ଜଟଣୀ: ଆଜି ବେଣାପଞ୍ଜରୀ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିଆବିଲି ସେତୁର ଶିଳାନ୍ୟାସ ପର୍ବରେ ବଡ଼ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜେଡି ପକ୍ଷରୁ ଶିଳାନ୍ୟାସ କରାଯିବାର ୨ ଘଣ୍ଟା ପରେ କଂଗ୍ରେସ ପକ୍ଷରୁ ପୁଣି ଥରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସାଧାରଣ ନିର୍ବାଚନ ମାହୋଲ ସରଗରମ ହେବାକୁ ବସିଥିବା ବେଳେ ଦୁଇ ଦଳ ଏହି ସେତୁ ନିର୍ମାଣର ଶ୍ରେୟ ନେବାକୁ ଏଭଳି କାର୍ଯ୍ୟକ୍ରମ କରିଥିବା ଚର୍ଚ୍ଚା ଜୋର୍‌ ଧରିଛି। ସକାଳେ ଜଟଣୀ ବ୍ଲକ୍‌ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ ବେଣାପଞ୍ଜରୀ ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ପାଣ୍ଡିଆବିଲି ଗ୍ରାମବାସୀମାନଙ୍କୁ ସାଙ୍ଗରେ ନେଇ ନଡ଼ିଆ ବାଡ଼େଇ ଶିଳାନ୍ୟାସ କରିଥିଲେ। ଏହାର ଠିକ୍‌ ୨ ଘଣ୍ଟା ପରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ମନ୍ମଥ ରାଉତରାୟ ନିଜ କର୍ମୀମାନଙ୍କୁ ଧରି ପୁଣି ସେହି ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବର୍ଷା ଋତୁରେ ଏହି ନଦୀ ଘାଟରେ ଡଙ୍ଗା ପକାଇବାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଯୋଗିତା ଯେମିତି ରୋଚକ ସ୍ଥିତି ସୃଷ୍ଟି କରେ, ଆଜି ସେମିତି ଦୁଇ ଦୁଇ ଥରର ଶିଳାନ୍ୟାସ ଜଟଣୀରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Advertisment

ଦୟା ଓ ରାଜୁଆ ନଦୀର ସଂଗମ ସ୍ଥଳରେ ନିର୍ମାଣ ହେବାକୁ ଥିବା ଏହି ସେତୁ ପାଇଁ ରାଜ୍ୟ ସରକାର ୧୫ କୋଟି ୧୦ ଲକ୍ଷ ୩୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ଏହି ବ୍ରିଜ୍‌ର ଲମ୍ବ ୧୫୦ ମିଟର ହେବ। ସୂଚନାଯୋଗ୍ୟ ଯେ ଯୁଗ ଯୁଗରୁ ଜଟଣୀ ବ୍ଲକ୍‌ର ପାଣ୍ଡିଆବିଲି ଗାଁଟି ଏକ ବିଚ୍ଛିନ୍ନାଞ୍ଚଳ ଭାବେ ଜଣାଶୁଣା। ବର୍ଷା ଦିନେ ନଦୀ ଶଯ୍ୟାରେ ହୋଇଥିବା ଅସ୍ଥାୟୀ ବନ୍ଧ ପାଣିରେ ବୋହିଯାଏ ଏବଂ ଡଙ୍ଗା ହିଁ ଯାତାୟାତର ଏକମାତ୍ର ବାଟ ହୋଇରହେ। ତେଣୁ ଏଠାରେ ଏକ ସେତୁ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହୋଇଆସୁଛି। ଏହି ସେତୁ ନିର୍ମାଣ ପରେ ପାଣ୍ଡିଆବିଲି ସମେତ ଡେଲାଙ୍ଗ ବ୍ଲକ୍‌ ଓ ଖୋର୍ଦ୍ଧା ବ୍ଲକ୍‌ର ବହୁ ଗାଁ ଜଟଣୀ ଦେଇ ରାଜଧାନୀକୁ କମ୍ ଦୂରତାରେ ଯୋଡ଼ି ହୋଇପାରିବେ।