ଭୁବନେଶ୍ୱର: ଆୟୁର୍ବେଦିକ ଔଷଧ ଏବଂ ଔଷଧୀୟ ବୃକ୍ଷର ଭରପୂର ସମ୍ଭାରକୁ ନେଇ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍‌ ମେଳା। ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ଏହି ୧୧ତମ ମେଳାରେ ୧୨୦ଟି ଷ୍ଟଲ୍‌ ଖୋଲିଛି। ଏଥିରେ ରାଜ୍ୟ ସମେତ ରାଜ୍ୟ ବାହାରର ୧୨ଟି ଷ୍ଟଲ୍‌ରେ ଅଭିଜ୍ଞ ବୈଦ୍ୟ, କବିରାଜ, ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି ଏବଂ ରାଜ୍ୟ ବାହାରୁ ନାମିଦାମୀ ଆୟୁର୍ବେଦ ଔଷଧ ପ୍ରସ୍ତୁତକାରୀ କମ୍ପାନି ଅଂଶଗ୍ରହଣ କରିଛନ୍ତି।

Advertisment

ଆଜି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମେଳାକୁ ଉଦ୍‌ଘାଟନ କରି କହିଲେ, ଜନସାଧାରଣଙ୍କୁ ଆୟୁର୍ବେଦିକ ଔଷଧ ସହ ଅଭ୍ୟସ୍ତ କରାଇବା ଓ ଯୋଡ଼ିବା ଏହି ମେଳାର ଆଭିମୁଖ୍ୟ। ମେଳା ପ୍ରତିବର୍ଷ ଆଶାତୀତ ସଫଳତା ହାସଲ କରୁଥିବା ବେଳେ ପ୍ରତିବର୍ଷ ଏଠାକୁ ଲୋକଙ୍କ ଆଗମନ ହାର ବଢ଼ିବାରେ ଲାଗିଛି ବୋଲି ସେ କହିଥିଲେ। ତେଣୁ ଆସନ୍ତା ବର୍ଷ ମାର୍ଚ ମାସ ମଧ୍ୟରେ ବୌଦ୍ଧ, ପାରଳାଖେମୁଣ୍ଡି, ବରଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, ଓ ଭଦ୍ରକଠାରେ ଆଞ୍ଚଳିକ ସ୍ତରରେ ହର୍ବାଲ ମେଳା ଆୟୋଜନ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ।

ଏହି ମେଳାରେ ସର୍ବସାଧାରଣଙ୍କ ନିମନ୍ତେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା, ବୟସ୍କ ନାଗରିକଙ୍କ ଦୁରାରୋଗ୍ୟ ବ୍ୟାଧି, ମଧୁମେହ, ସ୍ତ୍ରୀ ରୋଗ, ଉଚ୍ଚ ରକ୍ତଚାପ ଓ ଚର୍ମରୋଗ ଆଦି ଉପରେ ଆଲୋଚନାଚକ୍ର, ବୈଦ୍ୟ ସମ୍ମିଳନୀ, କର୍ମଶାଳା, ୟୁନାନି ଏବଂ ହୋମିଓପାଥି ଡାକ୍ତରମାନଙ୍କର ସମ୍ମିଳନୀ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ପ୍ରଥମଥର ପାଇଁ ଏହି ମେଳା ମଧ୍ୟରେ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏହି ଅବସରରେ କେତେକ ଔଷଧୀୟ ଉଦ୍ଦିଦ ଚାଷୀ ଉତ୍ସାହୀ ଜନସାଧାରଣଙ୍କୁ ଔଷଧୀୟ ଉଦ୍ଦିଦ ତଥା ଚାରା ପ୍ରସ୍ତୁତି ଓ ଚାଷ ସମ୍ବନ୍ଧରେ ଅବଗତ କରାଇବେ ବୋଲି ରାଜ୍ୟ ଔଷଧୀୟ ଉଦ୍ଦିଦ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁରେନ୍ଦ୍ର ପ୍ରସାଦ ମହାପାତ୍ର କହିଛନ୍ତି। ମେଳା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଉତ୍ସାହୀ ବ୍ୟକ୍ତିବିଶେଷ ଦିନ ୧୨ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ମେଳା ପରିଦର୍ଶନ କରିପାରିବେ।