୮ ମଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ

ଭୁବନେଶ୍ବର: ଅଗ୍ନିଶମ ସେବା ଓ ହୋମଗାର୍ଡ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜଧାନୀର ପ୍ରାୟ ୮ଟି ମଲ୍‌ରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ସକାଳ ପ୍ରାୟ ୧୦ଟା ବେଳେ ରସୁଲଗଡ଼ସ୍ଥିତ ଏସପ୍ଲାନେଡ୍ ମଲରେ କର୍ମଚାରୀମାନେ ଅଗ୍ନିଶମ ନିରାପତ୍ତା ଯାଞ୍ଚ କରିଥିଲେ। ଏହା ସହ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ଲାଗିଥିବା ଯନ୍ତ୍ରପାତି ଠିକ୍‌ ଭାବେ କାମ କରୁଛି କି ନାହିଁ ଯାଞ୍ଚ କରିଥିଲେ। ଅଗ୍ନିଶମ ଟିମ୍ ବିଶାଲ, ବଜାର କୋଲକାତା, ଭବାନୀ ମଲ୍, ସିମ୍ଫୋନି ମଲ୍, ଗ୍ୟାଲେରିଆ, ଅମ୍ବର ଓ ଶେଷରେ ଡିଏନ୍ ରେଗାଲିଆ ମଲ୍‌ରେ ସମାନ ଢଙ୍ଗରେ ଅଗ୍ନିଶମ ନିରାପତ୍ତାକୁ ଯାଞ୍ଚ କରିଥିଲେ।

ଅପରପକ୍ଷେ ଏକାଧିକ ମଲ୍‌ରେ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀମାନେ ଯନ୍ତ୍ରପାତି ବ୍ୟବହାର ସଂପର୍କରେ ଅବଗତ ନଥିବା ସୂତ୍ରରୁ ଜଣାପଡ଼ିଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କୁ ତାଗିଦ୍ କରିବା ସହ ସମସ୍ତ ଯନ୍ତ୍ରପାତିର ଏକ୍ସପାରି ତାରିଖ ଶେଷ ହେବା ପୂର୍ବରୁ ସକ୍ରିୟ ରଖିବା ସହିତ ତ୍ରୁଟି ସୁଧାରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ସମୟରେ ରାଜଧାନୀର ପେଟ୍ରୋଲ ପମ୍ପ, ମଲ୍, ଗ୍ୟାସ୍‌ ସିଲିଣ୍ଡର ଡିପୋ ଆଦିରେ ଅଗ୍ନିକାଣ୍ଡ ଘଟୁଥିବାରୁ ଡିଜି ଶ୍ରୀ ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ ୨ଦିନ ତଳେ ଏଠାରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶୁକ୍ରବାର ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ଏଲ୍‌ପିଜି ଗୋଦ‌ାମଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ସହିତ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି କି ନାହିଁ, ତାହାର ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର