ଖଣ୍ଡଗିରି: ବିକାଶ ନାଁରେ ଆମେ ଜଙ୍ଗଲକୁ ନଷ୍ଟ କରିସାରିଛେ। ଦ୍ରୁତ ଶିଳ୍ପାୟନ ଓ ବିକାଶ ନାଁରେ ବିଶ୍ବ ପୃଷ୍ଠରୁ ଜଙ୍ଗଲ କ୍ଷୟ କରାଯାଇଛି। ଫଳରେ ଆଜି ଆମ ବିଶ୍ବ ବିଭିନ୍ନ ପ୍ରକାର ପ୍ରଦୂଷଣରୁ ଆରମ୍ଭ କରି ବିଶ୍ବତାପନ ଭଳି ସଂକଟର ସମ୍ମୁଖୀନ ହେଉଛି। ବିକାଶ ନାଁରେ ବିଶ୍ବ ପ୍ରତି ଆମେ କରିଥିବା ଅନ୍ୟାୟର ପ୍ରାୟଶ୍ଚିତ କରିବାକୁ ହେବ। ପୁଣି ବ୍ୟାପକ ବୃକ୍ଷରୋପଣ କରି ସେହି ପାପର ପ୍ରାୟଶ୍ଚିତ କରିବାକୁ ହେବ। ଆଜି ବରମୁଣ୍ଡାସ୍ଥିତ ଚନ୍ଦନ ହୋଟେଲ୍ରେ ‘ପ୍ରେରଣା ଗ୍ରିନ୍ ଆର୍ମି’ ପକ୍ଷରୁ ଆୟୋଜିତ ହୋଇଥିବା ଚାରା ବିତରଣ ଶିବିର ଓ ବୃକ୍ଷ ବ୍ୟାଙ୍କ୍ର ଉଦ୍ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
ଏହି ଅବସରରେ ସେ ଆହୁରି ମଧ୍ୟ କହିଥିଲେ ଯେ ପୃଥିବୀର ତାପମାତ୍ରାକୁ ୨ ପ୍ରତିଶତ କମାଇବା ପାଇଁ ଆଜି ଯୋଜନା ପ୍ରସ୍ତୁତ ହେଉଛି। ରୋମ୍ରେ ଏ ନେଇ ଆଜି ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି। ତେବେ ବ୍ୟାପକ ବୃକ୍ଷରୋପଣ କରି ଆମେ ଏହି ସମସ୍ୟାକୁ କିଛି ପରିମାଣରେ ସୁଧାରି ପାରିବା। ସମସ୍ତେ ଯଦି ‘ଏକ କା ଦଶ’ ବିଚାରରେ ବୃକ୍ଷରୋପଣ କରିବେ, ନିଶ୍ଚୟ ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସୂଚନାଯୋଗ୍ୟ, ପ୍ରଥମ କରି ପ୍ରେରଣା ଇଣ୍ଟରନ୍ୟାସନାଲ୍ ଗ୍ରିନ୍ ଆର୍ମି ପକ୍ଷରୁ ଏହି ‘ଟ୍ରି ବ୍ୟାଙ୍କ୍ ଓ ଟ୍ରି ଡୋନେସନ୍’ ଶିବିର ଆଜି ଉଦ୍ଘାଟିତ ହୋଇଯାଇଛି। ଦୀପାବଳିରେ ବାଣ ନ ଫୁଟାଇ ଦୀପ ଜାଳିବା ଓ ବୃକ୍ଷ ଲଗାଇବା ଆହ୍ବାନ ଦେଇ ସଂଗଠନ ତରଫରୁ ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
କମାଣ୍ଡାଣ୍ଟ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକାଶ ଶ୍ରୀଚନ୍ଦନ, ସମ୍ ହସ୍ପିଟାଲ୍ର ମାନସିକ ରୋଗ ବିଶେଷଜ୍ଞ ଶୁଭେନ୍ଦୁ ମିଶ୍ର, ବରମୁଣ୍ଡା କ୍ଲବ୍ ସମ୍ପାଦକ ଗଣେଶ କୁମାର, ସମାଜସେବୀ ବିଶ୍ବମୋହନ ପଟ୍ଟନାୟକ, ଜୟନ୍ତୀ ପଢ଼ିହାରୀ ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରି ବ୍ୟାଙ୍କ୍ରେ ୧୦ ହଜାର ଚାରା ମହଜୁଦ୍ ଅଛି। ଚାରା ଆବଶ୍ୟକ ହେଲେ ୬୩୭୧୪୬୮୭୭୦ ନମ୍ବରରେ ଯୋଗାଯୋଗ କରି ମାଗଣାରେ ଚାରା ନେଇ ପାରିବେ ବୋଲି ସୂଚନା ଡ. ଶ୍ରୀଚନ୍ଦନ କହିଥିଲେ। ଶେଷରେ ବିଭିନ୍ନ ସାମାଜିକ ଗଣମାଧ୍ୟମର ପ୍ରତିନିଧି ଓ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା।