ଭୁବନେଶ୍ବର: ନବମ ଶ୍ରେଣୀରେ କେତେ ପିଲା ପଢ଼ୁଥିଲେ? ଦଶମ ବେଳକୁ ପିଲାଙ୍କ ସଂଖ୍ୟା କମିଲା କାହିଁକି? ନାମ ପଞ୍ଜିକରଣ କରିଥିବା ପିଲାମାନେ ଦଶମ ଶ୍ରେଣୀରେ କାହିଁକି ସ୍କୁଲ ଆସୁନାହାନ୍ତି? ସେମାନେ ପାଠପଢ଼ା ଛାଡ଼ିବା ପଛରେ କାରଣ କ’ଣ? ଆର୍ଥିକ ଅଭାବ ନା ପାରିବାରିକ ସମସ୍ୟା? ଏଭଳି ଅନେକ ପ୍ରସଙ୍ଗରେ ତଥ୍ୟ ସଂଗ୍ରହ କରିବାକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ପାଠପଢ଼ା ଛାଡ଼ିଥିବା ପିଲାଙ୍କ ଘରକୁ ଯାଇ ଅଭିଭାବକଙ୍କ ସହ ଆଲୋଚନା କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ପିଲା ନିୟମିତ କ୍ଲାସ କରିବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି, ସେମାନଙ୍କ ନାମଲେଖା ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂରେ କରିବାକୁ ଗତ ମାସିକିଆ ବୈଠକରେ ଅଭିଭାବକଙ୍କୁ କୁହାଯାଇଛି। ଏ ଦିଗରେ ସଚେତନତା ସୃଷ୍ଟି କରିବାଲାଗି ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ହୋଇଛି।
ଗୋଟିଏ ପଟେ ମାଟ୍ରିକ୍ ଡ୍ରପ୍ଆଉଟ୍ ତଥ୍ୟକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିଛି। ସେହି ସମୟରେ ଡ୍ରପ୍ଆଉଟ୍ ରୋକିବାକୁ ଖୋର୍ଦ୍ଧା ସମେତ ରାଜ୍ୟର କେତେକ ଜିଲ୍ଲା ପ୍ରଶାସନ ଇତି ମଧ୍ୟରେ ରାଣନୀତି ପ୍ରସ୍ତୁତ କରି ସାରିଛନ୍ତି। ଯେଉଁ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ଏବଂ ସ୍କୁଲକୁ ଆସିବାକୁ ଚାହୁନାହାନ୍ତି, ସେମାନଙ୍କୁ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ, ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ ଓ ଧନ୍ଦାମୂଳକ ଶିକ୍ଷାର ବିକଳ୍ପ ଦିଆ ଯାଉଛି। ୬ରୁ ୧୪ ବର୍ଷ ବୟସର ଯେଉଁ ପିଲାମାନେ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି, ସେମାନଙ୍କୁ ନିକଟସ୍ଥ ସ୍କୁଲରେ ପୁଣି ଥରେ ନାମ ଲେଖାଇବାରେ ମଧ୍ୟ କୌଣସି ଅସୁବିଧା ନାହିଁ। ଏଦିଗରେ ଜିଲ୍ଲା ଓ ବ୍ଲକ ସ୍ତରରେ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଅଧାରୁ ପାଠପଢ଼ା ଛାଡ଼ିଥିବା ପିଲାଙ୍କ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଖୋର୍ଦ୍ଧା ଜିଲ୍ଲା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ସମସ୍ତ ବ୍ଲକରେ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଓ ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଆୟୋଜନ କରାଯାଉଛି। ଏହି ପରାମର୍ଶ ଶିବିରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହ ଅନୁବନ୍ଧିତ ବିଭିନ୍ନ ସରକାରୀ ଓ ବେସରକାରୀ ତାଲିମ ପ୍ରଦାନକାରୀ ସଂସ୍ଥାମାନେ ଯୋଗ ଦେଉଛନ୍ତି। ତାଲିମ ପ୍ରଦାନକାରୀ ସଂସ୍ଥାମାନେ ବିଭିନ୍ନ ଟ୍ରେଡ୍ଗୁଡ଼ିକରେ ନ୍ୟାସନାଲ ସ୍କିଲ ଡେଭଲପ୍ମେଣ୍ଟ କର୍ପୋରେସନ ଦ୍ବାରା ଜାରି ହୋଇଥିବା ସ୍ବଳ୍ପ ମିଆଦି ପାଠ୍ୟକ୍ରମ ସୂଚୀରୁ ପ୍ରାର୍ଥୀମାନଙ୍କ ରୁଚି ଅନୁଯାୟୀ ତାଲିମ ପ୍ରଦାନ କରିବେ।
ଏହି ତାଲିମର ଅବଧି ସାଧାରଣ ଭାବେ ଦେଢ଼ମାସରୁ ୬ମାସ ମଧ୍ୟରେ ରହିବ। ତାଲିମ ସମୟରେ ଆବାସିକ ପ୍ରାର୍ଥୀ ପ୍ରାର୍ଥିନୀଙ୍କ ରହିବା, ଖାଇବା ଓ ତାଲିମର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ତାଲିମ ପରେ ଆସେସ୍ମେଣ୍ଟ ଟେଷ୍ଟ କରାଯାଇ ଉତ୍ତୀର୍ଣ୍ଣ ପ୍ରଶିକ୍ଷାର୍ଥୀଙ୍କୁ ଏସ୍ଏସ୍ସିଙ୍କ ଦ୍ବାରା ପ୍ରମାଣପତ୍ର ପ୍ରଦାନ କରାଯିବ। ଉତ୍ତୀର୍ଣ୍ଣ ପ୍ରଶିକ୍ଷାର୍ଥୀଙ୍କୁ ୩ ମାସ ମଧ୍ୟରେ ଦକ୍ଷତା ଅନୁଯାୟୀ ରାଜ୍ୟ ଭିତରେ କିମ୍ବା ବାହାର ରାଜ୍ୟର ବେସରକାରୀ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପ୍ରଦାନ କରାଯିବ। ସେହିପରି ଦଶମ ଶ୍ରେଣୀ ପାସ୍ କରିଥିବା ଛାତ୍ର ଛାତ୍ରୀଙ୍କ ପାଇଁ ବିଭିନ୍ନ ବୈଷୟିକ ଶିକ୍ଷା ଯଥା ଆଇଟିଆଇ/ଡିପ୍ଲୋମା, ବିଶ୍ବ ଦକ୍ଷତା କେନ୍ଦ୍ର ସମ୍ପର୍କରେ ପରାମର୍ଶ ପ୍ରଦାନ କରାଯିବ। ଆଗ୍ରହୀ ଛାତ୍ରଛାତ୍ରୀ, ଯୁବକ ଯୁବତୀ, ଅଭିଭାବକ ନିର୍ଦ୍ଧାରିତ କାର୍ଯ୍ୟ ଦିବସ, ସମୟ ଓ ସ୍ଥାନରେ ଆୟୋଜିତ ପରାମର୍ଶ ଶିବିରରେ ଅଂଶଗ୍ରହଣ କରି ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।