ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଓଡ଼ିଆ ଶିଳ୍ପୀ ପଞ୍ଚାନନ ସାମଲ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ନେପାଳର ରାଜଧାନୀ କାଠମାଣ୍ଡୁଠାରେ ‘ନେପାଳ ଆର୍ଟ କାଉନ୍‌ସିଲ୍‌’ ଆନୁକୂଲ୍ୟରେ ‘ଦି ହରାଇଜନ୍‌ ଅଫ୍‌ କ୍ରିଏସନ୍‌’ ଶୀର୍ଷକ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାରୁ ଚିତ୍ରଶିଳ୍ପୀ ତଥା ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ଅଂଶଗ୍ରହଣ କରି ନିଜର ସୃଜନଶୀଳ ଚିତ୍ର ସମୂହର ପ୍ରଦର୍ଶନ କରିଥିଲେ। ଅକ୍ଟୋବର ୧୧ରୁ ୧୫ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରଦର୍ଶନୀରେ ନେପାଳ ଓ ଭାରତର ସଂସ୍କୃତି ଉପରେ ଆଧାରିତ ଅନେକ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଓଡ଼ିଶାରୁ ନିମନ୍ତ୍ରିତ ଶିଳ୍ପୀ ପଞ୍ଚାନନ ସାମଲ, ହାଇଦ୍ରାବାଦରୁ ଏମ୍‌. ରମେଶ ଓ ବାଙ୍ଗାଲୋରରୁ ବି.ଏନ୍‌. ହରି ପ୍ରସାଦଙ୍କୁ ନେପାଳ ଆର୍ଟ କାଉନ୍‌ସିଲର ସଦସ୍ୟ ତଥା କାଠମାଣ୍ଡୁର ବିଶିଷ୍ଟ ଚିତ୍ର ଶିଳ୍ପୀ କିରନ୍‌ ମନନ୍ଧର ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ପ୍ରଦର୍ଶନୀ ନେପାଳ ଓ ଭାରତୀୟ ସଂସ୍କୃତି ସହ ବିଶ୍ୱ ଏ୍ୟତିହ୍ୟର ବାର୍ତ୍ତାବହ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ନେପାଳର ବହୁ ବିଶିଷ୍ଟ ଚିତ୍ରଶିଳ୍ପୀ, ସଂସ୍କୃତିପ୍ରେମୀ ଓ କଳାନୁରାଗୀ ଉପସ୍ଥିତ ରହି ପ୍ରଦର୍ଶିତ ଚିତ୍ରଗୁଡ଼ିକର ସମୀକ୍ଷା କରିବା ସହ ଶିଳ୍ପୀଙ୍କୁ ପ୍ରଶଂସା କରିଥିଲେ ।

ସମ୍ବନ୍ଧିତ ଖବର