେଉନାହାନ୍ତି। ତେଣୁ ସେବାୟତମାନେ ଏଭଳି ଢ଼ଙ୍ଗରେ ପ୍ରତିବାଦ କରି ସରକାରଙ୍କୁ ଦାବି ଜଣାଇଛନ୍ତି। ଆଜି ସ୍ଥାନୀୟ ହୀରାପୁରସ୍ଥିତ ଚଉଷଠୀ ଯୋଗିନୀପୀଠ‌ ସମ୍ମୁଖରେ ସେବାୟତମାନେ ଘଣ୍ଟ ପିଟି ଓ ଘଣ୍ଟି ବଜାଇ ପ୍ରତିବାଦ ଜଣାଇଥିଲେ। ମୁଖ୍ୟ ସେବାୟତ ରଘୁନାଥ ମହାପାତ୍ରଙ୍କ ନେତୃତ୍ବରେ ଜଗବନ୍ଧୁ ମହାପାତ୍ର, ଶ୍ରୀଧର ପାଢ଼ୀ, ସନ୍ତୋଷ ପାଢ଼ୀ ଓ ଭୀମସେନ ପାଢ଼ୀ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ୍‌ ହୋଇଥିଲେ। ସେହିପରି ଗୋତଳବିନ୍ଧାସ୍ଥିତ ସୀତା ରାମେଶ୍ବର ମନ୍ଦିରରେ ଭଗବାନ ମହାପାତ୍ରଙ୍କ ନେତୃତ୍ବରେ ସେବାୟତବର୍ଗ ଘଣ୍ଟ ଘଣ୍ଟି ବଜାଇଥିଲେ। ମା’ ଟଙ୍କପାଣି ମନ୍ଦିରରେ ମଧ୍ୟ ସେବାୟତମାନେ ଘଣ୍ଟ ବଜାଇଥିଲେ।

ସମ୍ବନ୍ଧିତ ଖବର