ଅସୁରକ୍ଷିତ ମିତ୍ରୋ ଆପ୍: ସଂକଟରେ ୫୦ ଲକ୍ଷ ବ୍ୟବହାରକାରୀଙ୍କ ତଥ୍ୟ

ପ୍ଲେ ଷ୍ଟୋର୍‌ରୁ ହଟାଇଲା ଗୁଗୁଲ, ମୂଳ ଉତ୍ପତ୍ତି ପାକିସ୍ତାନ

ଭୁବନେଶ୍ବର: ମିତ୍ରୋ ଆପ୍‌ ବ୍ୟବହାର କରୁଥିବା ଭାରତର ୫୦ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଏବେ ସଂକଟରେ। ଏହି ଆପ୍‌ ସୁରକ୍ଷିତ ନୁହେଁ ବୋଲି ବିଶେଷଜ୍ଞମାନେ କହି ଆସୁଥିବା ବେଳେ ଆଜି ଗୁଗୁଲ ଏହାକୁ ପ୍ଲେ’ ଷ୍ଟୋର୍‌ରୁ ବାଦ୍‌ ଦେଇଛି। ଚାଇନା ନିର୍ମିତ ‘ଟିକଟକ୍’ ଭଳି ଅବିକଳ ବୈଶିଷ୍ଟ୍ୟ ଥିବା ଏହି ଆପ୍‌ ଭାରତରେ ଖୁବ୍‌ କମ୍‌ ଦିନରେ ଲୋକପ୍ରିୟ ହୋଇଛି। କିନ୍ତୁ ଏହି ଆପ୍‌ର ମୂଳ ଉତ୍ପତ୍ତି ପାକିସ୍ତାନ ହୋଇଥିବାରୁ ଏବେ ଏପରି ଆଶଙ୍କା ସୃଷ୍ଟି ହୋଇଛି। ଆପ୍‌ର ସୁରକ୍ଷା କୋଡ୍ ଠିକ୍‌ ନ ଥିବାରୁ ହ୍ୟାକର୍‌ ବିଶ୍ବର ଯେକୌଣସି ଜାଗାରେ ବସି ବ୍ୟବହାରୀକାରୀଙ୍କ ତଥ୍ୟ ହ୍ୟାକ୍ କରିପାରିବ। ତେଣୁ ଏହା ଭବିଷ୍ୟତରେ ବଡ଼ଧରଣର ବିପଦକୁ ଟାଣି ଆଣିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅପରପକ୍ଷେ ଗୁଗୁଲ୍‌ ପକ୍ଷରୁ ସଫେଇ ଦିଆଯାଇଛି ଯେ ଏହି ଆପ୍ ସର୍ବନିମ୍ନ କାର୍ଯ୍ୟକାରୀ ପଲିସି ପୂରଣ କରୁ ନ ଥିବାରୁ ଏହାକୁ ପ୍ଲେ’ ଷ୍ଟୋରରୁ ହଟାଇ ଦିଆଯାଇଛି। କିନ୍ତୁ ଯେଉଁମାନେ ଏହି ଆପ୍‌କୁ ଡାଉନଲୋଡ୍ କରି ବ୍ୟବହାର କରୁଛନ୍ତି ସେମାନଙ୍କ ତଥ୍ୟ କେତେ ସୁରକ୍ଷିତ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଭାରତରେ ଚାଇନା ସାମଗ୍ରୀ ବର୍ଜନ ପାଇଁ ସ୍ବର ଉତ୍ତୋଳନ ହେବା ପରେ ଅଧିକାଂଶ ଲୋକ ନିଜ ଫୋନ୍‌ରୁ ଟିକ୍‌ଟକ୍ ଆପ୍‌କୁ ଅନ୍‌-ଇନଷ୍ଟଲ୍ କରିଥିଲେ। ଏହି ସମୟରେ ଗୁଗୁଲ ପ୍ଲେ’ ଷ୍ଟୋର୍‌ରେ ମିତ୍ରୋ ଆପ୍ ଦେଖିବାକୁ ମିଳିଥିଲା। ଧୀରେ ଧୀରେ ଯୁବପିଢ଼ି ଏହାକୁ ଡାଉନଲୋଡ୍ କରିବା ଆରମ୍ଭ କରିଥିଲେ। କିନ୍ତୁ ଏହି ଆପର ଉତ୍ପତ୍ତି ପାକିସ୍ତାନର ବୋଲି ଜଣାପଡ଼ିଛି। ପାକିସ୍ତାନର ସାଇବର ସଂସ୍ଥା ‘କ୍ୟୁବସ୍’ ଏହି ଆପ୍‌କୁ ତିଆରି କରିଥିଲା। ଏହାର ମୂଳ ନାଁ ଥିଲା ‘ଟିକଟିକ୍’(tictic)। ଏହି ଆପ୍‌କୁ ଭାରତୀୟ ଆଇଟି ଛାତ୍ର ପ୍ରାୟ ୨୬୦୦ ଟଙ୍କାରେ କିଣିଥିଲେ। କିନ୍ତୁ ଅସୁବିଧା ହେଲା, ସେମାନେ ଏହାର ମୂଳ କୋଡ୍‌କୁ ନ ବଦଳାଇ କେବଳ ଆପ୍‌ର ନାଁ ପରିବର୍ତ୍ତନ କରି ମିତ୍ରୋ ଆପ୍ କରି ଦେଇଥିଲେ। ଏହା ପରେ ଏହାକୁ ଗୁଗୁଲ ପ୍ଲେ’ ଷ୍ଟୋରରେ ଲୋଡ୍ କରି ଦେଇଥିଲେ। ଯେହେତୁ ଏହାର ନାଁ ମିତ୍ରୋ ଥିଲା, ଏହା ଭାରତ ନିର୍ମିତ ଆପ୍ ବୋଲି ଭାବି ଲକ୍ଷ ଲକ୍ଷ ଲୋକ ଡାଉନଲୋଡ୍ କରି ଦେଇଥିଲେ। ଏହାର ସୁରକ୍ଷା ସମ୍ପର୍କରେ ସାଧାରଣ ବ୍ୟବହାରକାରୀ ଜାଣିପାରି ନ ଥିଲେ। କିନ୍ତୁ ମୂଳ କୋଡ୍‌କୁ ବଦଳା ଯାଇ ନଥିବାରୁ ଏହା ସହଜରେ ହ୍ୟାକ୍ ହୋଇପାରିବ ବୋଲି କହିଛନ୍ତି ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ।

ଶ୍ରୀ ସାହୁଙ୍କ କହିବା ଅନୁସାରେ, ପ୍ରତ୍ୟେକ ବ୍ୟବହାରକାରୀଙ୍କ ଏକ ୟୁଜର୍ ନେମ୍ ଓ ଆଇଡି ରହିଥିବ। ଯେହେତୁ ଏହି ଆପ୍‌କୁ କିଣିବା ପରେ ଏହାର ମୂଳ କୋଡ୍‌ ବଦଳା ଯାଇନାହିଁ, ହ୍ୟାକରମାନେ ସହଜରେ ବ୍ୟବହାରକାରୀଙ୍କ ଆଇଡି ଭିତରକୁ ଯାଇପାରିବେ। ଆଇଡି ହ୍ୟାକ୍ କରିବା ପରେ ଏଡିଟ୍ ପ୍ରୋଫାଇଲକୁ ଯିବେ। ଏଡିଟ୍‌ ପ୍ରୋଫାଇଲ ସମୟରେ ଦିଆଯାଇଥିବା ସମସ୍ତ ତଥ୍ୟ ହ୍ୟାକର୍‌ ପାଇପାରିବେ। ଯେପରିକି ମୋବାଇଲ୍ ନମ୍ବର, ଇ-ମେଲ୍ ଆଇଡି, ଘରର ସମ୍ପୂର୍ଣ୍ଣ ଠିକଣା ଏ ସବୁ ତଥ୍ୟ ହ୍ୟାକରଙ୍କ ହାତରେ ଲାଗିଯିବ। ଏହା ପରେ ହ୍ୟାକର୍‌ ଏସବୁ ତଥ୍ୟ ବିଭିନ୍ନ ସଂସ୍ଥାକୁ ବିକ୍ରି କରି ଟଙ୍କା ରୋଜଗାର କରିବେ। ଆପକୁ ପାକିସ୍ତାନ ସାଇବର ସଂସ୍ଥାଠାରୁ କିଣିବା କିଛି ଭୁଲ୍ ନୁହେଁ। କିନ୍ତୁ ଯେଉଁମାନେ କିଣିଛନ୍ତି, ସେମାନେ ଏହି ଆପକୁ ସୁରକ୍ଷିତ ରଖିବା ପାଇଁ ଏକ ଭଲ ଟିମ୍ କରିବା ନିହାତି ଜରୁରି। ଏହାର ନିୟମିତ ରକ୍ଷଣାବେକ୍ଷଣ କରିବା ଆବଶ୍ୟକ। ଫଳରେ ଆପ୍ ବ୍ୟବହାରକାରୀଙ୍କର ଆହୁରି ବିଶ୍ବସ୍ତ ହୋଇପାରିବ ଏବଂ ସୁରକ୍ଷିତ ରହିପାରିବ।

ସମ୍ବନ୍ଧିତ ଖବର