ଆଇଏନ୍‌ଏସ୍‌ ଚିଲିକାର ନୂତନ ଅଧିକାରୀ ଭାବେ କମୋଡର ଋତୁରାଜଙ୍କ ଯୋଗଦାନ

ବାଲୁଗାଁ: ଭାରତୀୟ ନୌସେନା ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ କେନ୍ଦ୍ର୍ର ଆଇଏନଏସ ଚିଲିକାର ନୂତନ ଅଧିକାରୀ ତଥା ଓଡ଼ିଶା ନୌସେନା ଅଧିକାରୀ ଭାବେ କମୋଡର ଋତୁରାଜ ସାହୁ ସୋମବାର ଯୋଗ ଦେଇଛନ୍ତି। କମୋଡ଼ର ଋତୁରାଜ ସାହୁ ଆଇଏନଏସ ଚିଲିକାରେ ପୂର୍ବରୁ କାର୍ଯ୍ୟରତ କମୋଡର ମନୀଷ ମିଶ୍ରଙ୍କ ଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏକ ଆକର୍ଷଣୀୟ ସାମରିକ ପରେଡ୍‌ରେ କମୋଡର ମନୀଷ ମିଶ୍ରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଇଏନଏସ ଚିଲିକାର ସମସ୍ତ ଅଧିକାରୀଗଣ ଓ କର୍ମକର୍ତ୍ତାମାନେ କମୋଡର ଶ୍ରୀ ମିଶ୍ରଙ୍କୁ ତାଙ୍କ ତିନି ବର୍ଷ କାର୍ଯ୍ୟକାଳର ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ନୂତନ ଅଧିକାରୀ କମୋଡ଼ର ଋତୁରାଜ ସାହୁ ୧୯୯୦ ମସିହାରେ ଭାରତୀୟ ନୈାସେନାରେ କମିଶନର ଭାବେ ନିଯୁକ୍ତି ପାଇଥିବା ବେଳେ ନୌଯାତ୍ରା ଓ ଦିଗ ବିଭାଗର ଜଣେ ପ୍ରମୁଖ ଅଧିକାରୀ ଅଟନ୍ତି। ସେ ଜାତୀୟ ସାମରିକ ଏକାଡେମିରେ ସ୍ନାତକ ହାସଲ କରିବା ସହ ସାମରିକ କଲେଜ ୱେଲିଂଟନରୁ ଷ୍ଟାଫ୍ ଶିକ୍ଷା ଓ ଏମ୍.ଫିଲ୍ ଏବଂ ସିକନ୍ଦରାବାଦରୁ ଷ୍ଟ୍ରାଟେଜିକ୍, ବାୟୁ ଯୁଦ୍ଧ ଆଦିରେ ପାରଦର୍ଶିତା ହାସଲ କରିଛନ୍ତି। କମୋଡର ଶ୍ରୀ ସାହୁ ତାଙ୍କର ୨୯ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ନୌଜାହାଜ କୁଡ଼ାଲର, କାରବାର, ଫ୍ରିଗେଟ୍, ଜାହାଜ ତରକଶ ଆଦିର କମାନ ଅଧିକାରୀ ଭାବେ କାର୍ଯ୍ୟକରି ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି।

ସମ୍ବନ୍ଧିତ ଖବର