ଭୁବନେଶ୍ୱର : ଖୋର୍ଦ୍ଧା ବେଆଇନ ଖାଦାନ କାରବାରରେ ସଦର ଥାନାର ପୂର୍ବତନ ଆଇଆଇସି ବିକ୍ରମ ଜେନାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ସ୍ପଷ୍ଟ ହେବାରେ ଲାଗିଛି। କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ତାଙ୍କ ବିରୋଧରେ ପୂର୍ଣ୍ଣ ପ୍ରମାଣ ଯୋଗାଡ଼ କରିବା ପରେ ତାଙ୍କୁ ଗିରଫ କରିବାକୁ ଯୋଜନା କରିଛି। ହେଲେ ସେ ଦୀର୍ଘ ଦିନ ହେବ ଫେରାର୍ ଅଛନ୍ତି। ଏଣୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲୁ) ଜାରି କରିବାକୁ ଖୋର୍ଦ୍ଧା କୋର୍ଟରେ ଏସ୍ଟିଏଫ୍ ଆବେଦନ କରିଛି। ଏହାସହ ତାଙ୍କୁ ଗିରଫ କରିବା ପାଇଁ ଏସ୍ଟିଏଫ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଅପରପକ୍ଷେ ବିନା ଛୁଟି ଦରଖାସ୍ତରେ ଗତ ମାସ ୨୫ ତାରିଖରୁ ଅନୁପସ୍ଥିତ ଥିବାରୁ ପୁଲିସ ଡିଜି ବିଜୟ ଶର୍ମା ଆଜି ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀ ଜେନା ଗତ ୨୫ ତାରିଖରୁ ବିନା ଛୁଟିରେ ଅନୁପସ୍ଥିତ ଅଛନ୍ତି। କାର୍ଯ୍ୟରେ ଯୋଗ ଦେବା ପାଇଁ ତାଙ୍କୁ ବାରମ୍ବାର ନୋଟିସ୍ ଦିଆଯିବା ସତ୍ତ୍ବେ ସେ ତାକୁ ଉପେକ୍ଷା କରି ଚାଲିଥିବାରୁ ତାଙ୍କ ବିରୋଧରେ ଆଜି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ସହ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି।
ନିକଟ ଅତୀତରେ ଭୁବନେଶ୍ବରରୁ ଜଣେ କନ୍ଷ୍ଟେବଲ ଜାନକୀ ଭାରୀମଲ୍ଲ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଗିରଫ ହୋଇଥିଲେ। ବାଲେଶ୍ବରର ଜଣେ କୁଖ୍ୟାତ ନିଶା ବେପାରୀକୁ ସହଯୋଗ କରିବା ଅଭିଯୋଗରେ ମଧ୍ୟ ଆଉ ଜଣେ ପୁଲିସ ଅଧିକାରୀ ଗିରଫ ହୋଇଥିଲେ। ସେହିପରି ଖୋର୍ଦ୍ଧା ଟାଉନ୍ ଥାନା ଗାଡ଼ି ଚାଳକ ବି ବେଆଇନ ଖାଦାନ ଓ ବ୍ରାଉନସୁଗାର ବେପାରରେ ସମ୍ପୃକ୍ତି ପାଇଁ ଗିରଫ ହୋଇଛନ୍ତି। ଆଉ ଏବେ ଇନ୍ସ୍ପେକ୍ଟର ବିକ୍ରମ ଜେନାଙ୍କ ସମ୍ପୃକ୍ତି ପ୍ରମାଣିତ ହେବା ପରେ ଖୋଦ୍ ପୁଲିସ କର୍ମଚାରୀଙ୍କ ଭାଗୀଦାରିରେ ଯେ ନିଶା ବେପାର ଓ ବେଆଇନ ଖଣି ଖାଦାନ କାରବାର ଚାଲୁଛି, ତାହା ଜଳଜଳ ହୋଇ ଦିଶୁଛି ବୋଲି ଚର୍ଚ୍ଚା ଜୋର୍ ଧରିଛି।
ବଡ଼ କଥା ହେଲା, ଅନ୍ୟପଟେ ବିକ୍ରମ ଭଲ କାମ କରୁଥିବା ଦର୍ଶାଇ ତାଙ୍କ ନାମକୁ ‘ମୁଖ୍ୟମନ୍ତ୍ରୀ ମେଡାଲ’ ପାଇଁ ମନୋନୀତ କରାଯାଇଥିଲା। ସ୍ବାଧୀନତା ଦିବସରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥାନ୍ତା। ମାତ୍ର ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କ ନାମକୁ ସ୍ବାଧୀନତା ଦିବସରେ ହିଁ କାଟି ଦିଆଯାଇଥିଲା। ଏହା ପରେ ତାଙ୍କୁ ଟାଉନ୍ ଥାନାରୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।
ଇତିମଧ୍ୟରେ ଏସ୍ଟିଏଫ୍ ମଧ୍ୟ ତାଙ୍କୁ ଜେରା ପାଇଁ ହାଜର ହେବାକୁ ନୋଟିସ୍ କରି ସାରିଛି। କିନ୍ତୁ ସେ ବିନା ମଞ୍ଜୁରିରେ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ପୁଲିସ ବିଭାଗ ପକ୍ଷରୁ ମଧ୍ୟ ତାଙ୍କୁ ନୋଟିସ୍ କରାଯାଇଥିଲା। ହେଲେ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ବରଂ ଗତ ୨ ତାରିଖ ଦିନ ସେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ।
ଖୋର୍ଦ୍ଧା ତହସିଲ ଅଧୀନରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିରେ ବିନା ଲିଜ୍ରେ ଦୀର୍ଘ ଦିନ ଧରି ବେଆଇନ ଖାଦାନ ଖନନ ଚାଲିଥିଲା। ପୁଲିସ ରୋକିବା ପାଇଁ ଅସମର୍ଥ ହେବାରୁ ଏସ୍ଟିଏଫ୍ ତଦନ୍ତ ଆରମ୍ଭ କଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଇନ୍ସ୍ପେକ୍ଟର ବିକ୍ରମ ଜେନା ମାଫିଆଙ୍କୁ ସହଯୋଗ କରି ଆସୁଛନ୍ତି। ଅଗଷ୍ଟ ୧୮ ତାରିଖ ଦିନ ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ ଓ ତତ୍କାଳୀନ ସଦର ଥାନା ଆଇଆଇସି ବିକ୍ରମ କେଶରୀ ଜେନାଙ୍କୁ ଏସ୍ଟିଏଫ ଡାକି ଜେରା କରିଥିଲା। ଗତ ଅକ୍ଟୋବର ୨୩ ତାରିଖରେ ଟାଉନ ଥାନା ଗାଡ଼ି ଚାଳକ ନାଲିପଡ଼ା ଅର୍ଜୁନପୁରର ଚିତ୍ତରଞ୍ଜନ ବଡ଼ଜେନାକୁ ଏସ୍ଟିଏଫ୍ ଗିରଫ କରିଥିଲା। ଚିତ୍ତରଂଜନ ଗିରଫ ହେବା ପରେ ଇନ୍ସପେକ୍ଟରଙ୍କ ଗିରଫ ହେବା ଏକରକମ ନିଶ୍ଚିତ ବୋଲି ସ୍ପଷ୍ଟ ହୋଇଯାଇଥିଲା।