ଭୁବନେଶ୍ବର: ରସୁଲଗଡ଼-ବମିଖାଲ ମୁଖ୍ୟ ରାସ୍ତା ଏସ୍ପ୍ଲାନେଡ୍ ଛକରେ ଟ୍ରାଫିକ୍ ସମସ୍ୟାର ସମାଧାନ ନେଇ କମିସନରେଟ୍ ପୁଲିସ ତତ୍ପରତା ଦେଖାଇଛି। ଘଟଣାକୁ ଗୁରୁତ୍ବ ଦେଇ ଟ୍ରାଫିକ୍ ଡିସିପି ଓ ଏସିପି ଘଟଣାସ୍ଥଳ ଅନୁଧ୍ୟାନ କରି ସ୍ଥାୟୀ ସମାଧାନ ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ତେବେ ରସୁଲଗଡ଼-ବମିଖାଲ ରାସ୍ତା ରସୁଲଗଡ଼ ଛକ ନିକଟ ଏବଂ ଏସ୍ପ୍ଲାନେଡ୍ ଛକ କଟ୍ରେ ବ୍ୟାରିକେଡ୍ ରଖାଯାଇ ଯାତାୟାତ ବନ୍ଦ କରାଯାଇଛି। ଫଳରେ ପୂର୍ବାପେକ୍ଷା ଟ୍ରାଫିକ୍ ଜାମ୍ ଅନେକ ମାତ୍ରାରେ କମ୍ ହୋଇଥିବା ଦେଖିବାକୁ ମିଳିଛି।
ରସୁଲଗଡ଼ ଛକଠାରୁ ଏସ୍ପ୍ଲାନେଡ୍ ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ଏହାର ସମାଧାନ ନେଇ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା ସୂଚନା ଦେଇ କହିଛନ୍ତି ଦୁଇଟି ଖୋଲା ଥିବା ସ୍ଥାନରେ ଗାଡ଼ି ଚାଳକ ମନଇଚ୍ଛା ଗାଡ଼ି ଚାଳନା କରୁଥିଲେ। ରଙ୍ଗ୍ ରୁଟ୍ ଡ୍ରାଇଭ୍ ପାଇଁ ଅଧିକ ଭିଡ଼ ହେଉଥିଲା। ତେଣୁ ଦୁଇଟି ସ୍ଥାନରେ ବ୍ୟାରିକେଡ୍ କରାଯାଇଛି। ଏବେ ରସୁଲଗଡ଼ଠାରୁ ବମିଖାଲ ପର୍ଯ୍ୟନ୍ତ କୌଣସି କଟ୍ ରଖାଯାଇନାହିଁ। ତେଣୁ ରସୁଲଗଡ଼ରୁ ଏସ୍ପ୍ଲାନେଡ୍ ଯିବାକୁ ଚାହୁଥିଲେ ବମିଖାଲ ଦେଇ ଆସିବାକୁ ପଡ଼ିବ। ସେହିପରି ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ରୁ ବମିଖାଲ ପଟକୁ ଯିବାକୁ ଚାହୁଥିଲେ ରସୁଲଗଡ଼ ଗୋଲେଇ ଛକ ଦେଇ ଯିବାକୁ ହେବ।
ଏଥିପାଇଁ ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଉଛି। ଟ୍ରାଏଲ୍ ରନ୍ରେ ବ୍ୟାରିକେଡ୍ ଦିଆଯାଇ ପରୀକ୍ଷଣ କରାଯାଉଛି। ଯଦି ସବୁ କିଛି ସୁରୁଖୁରୁରେ ଚାଲେ ତେବେ କଟ୍ରେ ସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ପୁଲିସର ତନାଘନା ପରେ ମୁଖ୍ୟରାସ୍ତାରେ ରାସ୍ତାକୁ ଜବରଦଖଲ କରିଥିବା କିଛି ଉଠା ଦୋକାନୀ ଉଠିଯାଇଥିବା ଦେଖିବାକୁ ମିଳିଛି। କିନ୍ତୁ ଏବେବି ବଡ଼ ବଡ଼ ବ୍ୟବସାୟୀମାନେ ରାସ୍ତାକୁ ଜବରଦଖଲ କରି ରଖିଛନ୍ତି। ଶିଳ୍ପାଞ୍ଚଳ ରାସ୍ତାରେ ଦୁଇ କଡ଼ରେ ଆଜି ବି ବେଆଇନ ଭାବେ ଗାଡ଼ି ପାର୍କିଂ କରାଯାଇଥିଲା। ଏନେଇ ପୁଲିସ ଅଣ୍ଟା ଭିଡ଼ିଥିବା ବେଳେ ବିଏମ୍ସି କିନ୍ତୁ ଚୁପ୍ ବସିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।