ଭୁବନେଶ୍ବର: ଭୁବନେଶ୍ବରରେ ବାଇକ୍ ଲୁଟ୍ କରି କମିସନରେଟ୍ ପୁଲିସର ନିଦ ହଜାଇଥିବା ପୁରୀର ଏକ ଲୁଟେରା ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍ କରିଛି କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ବାଡ୍। ପୁଲିସ୍ ଗ୍ୟାଙ୍ଗ୍ର ୮ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୦ଟି ଚୋରି ବାଇକ୍ ଜବତ କରିଛି। ସ୍ପେସାଲ୍ ସ୍କ୍ବାଡ୍, ବିଭିନ୍ନ ଥାନାର ପିଓପିଡି ଓ ଟିମ୍-୬୦ର ମିଳିତ ଉଦ୍ୟମରେ ପୁଲିସକୁ ଏହି ସଫଳତା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ, ପୁରୀ ବିନ୍ଦିପୁରର ପ୍ରଦୀପ ପାଇକରାୟ, ପେଣ୍ଠକଟାର ଆକାଶ ବେହେରା, ବାଦଲ ବେହେରା, କନ୍ଦରସାହିର ଜୟ ବେହେରା, ଖୋର୍ଦ୍ଧା ବିଶ୍ବନାଥପୁରର ସ୍ମାରକ ଶତପଥୀ, ଖୋର୍ଦ୍ଧା ଚନ୍ଦକାର ଶ୍ରୀନିବାସ ମହାନ୍ତି ଓରଫ ସିନୁ, ଗଂଜାମର ମିଥୁନ ବିଶୋଇ ଓ ଅମିନ ସାହୁ।
ପୁଲିସ୍ ସୂଚନାନୁଯାୟୀ, ଅଭିଯୁକ୍ତମାନେ ଯାଁଳା ଛକ, ଜଟଣୀ, ଭରତପୁର, ମଞ୍ଚେଶ୍ବର, ଇନ୍ଫୋଭ୍ୟାଲି, ଖଣ୍ଡଗିରି ପ୍ରମୁଖ ଥାନା ଅଞ୍ଚଳରୁ ବହୁ ବାଇକ୍ ଲୁଟ୍ କରିଥିଲେ। କେବଳ ଭରତପୁର ଓ ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରୁ ଗୋଟିଏ ମାସରେ ୧୯ଟି ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଚୋରି ପରେ ଲୁଟେରାମାନେ ବାଇକ୍ଗୁଡ଼ିକୁ ଗଂଜାମ, ଖଲ୍ଲିକୋଟ ଅଞ୍ଚଳରେ ବିକି ଦେଉଥିଲେ। ଏମିତି ଏକାଧିକ ଘଟଣା ନଜରକୁ ଆସିବାରୁ ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ କରି ଗଂଜାମ ଅଞ୍ଚଳରୁ ୪ଟି ବାଇକ୍ ଉଦ୍ଧାର କରିଥିଲା।
ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ୍ ଥିଲା ପୁରୀ ଗଡ଼ିଶଗୋଦାସ୍ଥିତ ବିନ୍ଦିପୁର ଗାଁର ପ୍ରଦୀପ ପାଇକରାୟ। ସେ ନିକଟରେ ଜେଲ୍ରୁ ବାହାରିଥିବା ବେଳେ ତା’ର ପୁରୁଣା ଗୋଷ୍ଠୀକୁ ଧରି ରାଜଧାନୀରେ ବାଇକ୍ ଲୁଟ୍ କରୁଥିଲା। ଗଂଜାମର ଅମିନ ଓ ମିଥୁନ୍ ଚୋରା ବାଇକ୍କୁ ଖଲ୍ଲିକୋଟ ଅଞ୍ଚଳରେ କମ୍ ଦାମରେ ବିକ୍ରି କରୁଥିଲେ। ନଚେତ୍ କବାଡ଼ିଆ ଦୋକାନରେ କାଟି ପାର୍ଟ୍ସ ବିକ୍ରି କରୁଥିଲେ। ସମସ୍ତ ଅଭିଯୁକ୍ତ ପେସାଦାର ଲୁଟେରା ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ ଏହି ଗ୍ୟାଙ୍ଗ୍ର ଆହୁରି ଅନେକ ସଦସ୍ୟ ଫେରାର୍ ଥିବା ପୁଲିସ ସୂଚନା ଦେଇଛି। ଅପରପକ୍ଷରେ ଲୁଟ୍ ହୋଇଥିବା ବାଇକ୍ରୁ ପ୍ରାୟ ୧୫ଟି ବାଇକ୍ ଆଜି ଡିସିପି କାର୍ଯ୍ୟାଳୟରେ ବାଇକ୍ ମେଳା କରି ମାଲିକମାନଙ୍କୁ ଫେରସ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/49.jpg)