ମାନସିକ ସ୍ବାସ୍ଥ୍ୟ ସଚେତନତା ସମ୍ମିଳନୀ ‘ଅନ୍ତର୍ମନ୍’

ପ୍ରତି ଜିଲ୍ଲାରେ ବିଶିଷ୍ଟ ଇଣ୍ଟିଗ୍ରେଟେଡ୍ ସାମାଜିକ ସୁରକ୍ଷା କମ୍ପ୍ଲେକ୍ସ

ଭୁବନେଶ୍ବର: ପିପୁଲ୍‌ସ ଫୋରମ୍ ପକ୍ଷରୁ ଆଜି ହୋଟେଲ ନ୍ୟୁ ମାରିୟନ୍‌ରେ ମାନସିକ ସ୍ବାସ୍ଥ୍ୟ ସଚେତନତା ସମ୍ମିଳନୀ ‘ଅନ୍ତର୍ମନ୍’ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ନିତିନ ଚନ୍ଦ୍ର ଯୋଗଦେଇ କହିଲେ, ମାନସିକ ସ୍ବାସ୍ଥ୍ୟ ମନର ଏକ ସ୍ଥିତି। ଜଣେ ଖୁସି ନ ରହିଲେ ସେହି ବ୍ୟକ୍ତି ମଧ୍ୟରେ ସମସ୍ୟା ଦେଖା ଦେଇଥାଏ। ମାନସିକ ରୋଗୀଙ୍କ ପାଇଁ ସାଧାରଣ ଲୋକଙ୍କ ମନରେ ପରିବର୍ତନ ଆସିବା ଦରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ମାନସିକ ରୋଗୀଙ୍କ ପାଇଁ ଇଣ୍ଟିଗ୍ରେଟେଡ୍ ସାମାଜିକ ସୁରକ୍ଷା କମ୍ପ୍ଲେକ୍ସ ପ୍ରତି ଜିଲ୍ଲାରେ ନିର୍ମାଣ କରାଯାଉଛି। ୨୫ଏକର ବିଶିଷ୍ଟ ଏହି କମ୍ପ୍ଲେକ୍ସରେ ସମସ୍ତ ସେବା ସହ ମାନସିକ ସ୍ବାସ୍ଥ୍ୟ ସେବା ମଧ୍ୟ ଉପଲବ୍ଧ ହେବ ବୋଲି ଶ୍ରୀ ଚନ୍ଦ୍ର କହିଥିଲେ। ଭୁବନେଶ୍ବର ଏମ୍‌ସର ନିର୍ଦେଶିକା ଡା. ଗୀତାଞ୍ଜଳି ବାତମାନବାନେ କହିଲେ, ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସ୍ଥିତି ବେଶ ଜଟିଳ। ସାମାଜିକ ଓ ଆର୍ଥିକ ସମସ୍ୟା ‌ପାଇଁ ଏହା ଅଧିକ ଜଟିଳ ହେବାରେ ଲାଗିଛି। କେବଳ ସାଧାରଣ ଲୋକ ନୁହଁନ୍ତି, ଡାକ୍ତରଖାନରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନେ ମାନସିକ ରୋଗୀଙ୍କ ପ୍ରତି ଯେଉଁ ବ୍ୟବହାର ପ୍ରଦର୍ଶନ କରନ୍ତି, ତାହା ଠିକ୍ ନୁହେଁ। ମାନସିକ ସ୍ବାସ୍ଥ୍ୟ ସଂପର୍କରେ ଜାଣି ଓ ପାଠ ପଢ଼ିବା ସତ୍ତ୍ବେ ସେମାନେ ଏଭଳି ବ୍ୟବହାର ଦେଖାନ୍ତି। ତେଣୁ ଏଥିରେ ପରିବର୍ତନର ଆବଶ୍ୟକତା ରହିଛି। ରାଜ୍ୟର ଅନ୍ୟ ହସ୍ପିଟାଲଗୁଡ଼ିକ ଚାହିଁଲେ ମାନସିକ ରୋଗୀଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ ଏମ୍‌ସ ପକ୍ଷରୁ ସ୍ବତନ୍ତ୍ର ଭାବେ ନୀତି, ତାଲିମ୍ ଯୋଗାଇ ଦିଆଯିବ ବୋଲି ଡା. ବାତମାନବାନେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡା. ଏସ୍‌.ପି ସ୍ବାଇଁ ଓ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡା. ନୀଳମାଧବ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଫୋରମ୍‌ର ନିର୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ, ପ୍ରତିଷ୍ଠାତା ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଦ୍‌ଘାଟନ କାର୍ଯ୍ୟକ୍ରମ ପରେ ମାନସିକ ସ୍ବାସ୍ଥ୍ୟ ନେଇ ୪ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ବିଶେ‌ଷଜ୍ଞ ଯୋଗଦେଇ ମାନସିକ ସ୍ବାସ୍ଥ୍ୟର ସ୍ଥିତି, ସମସ୍ୟା ଓ ଉନ୍ନତୀକରଣ ନେଇ ନିଜର ମତ ରଖିଥିଲେ।

ସମ୍ବନ୍ଧିତ ଖବର