ଉତ୍କଳକୁ କେନ୍ଦ୍ରୀୟ ମାନ୍ୟତା ଦାବି ଜୋର ଧରିଲା: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିକ୍ଷକ

ସୋସିଆଲ୍‌ ମିଡିଆରେ ବଢ଼ିଲାଣି ଟ୍ରେଣ୍ଡ, ରାଜ୍ୟ ସରକାରଙ୍କ ସହମତି ‌ନେଇ ପ୍ରଶ୍ନ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ନୂଆ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ବୈଷୟିକ ଶିକ୍ଷାର ପ୍ରସାର, ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି। ଏବେ ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ବାଟ ଫିଟିବ ବୋଲି ମଧ୍ୟ ଆଶା ପ୍ରକ‌ାଶ ପାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ଫଳପ୍ରଦ ହୋଇପାରିବ ବୋଲି ଶିକ୍ଷାବିତ୍‌ମାନେ ମତ ପ୍ରକାଶ କରିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ଅଧିକ ଉତ୍ସାହିତ ହୋଇପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ନେବା କ୍ଷଣି ଶ୍ରୀ ପ୍ରଧାନଙ୍କୁ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ପତ୍ର ଲେଖାଯାଇଛି। ପୁରାତନ ଛାତ୍ର ଭାବେ ଶୁଭେଚ୍ଛା ଜଣାଯିବା ସହ ଉତ୍କଳକୁ କେନ୍ଦ୍ରୀୟ ମାନ୍ୟତା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

ଶିକ୍ଷକ ସଂଘ ସଭାପତି ପ୍ରଫେସର ମହେଶ୍ବର ସାହୁ ଓ ସମ୍ପାଦକ ପ୍ରଫେସର କୁଞ୍ଜବିହାରୀ ପଣ୍ଡା ଚିଠିରେ ଲେଖିଛନ୍ତି ଯେ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ, କର୍ମଚାରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ସମସ୍ତ ଅଂଶୀଦାରମା‌ନେ ଆପଣଙ୍କୁ ଶୁଭେଚ୍ଛା ଜଣାଉଛୁ। ଭାରତୀୟ ରାଜନୀତିରେ ଆପଣଙ୍କ ଏଭଳି ସଫଳତା ପାଇଁ ଆମ୍ଭେମାନେ ଗର୍ବିତ। ଆପଣଙ୍କ ନେତୃତ୍ବରେ ଶିକ୍ଷା ମନ୍ତ୍ରାଳୟ ଦ୍ବାରା ଜାତୀୟ ଶିକ୍ଷାନୀତି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ। ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ନେଇ ଯେଉଁ ଆଶା ରହିଛି, ତାହା ମଧ୍ୟ ଆପଣଙ୍କ ନେତୃତ୍ବରେ ବାସ୍ତବ ରୂପ ନେଇପାରିବ।

ଏ ନେଇ ସାମାଜିକ ଗଣମାଧ୍ୟମରେ ଏକ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି। ଛାତ୍ର ଜୀବନର ଦୁଇ ବନ୍ଧୁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟର ଶିକ୍ଷା ମନ୍ତ୍ରୀ ରହିଥିବାରୁ ଉତ୍କଳକୁ କେନ୍ଦ୍ରୀୟ ମାନ୍ୟତା ବାସ୍ତବ ‌ରୂପ ନେଇପାରିବ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି। ବିଶ୍ବବିଦ୍ୟାଳୟ ଆଲୁମିନି ମଧ୍ୟ ଫେସ୍‌ବୁକ୍‌ ଓ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ଦୁଇ ଶିକ୍ଷାମନ୍ତ୍ରୀଙ୍କ ନେତୃତ୍ବରେ କ୍ୟାମ୍ପସର ବିକାଶ ନେଇ ଆଶା ରଖିଛି। ପୂର୍ବତନ କୁଳପତିମାନେ ମଧ୍ୟ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ବରେ ଉତ୍କଳର ବିକାଶ ହେବ ବୋଲି ଆଶା ରଖିଛନ୍ତି। ଦୁଇ ଦିନ ହେଲା ଉତ୍କଳକୁ କେନ୍ଦ୍ରୀୟ ମାନ୍ୟତା ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିରବତା ଉତ୍କଳକୁ କେନ୍ଦ୍ରୀୟ ମାନ୍ୟତା କେତେ ଫଳପ୍ରଦ ହେବ, ସେନେଇ ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯଦି ବି ପ୍ରୟାସ କରନ୍ତି, ତାହା ହେଲେ ରାଜ୍ୟ ସରକାର କିଭଳି ସହଯୋଗ କରିବେ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ‌କରିଛି। ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ଯୁକ୍ତି ହେଲା ଯେ ଉତ୍କଳ ବିଶ୍ବବିଦ୍ୟାଳୟ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ। ନାକ୍‌ ‘ଏ+’ ମାନ୍ୟତା ପାଇଛି। ଦେଶର ହାତଗଣତି କିଛି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ହାସଲ କରିଛି। ଯଦି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କଥା ଉଠୁଛି ତେବେ ଓଡ଼ିଶାରେ ଆଉ ଏକ ‌କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାରେ କୌଣସି ଆପତ୍ତି ନାହିଁ। ସେଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ। ଓଡ଼ିଶାର କେନ୍ଦ୍ରସ୍ଥଳୀରେ ନୂତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ହେଉ। କାରଣ ବିହାର, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରେ ଏକାଧିକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଛି।

ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୨୭ରେ ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତତ୍କାଳୀନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କ ନିକଟକୁ ପତ୍ର ଲେଖିଥିଲେ। ସମୟ ସ୍ରୋତରେ ଏବେ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବ ଗ୍ରହଣ କରିବା ପରେ ଏହି ଦାବି ଜୋର ଧରିଛି।

ସମ୍ବନ୍ଧିତ ଖବର