୪ଜଣଙ୍କୁ କଳାଶ୍ରୀ ଓ ୩ଜଣଙ୍କୁ ଭୁବନେଶ୍ୱର କଳା ସମ୍ମାନ

ଅନ୍ତର୍ଜାତୀୟ କଳା ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର: ଧଉଳି ଶାନ୍ତିସ୍ତୂପଠାରେ ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ଧଉଳି କଳା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ. କମଲକାନ୍ତ ମିଶ୍ର, ସମ୍ମାନିତ ଅତିଥି ଭାବେ ବି.କେ. ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ଅଲେଖ ଚରଣ ସାହୁ, ବିଜେଇଏମ୍‌ ସ୍କୁଲ୍‌ ସତ୍ୟଭାମାପୁରର ଅଧ୍ୟକ୍ଷା କ୍ଷଣିକା ଦାସ, ନିରଞ୍ଜନ ମହାନ୍ତି, ବିଶିଷ୍ଟ ଫଟୋଗ୍ରାଫର ପ୍ରଫୁଲ୍ଲ ଧୀର ପ୍ରମୁଖ ଯୋଗଦେଇ ଶାନ୍ତିସ୍ତୂପ ପରିସରରେ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଶିଳ୍ପୀ ଡ. ଚକ୍ରଧର ବେହେରା, ଦେବାର୍ଚ୍ଚନ ରାଉତ ଓ ରବୀନ୍ଦ୍ର ମହାରଣାଙ୍କୁ ସମ୍ମାନିତ କରାଯିବା ସହ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉତ୍କୃଷ୍ଟ କଳାକୃତି ପାଇଁ ପୁରସ୍କୃତ କରାଯାଇଥିଲା। ଉତ୍ସବ କମିଟିର ଚେୟାରମ୍ୟାନ ପ୍ରଫେସର ଡ. ହୃଷୀକେଶ ମିଶ୍ର ଅଧ୍ୟକ୍ଷତା କରିବା ସହ ସମ୍ପାଦକ ମିହିରକାନ୍ତ ପ୍ରହରାଜ ଧନ୍ୟବାଦ ଓ ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍ସବର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ, ସମ୍ମାନିତ ଅତିଥି ରାମହରି ଜେନା, ରବିନାରାୟଣ ରଥ ପ୍ରମୁଖ କଳାର ପ୍ରଚାର ଓ ପ୍ରସାର ସହିତ କଳା ଓ କଳାକାରଙ୍କୁ ସମ୍ମାନ ପ୍ରଦାନ କରୁଥିବାରୁ ଧଉଳି ଚାରୁକଳା ମହାବିଦ୍ୟାଳୟକୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ବିଶିଷ୍ଟ ଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର, ଜୟନ୍ତ କୁମାର ଦାସ, ଗୌରାଙ୍ଗ ବାରିକ ଓ ଓଡ଼ିଶା ଲଳିତ କଳା ଏକାଡେମିର ସମ୍ପାଦକ ମାନସ ରଞ୍ଜନ ଜେନାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ କଳାଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଡ. ସୁଚେତା ପ୍ରିୟବାଦିନୀ, ଜୟା ଜେନା ଓ ବିକ୍ରମ କେଶରୀ ରାଉତରାୟଙ୍କୁ ଭୁବନେଶ୍ୱର କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍ସବ ଅବସରରେ ଜାତୀୟସ୍ତରର ଶିଳ୍ପୀମାନେ ଧଉଳିର ପ୍ରାକୃତିକ ପରିବେଶ ମଧ୍ୟରେ ନିଜ ନିଜ କାନ୍‌ଭାସ୍‌ରେ ସୃଜନଶୀଳ ଚିତ୍ରକଳାର ପରିସ୍ଫୁଟନ କରିଥିଲେ। ସେମାନେ ହେଲେ ହାଇଦ୍ରାବାଦରୁ ଏମ୍‌. ରମେଶ, ବାଙ୍ଗାଲୋରରୁ ବି ଏନ୍‌ ହରିପ୍ରସାଦ, ପଶ୍ଚିମ ବଙ୍ଗରୁ ଜୟନ୍ତ ଖାନ୍‌, ଅରୁଣ କୁମାର ଜାନା, ଝାଡ଼ଖଣ୍ଡରୁ ଡ଼. ପି ଏନ୍‌ ପାଣ୍ଡେ ଓ ଓଡ଼ିଶାରୁ ଦେବେନ୍ଦ୍ର ମହାରଣା, ପି.ବି. ଗଣେଶ ପ୍ରମୁଖ। ଅପରାହ୍ଣରେ ଗୋବର କଣ୍ଢେଇ କର୍ମଶାଳା ଆୟୋଜିତ ହୋଇଥିଲା। ତୃତୀୟ ଦିନରେ ଜାତୀୟସ୍ତରୀୟ ଶିଳ୍ପୀ ସର୍ଫୁଦ୍ଦିନ ଅହମ୍ମଦଙ୍କ ଦ୍ୱାରା ଜଳରଙ୍ଗ ଚିତ୍ରର ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଯାହାକି ଶିଳ୍ପୀମାନଙ୍କୁ ଖୁବ୍‌ ଉତ୍ସାହିତ କରିଥିଲା।

ସମ୍ବନ୍ଧିତ ଖବର