ଭୁବନେଶ୍ବର: ଏକାମ୍ର ବିଧାୟକ ବାବୁ ସିଂହଙ୍କ ୫୩ ତମ ଜନ୍ମଦିନ ଆଜି ସମର୍ଥକମାନେ ପାଳନ କରିଛନ୍ତି। ସକାଳୁ ରାତି ଯାଏ ଅନେକ ସମର୍ଥକ ଓ ଶୁଭେଚ୍ଛୁ ଆସି ଶ୍ରୀ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ଏହି ଶୁଭେଚ୍ଛା ପର୍ବରେ କିଛି ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା। ଏହାକୁ ନେଇ ନିର୍ବାଚନମଣ୍ଡଳୀରେ ଖୁବ୍ ଚର୍ଚ୍ଚା ହେଉଛି। ଜନ୍ମଦିନରେ ବିଜେଡି ନେତା ସଂଗ୍ରାମ ପାଇକରାୟ, ବିରଞ୍ଚି ନାରାୟଣ ମହାସୁପକାରଙ୍କ ସହ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ସମେତ ଅନେକ ବିଜେଡି ସମର୍ଥକ ଫୁଲତୋଡ଼ା ଦେଇ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଉଲ୍ଲେଖନୀୟ କଥା ହେଉଛି, ଗତ ନିର୍ବାଚନ ପୂର୍ବରୁ ସଂଗ୍ରାମ ପାଇକରାୟ ଏକାମ୍ର ନିର୍ବାଚନ ମଣ୍ଡଳୀରେ ସାମାନ୍ତରାଳ ଭାବେ ବିଜେଡି ସଂଗଠନ କରିଥିଲେ। ଟିକେଟ ଆଶାୟୀ ଥିବା ଶ୍ରୀ ପାଇକରାୟଙ୍କୁ କିନ୍ତୁ ନିର୍ବାଚନ କିଛିଦିନ ପୂର୍ବରୁ ବିଜେଡି ପର୍ଯ୍ୟବେକ୍ଷକ କରି ଅନ୍ୟ ଜିଲ୍ଲାକୁ ପଠା ଯାଇଥିଲା।

Advertisment

ସେହିପରି ବିରଞ୍ଚି ନାରାୟଣ ମହାସୁପକାର ମଧ୍ୟ ଏକାମ୍ର ବିଜେଡି ଟିକେଟ ପାଇଁ ଜୋରଦାର୍‌ ପ୍ରୟାସ କରିଥିଲେ। ଏମିତିକି ବିଜେଡି ଟିକେଟ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ମିଳିବା ପରେ ମଧ୍ୟ ସେ କର୍ମୀ ସମ୍ମିଳନୀ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ସେହିପରି ମଧ୍ୟ ନିର୍ବାଚନରେ ବିଜେଡି ଟିକେଟ ଆଶାୟୀ ଥିଲେ ଅମରେଶ ଜେନା। ସେ ମଧ୍ୟ ଶ୍ରୀ ସୁପକାରଙ୍କ ସହ ନବୀନ ନିବାସ ଯାଇ ଟିକେଟ ଦାବି କରିଥିଲେ। ହେଲେ ବିଜେଡି ଦୁହିଁଙ୍କୁ ବୁଝାସୁଝା କରି କୌଣସିପ୍ରକାର ଚୁପ୍‌ କରାଇ ଦେଇଥିଲା। ତେଶୁ ନିର୍ବାଚନ ପରେ ଏବେ ବିଜେପି ଶିବିରରେ ଏହି ବିଜେଡି ନେତାଙ୍କୁ ଦେଖି ନାନା ଚର୍ଚ୍ଚା ଆଲୋଚନା ମୁଣ୍ଡ ଟେକିଛି।

ଅନ୍ୟପଟେ ବିଜେପିର ଯୁବନେତା ତଥା ବଡ଼ଗଡ଼ ଶ୍ରୀଗଣେଶ ମହୋତ୍ସବ କମିଟିର ସଭାପତି ସଂଗ୍ରାମ ମାର୍ଥାଙ୍କ ନେତୃତ୍ୱରେ ସକାଳେ ବିଧାୟକ ଶ୍ରୀ ସିଂହଙ୍କ ସମର୍ଥକ ଓ ପ୍ରଶଂସକମାନେ ଶ୍ରୀଲିଙ୍ଗରାଜ ମନ୍ଦିରରେ ୫୩ଟି ପ୍ରଦୀପ ପ୍ରଜ୍ଜ୍ବଳନ ସହ ଭୋଗ ଲଗାଇ ତାଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ। ମଧ୍ୟାହ୍ନରେ ୟୁନିଟ୍-୩ ରେ ଥିବା ଭୀମ ଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟରେ ଶ୍ରୀ ମାର୍ଥା ଓ ତାଙ୍କ ଯୁବଗୋଷ୍ଠୀ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ। ଏହାପରେ ବିପିନ ବିହାରୀ ଚୌଧୁରୀ ମୂକବଧିର ବିଦ୍ୟାଳୟରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ ଓ କର୍ମଚାରୀମାନଙ୍କୁ ଖାଦ୍ୟ ବିତରଣ କରିଥିଲେ। ଏଥିରେ ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ବାପି ବେଉରା, ଆଶିଷ ମହାନ୍ତି, ତପନ ବାରିକ, ଦେବରାଜ ମହାନ୍ତି, ଲଗ୍ନଜିତ୍ ମହାନ୍ତି, ଅଜୟ ବେହେରା, ରୋଶନ ସାହୁ, ସୁମିତ ପାତ୍ର, ସୋମୁ ମାନସିଂହ, ସୌମ୍ୟ ରଞ୍ଜନ ସେଠୀ ଓ ବ୍ରଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।