ଭୁବନେଶ୍ବର: କେଉଁଠି ଗୋଲାପ ଶୋଭା ପାଉଛି। ତ ଆଉ କେଉଁଠି ଡାଲିଆ। ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ୍, ଗ୍ଲାଡିଓଲି, ଆଷ୍ଟ୍ରରିୟମ, ସାଲଭିଆ, ଆଣ୍ଟିରିନିଅମ୍ ପରି ଅନେକ କିସମ ଫୁଲର ସମାହାର ହୋଇଛି। କେବଳ ଫୁଲ ନୁହେଁ, ବିଭିନ୍ନ କିସମର ପତ୍ର ଗଛ ଯଥା ଫଣି, ଆଗ୍ଲୋନିମା, ପାମ୍, ଡାଇଫେନ୍ବେକିଆ, ଫିଲୋଡେଣ୍ଡ୍ରନ୍ ଆଦି ଦେଖିବାକୁ ମିଳୁଛି। ବିଭିନ୍ନ ରଙ୍ଗ ଓ କିସମ ଫୁଲରେ ସଜେଇ ହୋଇଛି ଏକାମ୍ରକାନନ। ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍ଘାଟନୀ ଦିନରୁ ହିଁ ଦେଖଣାହାରୀଙ୍କ ମନ ଜିଣିନେଇଛି ଏକାମ୍ରକାନନ।
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ୭୦ ଦେଶର ପ୍ରତିନିଧି ଯୋଗଦେବେ। ସେମାନଙ୍କୁ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ସମ୍ପର୍କରେ ଅବଗତ କରାଇବାକୁ ୩୧ଟି ଆଇକନିକ୍ ସ୍ଥଳ ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ଏହି ପ୍ରଦର୍ଶନୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପୁଷ୍ପ ପ୍ରଦର୍ଶନୀର ବିଭିନ୍ନ ବିଭାଗରେ ଉତ୍ତମ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରିବାକୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କରିଥିଲେ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବ।ହୀ ସୁରେଶ କୁମାର ପନ୍ତ, ପ୍ରଶାସନିକ ଅଧିକାରୀ ଋତୁପର୍ଣ୍ଣା ମହାପାତ୍ର, ପ୍ଲାଣ୍ଟ ଲଭର୍ସ ଆସୋସିଏସନ ସଭାପତି କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ୨୦୨୪-୨୫ ବର୍ଷର ବାର୍ଷିକ ଗବେଷଣା ରିପୋର୍ଟ ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ପକ୍ଷରୁ ପ୍ରକାଶିତ ‘ସବୁଜିମା’ ପତ୍ରିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ୧୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ।