ଅନ୍ତର୍ଜାତୀୟ ବିମାନବନ୍ଦର : ପୁରୀରେ ହେଲେ ଖୋର୍ଦ୍ଧାରେ ହେବନି!

ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ଲୋଡ଼ା ୨ହଜାର କୋଟି
ଭୁବନେଶ୍ବର ବିମାନବନ୍ଦରର ଅନ୍ତର୍ଜାତୀୟ ମାନ୍ୟତା କଟିପାରେ

ଭୁବନେଶ୍ବର, (ବିଶ୍ବଜିତ ଦାଶ) : ପୁରୀରେ ଅନ୍ତର୍ଜାତୀୟ ବିମାନ ଲାଗି ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବା ପରେ ପୂର୍ବରୁ ଖୋର୍ଦ୍ଧାରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ନେଇ ପ୍ରଶ୍ନ ଉଠିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଅନୁଯାୟୀ ଯଦି ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ହୁଏ ତେବେ ଖୋର୍ଦ୍ଧାରେ ଗ୍ରିନ୍‌ଫିଲ୍‌ଡ ଅନ୍ତର୍ଜାତୀୟ ବିମାନବନ୍ଦର ହେବ ନା ହେବନି?

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିୟମ ଅନୁଯାୟୀ ଅତି କମ୍‌ରେ ୧୫୦କିମି ଦୂରତାରେ ଗୋଟିଏ ବିମାନବନ୍ଦର ହୋଇପାରିବ। ଏହାଦ୍ବାରା ବିମାନ ଯାତ୍ରୀ ଜନିତ ସମସ୍ୟା ବିଶେଷ ରହିବନି। ଏହି କ୍ରମରେ ଭୁବନେଶ୍ବର ବିମାନବନ୍ଦରର ସମ୍ପ୍ରସାରଣ ଆବଶ୍ୟକ ଥିବାରୁ ଭୁବନେଶ୍ବର ନିକଟବର୍ତ୍ତୀ କୌଣସି ସ୍ଥାନରେ ଏକ ବିମାନବନ୍ଦର ହେବା କଥା। ହେଲେ ନୂଆ ପ୍ରସ୍ତାବ ପରେ ଦ୍ବନ୍ଦ୍ବ ସୃଷ୍ଟି ହେଲାଣି ଯେ ଖୋର୍ଦ୍ଧାରେ ଓ ପୁରୀରେ କ’ଣ ଦୁଇଟି ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ହେବ?

ଏମିତିରେ ବି ଭୁବନେଶ୍ବର ବିମାନବନ୍ଦର ଭଳି ଗୋଟିଏ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବାକୁ ଅତି କମ୍‌ରେ ପ୍ରାୟ ୨ହଜାର କୋଟି ଟଙ୍କା ଦରକାର। ବିଦେଶଯାତ୍ରା ‌କ୍ଷେତ୍ରରେ ଅପେକ୍ଷାକୃତ ପଛରେ ଥିବା ଓଡ଼ିଶା ଭଳି ରାଜ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୪ହଜାର କୋଟି ନିବେଶ କରିବାକୁ ଚାହିଁବ କି ନାହିଁ, ତାହା ବି ଏକ ବଡ଼ ଆହ୍ବାନ ସୃଷ୍ଟି କରିବ।

ରାଜ୍ୟ ସରକାର ଖୋର୍ଦ୍ଧା ନିକଟରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବାକୁ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଟିମ୍‌ ଏକାଧିକବାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି। ମଳିପଡ଼ା, ବଡ଼ସାହି, ଟାଙ୍ଗିଆପଡ଼ାରେ ଜମି ଦେଖିବା ପରେ ଟାଙ୍ଗିଆପଡ଼ାରେ ଗ୍ରିନ୍‌ଫିଲ୍ଡରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଆଲୋଚନାସ୍ତରରେ ରହିଛି। ଏ ନେଇ ଚୂଡାନ୍ତ ନିଷ୍ପତ୍ତି ଆସିପାରିନାହିଁ। କୌତୂହଳ କଥା ହେଲା, ଏ ସଂକ୍ରାନ୍ତ ନିଷ୍ପତ୍ତି କ’ଣ ହେଲା ତାହା ଜାଣିବା ପାଇଁ ଓଡ଼ିଶାର ସାଂସଦମାନେ ସଂସଦରେ ବିଭିନ୍ନ ସମୟରେ ପ୍ରଶ୍ନ କରିଛନ୍ତି, ଯାହାର ଉତ୍ତର ଦେଇ କେନ୍ଦ୍ର ପ୍ରସ୍ତାବିତ ପ୍ରକଳ୍ପକୁ ଅଗ୍ରାହ୍ୟ କରିନାହିଁ। ବରଂ ଖୋର୍ଦ୍ଧା ନିକଟରେ ବିମାନବନ୍ଦର ନିର୍ମାଣ ନେଇ ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ୍‌ କରି ପୂର୍ବରୁ ସବୁଜ ସଙ୍କେତ ଦେଇଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାର ଏଠାରେ ଜମି ଯୋଗାଇବେନି ବୋଲି ମନା କରିନାହାନ୍ତି। ଏଭଳି ସ୍ଥିତିରେ ହଠାତ୍‌ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ଏହି ପ୍ରକଳ୍ପର ଭାଗ୍ୟ କଣ ହେଲା, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯଦି ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହୁଏ ତେବେ କ’ଣ ଭୁବନେଶ୍ବର ବିମାନବନ୍ଦରର ଅନ୍ତର୍ଜାତୀୟ ମାନ୍ୟତା କଟିଯିବ? ଏ ପ୍ରଶ୍ନ ମଧ୍ୟ ଉଠିଲାଣି। ଭୁବନେଶ୍ବର ବିମାନବନ୍ଦର ଅନ୍ତର୍ଜାତୀୟ ମାନ୍ୟତା ପାଇଥିଲେ ବି ଏଠାରେ ବଡ଼ ବୋଇଂ ବିମାନ ଅବତରଣ କରିବା ସମ୍ଭବ ନୁହେଁ। ବିମାନବନ୍ଦର କର୍ତ୍ତୃପକ୍ଷ ଏହାର ରନ୍‌ୱେ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କୁ ୬୪ଏକର ଜମି ମାଗିଥିଲେ ବି ରାଜ୍ୟ ସରକାର ଜମି ଯୋଗାଇ ପାରିଲେନି। ଯେଉଁଥିପାଇଁ ଖୋର୍ଦ୍ଧାରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବା ପ୍ରସଙ୍ଗ ଉଠିଲା। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ସର୍ତ୍ତ ରଖିଥିଲେ ଯେ, ନୂଆ ବିମାନବନ୍ଦରରେ ୩୮୦୦ ମିଟରର ଦୁଇଟି ସମାନ୍ତରାଳ ରନ୍‌ୱେ ରହିବ। ୩୦ବର୍ଷ ଆ‌ଗକୁ ନଜରରେ ରଖି ରନ୍‌ୱେ ନିର୍ମାଣ କଲେ ୨୯୦୦ ଏକର ଜମି ଦରକାର। ଏହି କାରଣରୁ ରାଜ୍ୟ ସରକାର ଭୁବନେଶ୍ବରରୁ ୪୦କିମି ଦୂର ଖୋର୍ଦ୍ଧାର ମଳିପଡ଼ାରେ ୩୭୩୩ଏକର, ୩୪କିମି ଦୂର ଟାଙ୍ଗିଆପଡ଼ାରେ ଗୋଟିଏ ପ୍ୟାଚ୍‌ରେ ୧୩୬୦ଏକର, ୩୦କିମି ଦୂର ବଡ଼ସାହିରେ ୧୫୩୦ଏକରର ଜମି ଦେଖାଇଥିଲେ। ରନ୍‌ୱେ ନିର୍ମାଣ ଓ ଜମି ଦୃଷ୍ଟିରୁ ଟାଙ୍ଗିଆପଡ଼ା ଏଏଆଇ ଟିମ୍‌ର ପସନ୍ଦ ହୋଇଥିଲା। ହେଲେ ଏଏଆଇ ଚାହୁଁଥିବା ୨୯୦୦ ଏକର ଜମି ନଥିବାରୁ ଏନେଇ କିଛି ଠୋସ୍‌ ନିଷ୍ପତ୍ତି ନିଆଯାଇପାରିନି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ନୂଆଦିଲ୍ଲୀ, କୋଲକତା ଓ ମୁମ୍ବାଇ ଭଳି ସହରରେ ଦ୍ବିତୀୟ ବିମାନବନ୍ଦର ନିର୍ମାଣ ହେଉଥିଲେ ହେଁ ଏହାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବ କି ନାହିଁ ସେନେଇ କିଛି ନିଷ୍ପତ୍ତି ହୋଇନି। ତେଣୁ ଓଡ଼ିଶାରେ ଦୁଇଟି ଅନ୍ତର୍ଜାତୀୟ ବିମାବନ୍ଦର ହେବ କି ନାହିଁ ସେନେଇ କେବେ ବି ଆଲୋଚନା ହୋଇନି। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବାରୁ ଏ ନେଇ ଖୁବ୍‌ ଶୀଘ୍ର କିଛି ସ୍ପଷ୍ଟ ସୂଚନା ମିଳିଯିବ।

ସମ୍ବନ୍ଧିତ ଖବର