ଭୁବନେଶ୍ୱର (ସସ୍ମିତା ମଲ୍ଲ): ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ରହିଛି ପାଖାପାଖି ୪୦ ଲକ୍ଷ। ଏହା ରାଜ୍ୟର ଲୋକସଂଖ୍ୟାର ୯.୫ ପ୍ରତିଶତ। ୨୦୨୬ ମସିହା ବେଳକୁ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୬୨ଲକ୍ଷ ଟପିଯିବ ବୋଲି ଆକଳନ କରାଯାଉଛି। ବର୍ତ୍ତମାନର ହିସାବ ଅନୁଯାୟୀ ରାଜ୍ୟର ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୮୦ପ୍ରତିଶତରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବାସ କରୁଛନ୍ତି। ତାହା ସତ୍ତ୍ବେ ସହରାଞ୍ଚଳରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ନିଜ ପୁଅ, ଝିଅଙ୍କ ସହ ରହିବା ପାଇଁ ହେଉ କି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ହେଉ, ବରିଷ୍ଠ ନାଗରିକମାନେ ସହରରେ ରହିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ସେଥିପାଇଁ ରାଜଧାନୀରେ ଗତ କିଛି ବର୍ଷ ଭିତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେମାନଙ୍କ ସଂଖ୍ୟା ବଢ଼ିବା ସହ ସମସ୍ୟା ବି କିଛି କମ୍ ନାହିଁ। ନିରାଶ୍ରୟ ବୃଦ୍ଧ, ବୃଦ୍ଧାଙ୍କ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଅଣ୍ଟା ଭିଡ଼ୁଛନ୍ତି। କିଛି ସ୍ଥାନରେ ଜରାଶ୍ରମ ଖୋଲାଯିବା ସହ ସେମାନଙ୍କ ସେବାଯତ୍ନ ପାଇଁ ଅସ୍ଥାୟୀ କେନ୍ଦ୍ର ବି ଖୋଲାଯାଉଛି। ତେବେ ଘରେ ପରିବାର ସହ କିମ୍ବା ଏକା ରହୁଥିବା ବରିଷ୍ଠ ନାଗରିକମାନେ ଭିନ୍ନ ପ୍ରକାର ସମସ୍ୟା ସାମ୍ନା କରୁଛନ୍ତି। ବ୍ୟସ୍ତବହୁଳ ଜୀବନରେ ପରିବାରର କନିଷ୍ଠ ସଦସ୍ୟମାନଙ୍କର ବରିଷ୍ଠମାନଙ୍କ ପାଇଁ ସମୟ ରହୁ ନାହିଁ। ବୟସ ଅଧିକ ହୋଇଥିବାରୁ ସେମାନେ ଏକା ଏକା ବାହାରକୁ ଯାଇ ବୁଲାବୁଲି କରିପାରୁ ନାହାନ୍ତି। ନିଃସଙ୍ଗତା ଏଡ଼ାଇବା ପାଇଁ ସହରର କିଛି ସ୍ଥାନରେ ସେମାନେ ଏକାଠି ହୋଇ ବ୍ୟାୟାମ କରିବା ସହ ଦୀର୍ଘ ସମୟ ଧରି ଖଟି ଜମାଉଥିବାର ଲକ୍ଷ୍ୟ କରାଯାଉଛି। ତେବେ ଭୁବନେଶ୍ବର ଆଧୁନିକତା ଆଡ଼କୁ ମୁହାଁଉଥିଲା ବେଳେ ବରିଷ୍ଠ ନାଗରିକମାନଙ୍କ ସ୍ଥାନ ସେଥିରେ କେଉଁଠି ରହିବ, ସେ ନେଇ ଏ ପର୍ଯ୍ୟନ୍ତ ସରକାର ଓ ବିଏମ୍ସି କତ୍ତୃର୍ପକ୍ଷ ଗୁରୁତର ସହ ଚିନ୍ତା କରି ନ ଥିବା ଅଭିଯୋଗ ହେଉଛି।
ଏହା ବାଦ୍ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ବି ଶତପ୍ରତିଶତ ନିଶ୍ଚିତ ହେଉ ନାହିଁ। ସେମାନଙ୍କୁ ହଇରାଣ ହରକତ କରିବା ସହ ଲୁଟ୍ ବି ହେଉଛି। ପୁଲିସ୍ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କୁହାଯାଉଥିଲେ ବି ବାସ୍ତବ କ୍ଷେତ୍ରରେ ଏତେଟା ସୁଫଳ ମିଳି ପାରି ନାହିଁ। ବହୁ ସମୟରେ ସେମାନଙ୍କ ସୁରକ୍ଷା େନଇ ସହରର ବିଭିନ୍ନ କୋଣରୁ ଅଭିଯୋଗ ଆସୁଥିବା ଦେଖାଯାଉଛି।
ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ଅସୁବିଧାକୁ ଲକ୍ଷ୍ୟରେ ରଖି ମିଳିତ ଜାତିସଂଘର ନିଷ୍ପତ୍ତିକ୍ରମେ ପ୍ରତି ବର୍ଷ ଅକ୍ଟୋବର ୧କୁ ‘ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ’ ଭାବେ ପାଳନ କରାଯାଉଛି। ସରକାର, ସ୍ବେଚ୍ଛାସେବୀ ସଂସ୍ଥା, ପରିବାରର ସଦସ୍ୟମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସୂଚାଇଦେଉଛି ଏହି ଦିବସ। ରାଜ୍ୟ ସରକାର ମଧ୍ୟ ‘ବରିଷ୍ଠ ନାଗରିକ ନୀତି-୨୦୧୬’ ପ୍ରଣୟନ କରିଛନ୍ତି। ଉଦ୍ଦେଶ୍ୟ ହେଉଛି, ବରିଷ୍ଠ ନାଗରିକମାନଙ୍କ ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ସେବା, ଖାଦ୍ୟ, ବାସଗୃହ, ଅବସର ବିନୋଦନ ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାକୁ ଶତ ପ୍ରତିଶତ ନିଶ୍ଚିତ କରିବା। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇ ନ ଥିବାରୁ ବରିଷ୍ଠ ନାଗରିକମାନଙ୍କ ସମସ୍ୟାର ଆଖିଦୃଶିଆ ସମାଧାନ ହୋଇପାରି ନାହିଁ।
ସୁରକ୍ଷାକୁ ପ୍ରାଥମିକତା : ପୁଲିସ୍ କମିସନର୍
ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ ‘ସିନିୟର ସିଟିଜେନ୍ ସେଲ୍’ କାମ କରୁଛି। ପ୍ରତ୍ୟେକ ଥାନାରେ ଜଣେ ଜଣେ ନୋଡାଲ ଅଫିସର୍ଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ସେମାେନ ତାଙ୍କ ଥାନା ଅଧୀନରେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ପଞ୍ଜୀକୃତ କରାଇବା ସହ ସେମାନଙ୍କ ସୁଖ, ଦୁଃଖ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏବେ ବରିଷ୍ଠ ନାଗରିକମାନେ ଅନ୍ଲାଇନ ମାଧ୍ୟମରେ ସେମାନଙ୍କ ନାମ ପଞ୍ଜୀକରଣ କରାଇପାରିବେ। ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ କମିସନରେଟ୍ ପୁଲିସ ପ୍ରାଥମିକତା ଦେଉଥିବା ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।