ସ୍ୱାସ୍ଥ୍ୟ ସମସ୍ୟାର କାରଣ, ନିରାକରଣ ଉପରେ ଗୁରୁତ୍ୱ

ଅଟୋଫାଗୀ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ

ଚନ୍ଦ୍ରଶେଖରପୁର : ଜାପାନିଜ୍‌ ଏନ୍‌ସେଫାଲାଇଟ୍‌ସ (ଜେଇ), ଚିକେନ୍‌ଗୁନିଆ, ଜର୍ମାନ ମିଳିମିଳା ଭଳି ଓଡ଼ିଶାରେ ରହିଥିବା ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟାର କାରଣ ଓ ନିରାକରଣ ଉପରେ ସବିଶେଷ ଗବେଷଣା ହେବ। ଏ କ୍ଷେତ୍ରରେ ଉଚ୍ଚତର ଗବେଷଣା କରୁଥିବା ବୈଜ୍ଞାନିକ ଓ ଗବେଷକମାନେ ରାଜ୍ୟର ଜଳବାୟୁ ଓ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଷ୍ଟିରେ ରଖି ଏହାର ନିରାକରଣ ନିମନ୍ତେ ଉପଯୁକ୍ତ ଚିକିତ୍ସା ପ୍ରଣାଳୀର ଉପଦେଶ ଦେବା ନେଇ ସୂଚନା ମିଳିଛି। ଜୀବବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ)ରେ ଆୟୋଜିତ ଅଟୋଫାଗୀ ବା ସ୍ୱପେଷୀ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଏନେଇ ମତପ୍ରକାଶ ପାଇଛି। ଆଇଏଲଏସର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା ଏବଂ େଓ୍ଵଲ୍‌କମ୍‌ ଟ୍ରଷ୍ଟ ଡିବିଟି-ଇଣ୍ଡିଆ ଆଲିଆନ୍ସର ସିଇଓ ଡ. ସହିଦ ଜମିଲ୍‌ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ।

ଅଟୋଫାଗୀ ବା ସ୍ୱପେଷୀ ହେଉଛି ଏକ ସାଧାରଣ ଶାରୀରିକ ପ୍ରକ୍ରିୟା ଯାହା ଶରୀରରେ କୋଷିକାମାନଙ୍କୁ ନଷ୍ଟ କରିଥାଏ। ମନୁଷ୍ୟର ସ୍ୱାସ୍ଥ୍ୟ ଓ ରୋଗ ପରିଚାଳନାରେ ଏହାର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଅଟୋଫାଗୀ ପ୍ରକ୍ରିୟାରେ ତ୍ରୁଟି କର୍କଟ, ସ୍ନାୟୁବିକ-ଅଧୋପତନ, ମାଇକ୍ରୋବିଆଲ୍‌ ସଂକ୍ରମଣ, ରୋଗ ପ୍ରତିରୋଧୀ ଏବଂ ମେଟାବୋଲିକ୍‌ ଅବ୍ୟବସ୍ଥା ଭଳି ବିଭିନ୍ନ ରୋଗର କାରଣ ହୋଇଥାଏ। ୨୦୧୬ରେ ଜାପାନ ବୈଜ୍ଞାନିକ ୟୋସିନୋରୀ ଓସୁମୀ ଅଟୋଫାଗୀ ଉପରେ ଗବେଷଣା କରି ଶରୀର ବିଜ୍ଞାନ ଓ ମେଡିସିନ୍‌ ବିଭାଗରେ ନୋବେଲ ପୁରସ୍କାର ପାଇଥିଲେ। ଭାରତରେ ଏହି କ୍ଷେତ୍ରରେ କ୍ୱଚିତ୍‌ ଗବେଷଣା ହେଉଥିବା ପ୍ରକାଶ। ତେଣୁ ଏହି କ୍ଷେତ୍ରକୁ ଅବହେଳା ନ କରି ବ୍ୟାପକ ଆଲୋଚନା ହେବା ଆବଶ୍ୟକ ବୋଲି ଜୀବବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ)ରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀ ଭାରତ-ୟୁରୋପିଆନ୍‌ ମଲିକୁଲାର ବାୟୋଲୋଜି ସଂଗଠନ (ଇଏମ୍‌ବିଓ) ଏବଂ େଓ୍ଵଲ୍‌କମ୍‌ ଟ୍ରଷ୍ଟ ଡିବିଟି-ଇଣ୍ଡିଆ ଆଲିଆନ୍ସ୍‌ ସହଯୋଗରେ ଆୟୋଜିତ ହେଉଛି। ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା କରୁଥିବା ୧୦ଜଣ ବିଦେଶୀ ବୈଜ୍ଞାନିକଙ୍କ ସମେତ ଭାରତର ପାଞ୍ଚଜଣ ଗବେଷକ ସମଗ୍ର ଭାରତରୁ ବଛା ହୋଇ ଆସିଥିବା ୭୦ଜଣ ଯୁବବୈଜ୍ଞାନିକଙ୍କୁ ଅଟୋଫାଗୀ ଉପରେ ବକ୍ତବ୍ୟ ଦେବେ। ୧୦୦ରୁ ଉର୍ଧ୍ୱ ଗବେଷକ ଓ ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର