ଭୁବନେଶ୍ୱର: ୨୦୧୮ ମେ’ ମାସ ସୁଦ୍ଧା ଜୈବ ବିବିଧତା ପରିଚାଳନା ସମିତି (ବିଏମ୍ସି) ସାରା ରାଜ୍ୟରେ ପଞ୍ଚାୟତସ୍ତରରେ ୪୭ଟି ଜୈବ ବିବିଧତା ପଞ୍ଜିକା ପ୍ରସ୍ତୁତ କରିଛି। ଆଉ ୫୪ଟି ପଞ୍ଜିକାର ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଏଥିସହ ଓଡ଼ିଶାରେ ଭରି ରହିଥିବା ଜୈବ ବିବିଧତାର ସଂରକ୍ଷଣ ଓ ବିକାଶ ଦିଗରେ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି। ଗତ ୨ ବର୍ଷ ମଧ୍ୟରେ ଓଡ଼ିଶାରେ ୮୮୫ ବର୍ଗ କିମି ଜଙ୍ଗଲ ବଢ଼ିଛି। ଏହାକୁ ଆଗକୁ ନେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଓଡ଼ିଶା ଜୈବ ବିବିଧତା ପରିଷଦ ପକ୍ଷରୁ ଆଜି ଆୟୋଜିତ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଶିରିପୁରସ୍ଥିତ ଇମେଜ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ. ଆର.ସି. ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୈବ ବିବିଧତା କିଭଳି ନଷ୍ଟ ନେଉଛି, ତାହା ଉପରେ ମତବ୍ୟକ୍ତ କରିଥିଲେ। ପରିଷଦର ସଦସ୍ୟ ସଚିବ ଏଚ୍.ସି. ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇ କହିଲେ, ଜୈବ ବିବିଧତା ସମିତି ସଦସ୍ୟଙ୍କ ପାଇଁ ପରିଷଦ ପକ୍ଷରୁ ୧୭ଟି ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ହୋଇଛି। ଏହା ମାଧ୍ୟମରେ ୧୫୦ଟି ଜୈବ ବିବିଧତା ପରିଚାଳନା ସମିତିର ଏକ ହଜାର ସଦସ୍ୟଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଯାଇଛି। ଏଥିପାଇଁ ବୋର୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯାଇଥିବା ନେଇ ସେ କହିଥିଲେ। ପରିଷଦର ଅଧ୍ୟକ୍ଷ ଅଜୟ କୁମାର ମହାପାତ୍ର ଯୋଗଦେଇ ବିଭିନ୍ନ ସମୟରେ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଷଦର ବୈଜ୍ଞାନିକ ଡ. ପ୍ରସାଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡ. ଶୁଭ୍ରାଶୁଂ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମଣ୍ଡାସାରୁ ଉପରେ ପ୍ରସ୍ତୁତ ଏକ ପୁସ୍ତିକା ସମେତ ‘ଦି େଓ୍ଵଲଥ୍ ଅଫ୍ ବାୟୋଲୋଜିକାଲ ଡାଇଭରସିଟି’ ଓ ଜୈବ ବିବିଧତା ସମ୍ମେଳନର ୨୫ ବର୍ଷ ପୂର୍ତ୍ତି ଉତ୍ସବ’ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ
/sambad/media/post_attachments/wp-content/uploads/2018/05/m22-1.jpg)