ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ହାଇଡ୍ରାମା ‌ଦେଖିବାକୁ ମିଳିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ହଟହଟା ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତିନିଦିନ ତଳେ ନିଲମ୍ବିତ ହୋଇଥିଲେ। ଏହା ସତ୍ତ୍ୱେ ରାଜ୍ୟ କାର୍ଯ୍ୟାଳୟକୁ ଆସି ଦଳ ବିରୋଧରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ଅଭିଯୋଗ କରି ବିଜେପି ମହିଳା ମୋର୍ଚ୍ଚାର କର୍ମୀ ତାଙ୍କୁ ଠେଲିଠେଲି ରାସ୍ତାରେ ଛାଡ଼ି ଦେଇଥିଲେ। ଯାହାକୁ ନେଇ ଶ୍ରୀମତୀ ମୁଣ୍ଡ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ‘ଏହା କ’ଣ ମହିଳାଙ୍କୁ ସମ୍ମାନ କି’ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଭୁବନେଶ୍ବର ସାଂସଦଙ୍କ ସହ ଦଳ ବିରୋଧୀ କାମ ପାଇଁ ନିଲମ୍ବନ ହୋଇଥିବା ନେତା ବିଜେପି କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ଦଳ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ଯେ ତୀବ୍ର ହୋଇଛି ଏହି ଘଟଣା ବୟାନ କରୁଛି। 

Advertisment

ସୁନୀତି ମୁଣ୍ଡ ଗତ ୨୦୨୨ ନିର୍ବାଚନରେ ବିଜେପି ମେୟର ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଏହାପରେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ସେ ସକ୍ରିୟ ଥିଲେ। ମୁଖ୍ୟତଃ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧିକାଂଶ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଥିଲା। କିନ୍ତୁ ହଠାତ୍‌ ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଗତ ୩୧ ତାରିଖରେ ନିଲମ୍ବନ କରିଥିଲେ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନ-୨୦୨୪ର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିପାଇଁ ସେଠାରେ ବେଶ୍ ଭିଡ଼ ଥିଲା। ନିଲମ୍ବନ ହୋଇଥିବା ସତ୍ତ୍ୱେ ସୁନୀତି ଆଜି ବିଜେପି କାର୍ଯ୍ୟାଳୟକୁ ଆସିଥିଲେ। କାର୍ଯ୍ୟକ୍ରମ ସରିବା ପରେ ସଭାପତିଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ହେଲେ ଭେଟିବା ସମ୍ଭବ ହୋଇନଥିଲା। ଦୀର୍ଘ ସମୟ ଗେଟ୍‌ ଫାଖରେ ଛିଡ଼ା ହେବା ପରେ ସେ ଗଣମାଧ୍ୟମକୁ ବାଇଟ୍‌ ଦେଇଥିଲେ। ହେଲେ ପଛ ପାଖରୁ କିଛି ମହିଳା ଗଣମାଧ୍ୟମ ବୁମ୍‌କୁ ଠେଲି ଦେଇ ସୁନୀତି ମୁଣ୍ଡଙ୍କୁ ଘେରାବନ୍ଦୀ କରି ଦେଇଥିଲେ। ଗୋଟିଏ ପଟେ ହାତ ଯୋଡ଼ି ବାହାରକୁ ଯିବାକୁ କହିଥିଲେ। ଅନ୍ୟପଟେ ଠେଲି ଠେଲି ଜୋର୍‌ ଜବରଦସ୍ତ ବିଜେପି ଅଫିସ୍‌ ବାହାରକୁ ବାହାର କରି ରାସ୍ତା ଉପରକୁ ନେଇ ଯାଇଥିଲେ। 

ଏନେଇ ସୁନୀତି କହିଛନ୍ତି, ମୁଁ ଦଳରେ ଅଛି। ମୋତେ ଦଳରୁ ବାହାର କରିବାକୁ କୁଚକ୍ରୀ ଗୋଷ୍ଠୀ ଷଡ଼ଯନ୍ତ୍ର କରିଛନ୍ତି। ନିଲମ୍ବନର ସତ ଜାଣିବାକୁ ରାଜ୍ୟ ସଭାପତିଙ୍କୁ ‌ଦେଖା କରିବାକୁ ଆସିଥିବା ବେଳେ ଆଜି କାର୍ଯ୍ୟାଳୟରୁ ଜଣେ ମହିଳାଙ୍କୁ ଧକ୍କା ମାରି ବାହାର କରିବା କ’ଣ ମହିଳାଙ୍କୁ ସମ୍ମାନ କି? ମୋ ନାମରେ ମିଛ ମାମଲା କରାଯାଇଛି। ଥାନାରେ ମାମଲା ରୁଜୁ ହେଲେ କଣ ଦଳୀୟ ଶୃଙ୍ଖଳା ଭଙ୍ଗ ହୁଏ କି? ବିଜେପି ସାଂସଦ ଓ ବିଧାୟକଙ୍କ ନାଁରେ ଅନେକ ଏତଲା ରହିଛି। ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ସୁନୀତି। 

ଅନ୍ୟପଟେ କିଛି ଦିନ ତଳେ ଖୋର୍ଦ୍ଧା ଜୟଦେବ ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମ ହୋଇଥିଲା। ଏଠାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକାଯାଇ ନଥିବାରୁ ସାଂସଦଙ୍କ କିଛି ସମର୍ଥକ ସେଠାରେ ହଟ୍ଟଗୋଳ କରିଥିଲେ। ଦଳୀୟ କାର୍ଯ୍ୟକ୍ରମରେ ବିଶୃଙ୍ଖଳିତ ଆଚରଣ ପାଇଁ ବିଜେପି ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ସଭାପତି ନିକୁଞ୍ଜ ପଟ୍ଟନାୟକଙ୍କ ସମେତ ମୋଟ ୫ ଜଣଙ୍କୁ ଗତ ଶନିବାର ରାଜ୍ୟ ସଭାପତି ଦଳରୁ ନିଲମ୍ବନ କରିଥିଲେ। ସୋମବାର ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନ୍‌ ହଲ୍‌ରେରେ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନେତୃତ୍ବରେ ହୋଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ ନିଲମ୍ବିତ ଦୁଇ ନେତା ନିକୁଞ୍ଜ ପଟ୍ଟନାୟକ ଓ ବିଦ୍ୟୁତ କାଣ୍ଡି ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ନିଲମ୍ବିତ ନେତାଙ୍କୁ ନେଇ ଅପରାଜିତା କିପରି ଦଳୀୟ ବୈଠକ କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।