ଭୁବନେଶ୍ୱର: ରାସ୍ତାକୁ ମଇଳା ପାଣି ଓ ଆବର୍ଜନା ନ ଛାଡ଼ିବାକୁ ରଘୁନାଥପୁରସ୍ଥିତ ରୟାଲ୍ ଲାଗୁନ୍ ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କୁ ଭୁବନେଶ୍ୱର ରାସ୍ତା ଏବଂ ନିର୍ମାଣ ବିଭାଗ(ଆର୍.ଆଣ୍ଡ.ବି) ଡିଭିଜନ୍-୩ର ଅଧୀକ୍ଷକ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରୟାଲ୍ ଲାଗୁନ୍ ରେସିଡେଣ୍ଟ ୱେଲ୍ଫେୟାର ଆସୋସିଏସନ୍ର ସେକ୍ରେଟାରିଙ୍କ ନାମରେ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ ସଂପୃକ୍ତ ଆପାର୍ଟମେଣ୍ଟ ସାମ୍ନାରେ ପିଡବ୍ଲୁଡି ଡ୍ରେନ୍ ଚୋକ୍ ହୋଇଯାଉଛି। ଆପାର୍ଟମେଣ୍ଟରୁ ଛଡ଼ା ଯାଉଥିବା କଠିନ ବର୍ଜ୍ୟ ଓ ନର୍ଦ୍ଦମା ପାଣି ଯୋଗୁ ଏପରି ପରିସ୍ଥିତି ଉପୁଜିଛି।
ପିଡବ୍ଲୁଡି ଡ୍ରେନ୍ କେବଳ ରାସ୍ତା କଡ଼ରୁ ଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ। ଆପାର୍ଟମେଣ୍ଟ କର୍ତ୍ତୃପକ୍ଷ ଏହାକୁ ସ୍ବରେଜ୍ ମ୍ୟାନେଜ୍ କରିବା ପାଇଁ ଏବଂ ମଇଳା ପାଣି ଛାଡ଼ିବା ପାଇଁ ବ୍ୟବହାର କରିପାରିବେ ନାହିଁ। ଆପାର୍ଟମେଣ୍ଟ ପକ୍ଷରୁ ଯେଉଁ ୧୦ ଇଞ୍ଚିଆ ପାଇପ୍ ଯୋଗେ ଡ୍ରେନ୍ରୁ ନର୍ଦ୍ଦମା ପାଣି ଛଡ଼ାଯାଉଛି, ତାହାକୁ ତୁରନ୍ତ ବିଚ୍ଛିନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ନିର୍ଦ୍ଦେଶ ପାଳନ ନକଲେ, ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ ଯେ ରୟାଲ୍ ଲାଗୁନ୍ ଆପାର୍ଟମେଣ୍ଟରେ ୭୧୦ ଫ୍ଲାଟ୍ ରହିଛି ଏବଂ ୬ ହଜାରରୁ ଅଧିକ ଲୋକ ରହୁଛନ୍ତି। ଆପାର୍ଟମେଣ୍ଟ କର୍ତ୍ତୃପକ୍ଷ ତରଳ ବର୍ଜ୍ୟ ସହ କଠିନ ବର୍ଜ୍ୟକୁ ବର୍ଷା ଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ପିଡବ୍ଲୁଡି ଡ୍ରେନ୍ରେ ଛାଡ଼ୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି।