ଉଇ କେୟାର ୭ମ ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବ: ‘ଇନ୍‌ସାଇଡ୍‌ ମି’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ବର: ଆଇନା ଓ ବ୍ରଦରହୁଡ୍‌ ସଂସ୍ଥାର ମିଳିତ ସହଯୋଗରେ ଆଜି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟର୍ସଠାରେ ଉଇ କେୟାରର ୭ମ ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ ମିନିଟ ବର୍ଗରେ ରିତ୍ୱିକ ଦାସଙ୍କ ଚଳଚ୍ଚିତ୍ର ‘ଇନ୍‌ସାଇଡ୍‌ ମି’ ଏବଂ ଏକ ମିନିଟ ବର୍ଗରେ ଅଭିଷେକ ସ୍ବାଇଁଙ୍କ ‘ବ୍ଲାଇଣ୍ଡ୍’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଶରତ ପୂଜାରୀ ସ୍ମୃତି ପୁରସ୍କାର’ରେ ପୁରସ୍କୃତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମୁଖ୍ୟବକ୍ତା ଭାବେ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଭିନ୍ନକ୍ଷମ ଫିଲ୍ମ ‘ଟୁ ଡିଜାଇର୍ସ’ର ଅଭିନେତା ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ‘ଆଇନା’ର ସମ୍ପାଦିକା ସ୍ନେହା ମିଶ୍ର ସ୍ବାଗତ ଭାଷଣ ଦେବା ସହ ଗତ ୭ବର୍ଷର ସଂଘର୍ଷ ଭିତରେ ଉଇ କେୟାରର ଯାତ୍ରା ସମ୍ପର୍କରେ ବିବରଣୀ ପାଠ କରିଥିଲେ। ବ୍ରଦରହୁଡ୍‌ ସଂସ୍ଥାର ଅଧ୍ୟକ୍ଷ ସତୀଶ କପୁର ଏଥିରେ ଉପସ୍ଥିତ ଥିଲେ। ଏହି ଅବସରରେ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଓଡ଼ିଶା ଉଇ କେୟାର ଫିଲ୍ମ ଉତ୍ସବର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ଅନ୍ୟପକ୍ଷେ ଦିବ୍ୟାଙ୍ଗ ହୋଇ ସୁଦ୍ଧା ପ୍ରଚଣ୍ଡ ଆତ୍ମବିଶ୍ୱାସର ସହ ନିଜ ଜୀବନକୁ ଗଢ଼ିଥିବା କେନ୍ଦ୍ରାପଡ଼ାର ଅଙ୍ଗନୱା‌ଡ଼ି କର୍ମୀ ଉର୍ବଶୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୁରସ୍କୃତ ହୋଇଥିବା ଅନ୍ୟ ଚଳଚ୍ଚିତ୍ରଗୁଡ଼ିକ ହେଲା, ୧ ମିନିଟ ବର୍ଗରେ ଦ୍ୱିତୀୟ ସ୍ଥାନ ଲାଭ କରିଛି ୟଶୋ ବର୍ମନ ପଣ୍ଡାଙ୍କ ‘ଏକ୍ ହାତ୍ ବଢ଼ାଓ’ ଓ ବୀରେନ୍ଦ୍ର ବଳିଆରସିଂହଙ୍କ ‘ଦ ଡାର୍କ ସାଇଡ୍‌’ ସ୍ବତନ୍ତ୍ର ଜୁରି ପୁରସ୍କାର ଲାଭ କରିଛି। ସେହିପରି ୫ ମିନିଟ ବର୍ଗରେ ସେଖ୍ ଆକ୍ରାମଙ୍କ ‘ଏକ୍ କୋସିସ୍’ ଦ୍ବିତୀୟ ସ୍ଥାନ, ଆଶୁତୋଷ ପଟ୍ଟନାୟକଙ୍କ ‘ସଂଯୋଗ’ ୩ୟ ସ୍ଥାନ ଏବଂ ଅବିନାଶ କୁମାର ପ୍ରଧାନଙ୍କ ‘ଶକୁନ୍ତଳା’କୁ ସ୍ବତନ୍ତ୍ର ଜୁରି ସମ୍ମାନରେ ସମ୍ମାନିତ କରାଯାଇଛି। ଉଦ୍‌ଯାପନୀ ସଂଧ୍ୟାରେ ସନ୍ଧ୍ୟାରେ ଅତିଥି ଭାବେ ପ୍ରିୟା ସିକେରିଆ ମହାପାତ୍ର ଓ ଅଭିନେତା ଅଶ୍ରୁମୋଚନ ମହାନ୍ତି ଅତିଥି ଭାବେ ଉପସ୍ଥିତ ଥିଲେ। ଆଇନାର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଲ୍ଲୀପ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର