ଖଣ୍ଡଗିରି/ମେଣ୍ଢାଶାଳ : ନିଜ ଭିତରେ ହିଁ ଛପି ରହିଛି ଆନନ୍ଦ। ତା’କୁ ଅନେ୍ଵଷଣ କରିବା ପାଇଁ ଲମ୍ବା ଯାତ୍ରାର ଆବଶ୍ୟକତା ନାହିଁ। ନିଜ ଭିତରୁ ସମସ୍ତ ନକରାତ୍ମକଭାବନା ବାହାର କରି କେବଳ ନିଜକୁ ହିଁ ସୁଧାରି ପାରିଲେ, ଜୀବନଟା ଖୁସିରେ ଭରିଯାଏ। ନିୟମିତ ଯୋଗ ଓ ଧ୍ୟାନ ବଳରେ ମାତ୍ର କେତୋଟି ଛୋଟ ଛୋଟ ପନ୍ଥା ଅବଲମ୍ବନ କଲେ ଜୀବନ ମଧୁରମୟ ହୋଇଯାଏ। ଆଜି ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ହରିଡ଼ାମଡ଼ାଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଡିଭାଇନ୍ ରିଟ୍ରିଟ୍ ସେଣ୍ଟର(ଡିଆର୍ସି)ରେ ଆୟୋଜିତ ଅବ୍ୟକ୍ତ ଦିବସ ଅବସରରେ ବ୍ରହ୍ମାକୁମାରୀ ଶିବାନୀ ଏହା କହିଛନ୍ତି। ଆନନ୍ଦପ୍ରାପ୍ତିର ମାର୍ଗ ଦର୍ଶନ କରାଇବା ଛଳରେ ସେ ଏଭଳି ମନ୍ତ୍ର ଫୁଙ୍କିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ଡ. ଏସ୍ସି ଜମିର୍ ଯୋଗ ଦେଇଥିଲେ। ଭାରତୀୟ ମହାନ୍ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ‘ବିଭିନ୍ନତାରେ ଏକତା’ର ଦେଶ ଭାରତର ପ୍ରାଚୀନ ଆଧ୍ୟାତ୍ମିକତା ବଜାୟ ରଖିବା ପାଇଁ ସେ ଆହ୍ଵାନ ଦେଇଥିଲେ। ତେବେ ଆଜିର ପ୍ରସଙ୍ଗ ‘ହାପିନେସ୍ ଆଟ୍ ଆଓ୍ଵାର ଡୋର୍ଷ୍ଟେପ୍’ ଉପରେ ବ୍ରହ୍ମାକୁମାରୀ ଶିବାନୀଙ୍କ ପ୍ରାୟ ଏକ ଘଣ୍ଟାର ଅଭିଭାଷଣ ଥିଲା ମୁଖ୍ୟ ଆକର୍ଷଣ। ଜୀବନରେ ଖୁସି ପାଇବାକୁ ହେଲେ ନିଜକୁ ଦୀପଟିଏ କରିଦେବାକୁ ସେ କହିଥିଲେ। କାରଣ ଜଳି ଜଳି ଅନ୍ଧାର ହଟାଇବାରେ ଓ ଆଲୋକ ପ୍ରଦାନ କରିବାରେ ନିହିତ ଥାଏ ପ୍ରକୃତ ସୁଖ। ତେଣୁ ଗାଈ, ସୂର୍ଯ୍ୟ ଓ ବୃକ୍ଷଙ୍କ ଭଳି ପାଇବା ମୋହ ନ ରଖି କେବଳ ଦେବା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ନିଜର ଅବସାଦ ପାଇଁ ଅନ୍ୟକୁ ଦାୟୀ ନକରି ନିଜକୁ ବଦଳାଇବାକୁ ଚେଷ୍ଟା କଲେ ଖୁସି ମିଳେ ବୋଲି ସେ ବୁଝାଇଥିଲେ। ପୂର୍ବର କୌଣସି କ୍ରୋଧଜନିତ ପଦକ୍ଷେପରୁ ମଳିଥିବା ଲାଭ ଓ କ୍ଷତିକୁ ଆକଳନ କରିବାକୁ କହିଥିଲେ। ଏହାଦ୍ୱାରା କ୍ରୋଧ ଯେ କେତେ ଭୟଙ୍କର ଓ କ୍ଷତିକାରକ ବୁଝିବା ସହଜ ହୋଇଯିବ ବୋଲି ସେ କହିଥିଲେ। ସବୁ ମଣିଷଠାରୁ ସମାନ କଥା ଆଶା ନ କରି ବରଂ ସମସ୍ତଙ୍କ ସହ ନିଜକୁ ମିଶାଇବାକୁ ଚେଷ୍ଟା କଲେ, ଜୀବନରୁ ଦୁଃଖ ଦୂର ହେବ ବୋଲି ସେ ବୁଝାଇଥିଲେ।
ବ୍ରହ୍ମାକୁମାରୀ ଲୀନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସୂଚନା କମିସନର ଜଗଦାନନ୍ଦ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରାୟ ୫ ହଜାର ଭାଇଭଉଣୀ ବିକେ ଶିବାନୀଙ୍କ ବକ୍ତବ୍ୟ ଶୁଣିବା ପାଇଁ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/mendhasal.jpg)