ଭୁବନେଶ୍ବର: ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖିବାକୁ ପିଲାଦିନେ ଶ୍ରୀମନ୍ଦିର ଯାଇଥିଲୁ। ପ୍ରବଳ ଭିଡ଼ ଯୋଗୁ ଠିକ୍ ଭାବରେ ଦର୍ଶନ ହୋଇପାରିନଥିଲୁ। ଆଜି ତିନିଠାକୁରଙ୍କ ବିରଳ ନାଗାର୍ଜୁନ ବେଶ ଅତି ପ୍ରାଞ୍ଜଳ ଭାବେ ଦେଖିପାରୁଛୁ। ଠାକୁରଙ୍କ ଏହି ବେଶ ଦେଖି ଆତ୍ମତୃପ୍ତ ହୋଇଛି। ଉତ୍କଳମଣ୍ଡପରେ ଆୟୋଜିତ ‘ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ’ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ ଯୋଗଦେଇ ଏଭଳି କହିଛନ୍ତି। ଆଖିରେ ଭକ୍ତିଭାବ ଥାଇ ଦୁଇହାତ ଉପରକୁ ଟେକିଦେଇ ଜୟ ଜଗନ୍ନାଥ ଧ୍ବନିରେ ଉତ୍କଳ ମଣ୍ଡପ ପରିସର କମ୍ପିଉଠିଥିଲା। ଆଜି ଉଦ୍ଯାପନୀ ସମାରୋହରେ ବହୁ ମହିଳା ଓ ପୁରୁଷ ଉପସ୍ଥିତ ରହି ଠାକୁରଙ୍କ ଆଳତି କରିଥିଲେ। ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇ ମହାପ୍ରଭୁଙ୍କ ଅବିକଳ ପ୍ରତିମୂର୍ତ୍ତି ଦର୍ଶନ କରିଛନ୍ତି।
ପ୍ରଦର୍ଶନୀର ବିଶେଷ ଆକର୍ଷଣରେ ରହିଥିଲା ମହାପ୍ରଭୁଙ୍କ ଅଙ୍ଗଲାଗି ବସ୍ତ୍ର। ଏଥିରେ ମହାପ୍ରଭୁ କେଉଁ ବାରରେ କେଉଁ ବସ୍ତ୍ର ପିନ୍ଧନ୍ତି ସେସବୁର ତଥ୍ୟ ରହିବା ସହିତ ଅଣସର ଗୃହରେ ରହିବା ସମୟରେ କ’ଣ ସବୁ ବସ୍ତ୍ର ଓ ସାମଗ୍ରୀ ବ୍ୟବହାର ହୋଇଥାଏ ତାହାର ବିବରଣୀ ଦେଖିବାକୁ ମିଳିଥିଲା। ଶ୍ରୀମୁଖ ଓତା, ନିଉଛାଳି, ବୋଇରାଣି ଶାଢ଼ି, ନେତଖଣ୍ଡୁଆ, ଖସାପଡ଼ା, ରକ୍ତବସ୍ତ୍ର, ଟଣାଖସା, ନେତଫୁଟା, ପଇତା, ତଡ଼ପ ଉତ୍ତରୀ, ସାତବାରରେ ବ୍ୟବହୃତ ସାତ ରଙ୍ଗର ବସ୍ତ୍ର, ପଗଡ଼ି, ରଥଯାତ୍ରା ସମୟରେ ବ୍ୟବହୃତ ବିଜେ ଡୋରି ଆଦି ପ୍ରଦର୍ଶିତ ହୋଇଥିଲା। ଏଥିସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ବହୁ ପୁସ୍ତକ ପ୍ରଦର୍ଶିତ ହୋଇଥିଲା।
ଶ୍ରୀଜଗନ୍ନାଥ ଚେତନା ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀର କଟକଜିଲ୍ଲା ସଂଗଠକ ତରଣୀସେନ ଲେଙ୍କା କୁହନ୍ତି, ମହାପ୍ରଭୁ ହେଉଛନ୍ତି ଭକ୍ତବାନ୍ଧବ। ବିଭିନ୍ନ ବେଶ ଧାରଣ କରି ସେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ନାଗାର୍ଜୁନ ବେଶ ପଛରେ ମଧ୍ୟ ପୌରାଣିକ କିଂବଦନ୍ତି ରହିଛି। ତୃତୀୟ ପାଣ୍ଡବ ଯେତେବେଳେ ପାତାଳକନ୍ୟା ନାଗାବଳୀଙ୍କୁ ବିବାହ କରିଥିଲେ, ହସ୍ତିନାପୁରକୁ ଫେରିଯିବା ସମୟରେ ପୁତ୍ର ହେଲେ ତା’ର ନାମ ନାଗାର୍ଜୁନ ନାମ ରଖିବାକୁ କହିଯାଇଥିଲେ। ଅର୍ଜୁନଙ୍କ ପୁତ୍ର ଭାବେ ଭଗବାନ ନିଜେ ନାଗାର୍ଜୁନ ଭାବେ ଜନ୍ମ ନେଇଥିଲେ।
ଯେଉଁ ବର୍ଷ ପଞ୍ଚୁକରେ ଛଅଦିନ ପଡ଼େ, ସେହିବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। ଶେଷଥର ଲାଗି ୨୦୨୧ ମସିହାରେ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ନାଗାର୍ଜୁନ ବେଶ ଅନୁଯାୟୀ ମହାପ୍ରଭୁଙ୍କ ନିକଟରେ ୨୨ ପ୍ରକାର ଉପକରଣ ଲାଗି ହୋଇଥିଲା। ଏଥିରେ ଢେଣୁ ବା ନାଗାତାଟି, ତେଣ୍ଟା, ତ୍ରିଶୂଳ, ବାନା, ଢେଣୁର ତୀରକାଠି, ମୟୂରଥୁଣ୍ଟା ଝୁମ୍ପା, ହାଣ୍ଡିଆ, ହାଣ୍ଡିଆର ଭଣ୍ଡିଫୁଲ, କଦମ୍ବକାଠି ଫୁଲ, ବାଘନଖ, ହତା, ଦାଢ଼ି, କାନଫୁଲ, କଟାରୀ, ରଞ୍ଜକଦାନି, ସିଙ୍ଗଡ଼ା, ବାଙ୍କଛୁରି, ଖଣ୍ଡା, ଢାଲ, ବାଘଛାଲ, ଓଳମାଳ, ନାକଚଣା ଆଦି ଲାଗି ହୋଇଥିଲା। ସେହି ଆଧାରରେ ଏହି ବେଶ ପ୍ରଦର୍ଶିତ ହୋଇଛି ବୋଲି ଶ୍ରୀ ଲେଙ୍କା କହିଛନ୍ତି।
ଭୁବନେଶ୍ବରରେ ରହୁଥିବା ଅରୁନ୍ଧତୀ ଦାଶ କୁହନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆମର ଇଷ୍ଟ। ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କେବେ ଦେଖିନଥିବାରୁ ମନରେ ଆଗ୍ରହ ରହିଥିଲା। ପିଲାମାନଙ୍କୁ ସାଥିରେ ଆଣି ଆସିଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହିତ ମହାପ୍ରଭୁଙ୍କ ବିଷୟରେ ବହୁ ଅଜଣା କଥା ଜାଣିବାକୁ ମିଳିଲା। ବିଶେଷକରି ଠାକୁରଙ୍କ ପିନ୍ଧାବସ୍ତ୍ର ଓ ବିଭିନ୍ନ ନୀତିରେ ବ୍ୟବହୃତ ସାମଗ୍ରୀ ଦେଖି ଖୁସି ଲାଗୁଛି। ଏଭଳି ପ୍ରଦର୍ଶନୀର ଯେତେ ବ୍ୟାପକ ପ୍ରଚାରପ୍ରସାର ହେବ, ଜନସାଧାରଣ ମହାପ୍ରଭୁଙ୍କ ସମ୍ପର୍କରେ ସେତେ ଅଧିକ ତଥ୍ୟ ପାଇପାରିବେ। ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟର ସାଧାରଣ ସମ୍ପାଦକ ନନ୍ଦକିଶୋର ଜେନା କୁହନ୍ତି, ଏହି ନାଗାର୍ଜୁନ ବେଶ ବିରଳ ବେଶ। ଯେଉଁ ବେଶ ବାବଦରେ ଶ୍ରଦ୍ଧାଳୁମାନେ ଅବଗତ ନଥାନ୍ତି, ସେହି ବେଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଟ୍ରଷ୍ଟ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ନାଗାର୍ଜୁନ ବେଶ ଦର୍ଶନ କରିଛନ୍ତି। ଟ୍ରଷ୍ଟ ତରଫରୁ ଆଗକୁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଜାରିରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/shfhfhhf-2025-10-27-02-17-28.jpg)