ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସର ୬୦ତମ ବୈଷୟିକ ଅଧିବେଶନ

ଭୁବନେଶ୍ବର: ଦେଶର ପ୍ରଗତିରେ ବୈଷୟିକ ଜ୍ଞାନକୌଶଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜିର ଯୁଗ ଇଂଜିନିୟରିଂ ଯୁଗରେ ପରିଣତ ହୋଇସାରିଛି। ବିନା ଇଂଜିନିୟରିଂରେ ଆଗକୁ ବଢ଼ିବା କଷ୍ଟସାଧ୍ୟ। ତେଣୁ ଇଂଜିୟରମାନେ ଏଥିପାଇଁ ବାହ୍ୟ ବୈଷୟିକ ଜ୍ଞାନକୌଶଳକୁ ଆପଣାଇବା ସହ ଦେଶର ଇଂଜିନିୟରିଂରେ ଉନ୍ନତି ଆଣିବା ଦରକାର। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଞ୍ଜିନିୟର୍ସର ଓଡ଼ିଶା ଶାଖାର ୬୦ତମ ବାର୍ଷିକ ବୈଷୟିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଆଜି ଏହା କହିଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ଶ୍ରୀ ଲାଲ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ଅଂଶୁମାନ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ୧୮ତମ ପ୍ରଫେସର ଭୁବନେଶ୍ବର ବେହେରା ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସଭାପତି ଟି.ଏମ୍‌ ଗୁଣରାଜ ରାଜ୍ୟପାଳଙ୍କୁ ସମ୍ମାନସୂଚକ ଫେଲୋସିପ୍‌ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ୪୦ରୁ ଊର୍ଧ୍ବ ବୈଷୟିକ ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ କ୍ଷୀରୋଦ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିବା ବେ‌ଳେ ସମ୍ପାଦକ ସୁଧାଂଶୁ ଶେଖର ଦାଶ ଧନ୍ୟବାଦ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପାଞ୍ଚ ଶହରୁ ଊର୍ଧ୍ବ ଯନ୍ତ୍ରୀ, ବୈଷୟିକ ବିଶେଷଜ୍ଞ ଏବଂ ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଶତାଧିକ ଯନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର