ଆଜି ଏସ୍‌ଟିଏଫ୍‌ରେ ହାଜର ହେବେନି ଇନ୍‌ସ୍‌ପେକ୍ଟର ବିକ୍ରମ

ଭୁବନେଶ୍ୱର: ଖୋର୍ଧା ବେଆଇନ ଖଣି ଖନନ ମାମଲାରେ ସଦର ଥାନା ଆଇଆଇସି ବିକ୍ରମ କେଶରୀ ଜେନା ଆଜି ଏସ୍‌ଟିଏଫ୍‌ରେ ହାଜର ହେବେ ନାହିଁ। ଗତ ୧୭ତାରିଖ ଦିନ ପାଖାପାଖି ୭ଘଣ୍ଟା ଜେରା ପରେ ଦ୍ବିତୀୟ ଦଫାରେ ଆଜି ହାଜର ହେବାକୁ ନୋଟିସ୍ କରାଯାଇଥିଲା। କିନ୍ତୁ ଏହି ହାଜର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇ ନାହିଁ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ମିଳିଛି। ତେବେ ଦ୍ବିତୀୟ ଦଫା ଜେରାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କଣ ଏମିତି ସୂଚନା ବାକି ରହିଗଲା ଯେ ଦ୍ବିତୀୟ ଦଫାରେ ଡକରା ଦରକାର ପଡ଼ିଲା? ସେ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ମୁତାବକ, ଖୋର୍ଧା ତହସିଲ ଅଧୀନରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିରେ ବିନା ଲିଜ୍‌ରେ ଦୀର୍ଘ ଦିନ ଧରି ବେଆଇନ ଖନନ ଚାଲିଥିଲା। କିନ୍ତୁ ଏହାକୁ ରୋକିବା ପାଇଁ ରାଜସ୍ବ ଓ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ତଦନ୍ତ ବେଳେ ଏସ୍‌ଟିଏଫ ଜାଣିବା ପରେ ଉଭୟ ତହସିଲଦାର ଓ ଆଇଆଇସିଙ୍କୁ ନୋଟିସ୍‌ କରିଥିଲା। ୧୭ ତାରିଖ ଦିନ ଉଭୟ ହାଜର ହୋଇ ନିଜ ନିଜର ପକ୍ଷ ରଖିଥିଲେ। ଏହି ବେଆଇନ କାରବାରକୁ ରୋକିବା ପାଇଁ କି’ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇଥିଲେ, ତାହାର ସବି‌ଶେଷ ବିବରଣୀ ଉପସ୍ଥାପନ କରିଥିଲେ। କାର୍ଯ୍ୟାନୁଷ୍ଠାନ ପାଇଁ ଥାନାକୁ ଅବଗତ କରାଯାଇଥିଲେ ମଧ୍ୟ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସଂପୃକ୍ତ ଇନ୍‌ସ୍‌ପେକ୍ଟରଙ୍କୁ ପୁଣି ଥରେ ଜେରା ପାଇଁ ଡକା ଯାଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର