ଭୁବନେଶ୍ୱର: ରେଭେନ୍ସା ବିଶ୍ବବିଦ୍ୟାଳୟର ନାମକରଣକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବିତର୍କର ଆହ୍ୱାନ ଏବେ ଚରମ ସୀମାରେ ପହଞ୍ଚିଛି। ଆଜି ସ୍ୱାଧୀନତା ସଂଗ୍ରାମୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ନଅଙ୍କ ଦୁର୍ଭିକ୍ଷ ଓ ଥୋମାସ୍ ରେଭେନ୍ସାଙ୍କ ଭୂମିକା’ ଶୀର୍ଷକ ଆଲୋଚନାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ବିଶ୍ୱର ଭୟଙ୍କର ମାନବକୃତ ଗଣହତ୍ୟା ନଅଙ୍କ ଦୁର୍ଭିକ୍ଷର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବା ସହିତ ରେଭେନ୍ସା ନାମ ପରିବର୍ତ୍ତନ ହେବାଉଚିତ ବୋଲି ମତ ଦେଇଛନ୍ତି। ସେମାନେ କହିଥିଲେ, ଔପନିବେଶିକ ଶାସନରୁ ୭୫ ବର୍ଷ ତଳେ ମୁକ୍ତ ହୋଇଥିବା ଓଡ଼ିଆମାନେ ଏହି ମାନସିକତାରୁ ମୁକ୍ତ ହେବାର ଆବଶ୍ୟକତା ଅଛି। ରେଭେନ୍ସାବଦଳରେ ମୂଳନାମ କଟକ କିମ୍ବା ଗଜପତି କପିଳେନ୍ଦ୍ର ଦେବ କିମ୍ବା ଆଧୁନିକ ଶିକ୍ଷାର ମୂଳବ୍ୟକ୍ତି ଆଦିନେତା ବିଚିତ୍ରାନନ୍ଦଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟର ନାମକରଣ କରିବାକୁ ପ୍ରସ୍ତାବ ଆସିଥିଲା।
ଏଥିସହିତ ବିଶ୍ୱବିଦ୍ୟାଳୟରେ ଥିବା ସେଭେନ୍ ପିଲର୍ର ନାମ ବଦଳାଇ ଓଡ଼ିଶାର ସାତଜଣ ବରପୁତ୍ରଙ୍କ ନାମରେ ତାହାକୁ ନାମିତ କରିବା ସହିତ ସେମାନଙ୍କ ଅବଦାନ ବିଷୟରେ ଉଲ୍ଲେଖ କରିବା, ନଅଙ୍କ ଦୁର୍ଭିକ୍ଷ ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ପୂର୍ଣାଙ୍ଗ ନଥି ପ୍ରସ୍ତୁତ କରିବା, ନଅଙ୍କ ଦୁର୍ଭିକ୍ଷ ବିଷୟରେ ବ୍ୟାପକ ଆଲୋଚନା ପାଇଁ ପଦକ୍ଷେପ ନେବା ସହ ପାଠ୍ୟପୁସ୍ତକରେ ତାହାକୁ ସ୍ଥାନିତ କରିବା, ସେହି ସମୟର ଓଡ଼ିଶାର ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ବିସ୍ଥାପନ ଓ ବିଦେଶ ପଳାୟନ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ତଥା ଏହାର ଡିଜିଟାଲ ଇ-ବୁକ କରିବାକୁ ଶିକ୍ଷାବିତ୍ମାନେ ପ୍ରସ୍ତାବ ଦେଇଥିଲେ। ବିଶେଷକରି ଓଡ଼ିଶା ଇତିହାସର ପୁନର୍ଲିଖନ ସହିତ ପାଠ୍ୟପୁସ୍ତକରେ ଓଡ଼ିଶା ଇତିହାସ ସମ୍ପର୍କିତ ଗୌରବମୟ ବିଷୟକୁ ପ୍ରାଥମିକତା ଭିତ୍ତିରେ ସ୍ଥାନିତ କରିବାକୁ ମତ ପ୍ରକାଶ ପାଇଥିଲା। ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବ୍ୟକ୍ତିଗତ ମତକୁ ନେଇ କିଛି ବ୍ୟକ୍ତି ହୀନ ରାଜନୀତି କରୁଥିବାରୁ ବୈଠକରେ ଏହାକୁ ନିନ୍ଦା କରାଯାଇଥିଲା।
ଗବେଷକ ସୁବ୍ରତ ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାସଭାରେ ସାଂସଦ ଓ ସମ୍ପାଦକ ଭର୍ତ୍ତୃହରି ମହତାବ, ଐତିହାସିକ ଅନୀଲ ଧୀର, କବି ହରପ୍ରସାଦ ଦାସ, ପ୍ରଦୀପ ବିଶ୍ୱାଳ, ହରିହର କାନୁନଗୋ, ସାମ୍ବାଦିକ ରାଜାରାମ ଶତପଥୀ, ସୌମେନ୍ଦ୍ର ଜେନା, ଅକ୍ଷୟ ସାହୁ, ପ୍ରକାଶ ନାୟକ, ନୀରଦ ଖୁଣ୍ଟିଆ, ଦେବ ପରିଜା, ଅକ୍ଷୟ ସାହୁ, ସଚ୍ଚିକାନ୍ତ ପ୍ରଧାନ, ଜାନକୀଶ ବଡପଣ୍ଡା, ତାପସ ଦ୍ୱିବେଦୀ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରି ରେଭେନ୍ସା ନାମ ପରିବର୍ତ୍ତନକୁ ଦୃଢ ସମର୍ଥନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/wT4ClguDoHvwQ6Ak5PDo.jpg)