ଭୁବନେଶ୍ୱର: କରୋନା ମହାମାରୀ ବିଭିନ୍ନ କ୍ଷେତ୍ରରେ ଆମର ଦୋଷ ଦୁର୍ବଳତାକୁ ପଦାରେ ପକାଇଥିଲା। ତାହାକୁ ସକାରାତ୍ମକ ଭାବେ ନେଇ ଉକ୍ତ ଦୁର୍ବଳତାଗୁଡ଼ିକର ସ୍ଥାୟୀ ପ୍ରତିକାର ପ୍ରତି ଧ୍ୟାନ ଦେବାକୁ ହେବ। ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ ‘କୋଭିଡ୍ ପରବର୍ତ୍ତୀ ଅର୍ଥନୀତି’ ସମ୍ପର୍କିତ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଆଜି ଏହା କହିଛନ୍ତି। କୋଭିଡ୍ ପରବର୍ତ୍ତୀ ସାଂପ୍ରତିକ ସ୍ଥିତିରେ ଗାନ୍ଧୀଜୀଙ୍କ ସ୍ୱାବଲମ୍ବୀ ନୀତିକୁ ଆପଣାଇ ଦେଶରେ କୁଟୀର ଶିଳ୍ପର ଉତ୍ଥାନ ଉପରେ ଗୁରୁତ୍ବ ଦେବା ପାଇଁ ଶ୍ରୀ ସେଠୀ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍ କୁମରବର ଦାସ ଯୋଗଦେଇ କୋଭିଡ୍ ମହାମାରୀ ଯୋଗୁଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କିଭଳି ବାଧାପ୍ରାପ୍ତ ହୋଇଥିଲା, ତାହାର ଏକ ବିସ୍ତୃତ ଚିତ୍ର ଉପସ୍ଥାପନ କରିଥିଲେ। ଅନ୍ୟତମ ଅତିଥି ଜାପାନ ୱାସେଦା ବିଶ୍ୱବିଦ୍ୟାଳୟ ପ୍ରଫେସର୍ କେ. ଆଶୁସୀ କହିଥିଲେ ଯେ କୋଭିଡ୍ ସମୟରେ ଏହାର ମୁକାବିଲା କରିବା ଦିଗରେ ଭାରତ ସରକାରଙ୍କ ଭୂମିକା ପ୍ରଶଂସନୀୟ ଥିଲା। କାର୍ଯ୍ୟକ୍ରମରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡ. ଗୁଲାମ୍ ମଇଉନ୍ଦିନ ଖାନ୍ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷା ତଥା ସମ୍ମିଳନୀର ସଚିବ ଡ. ମଧୁବ୍ରତ ଶତପଥୀ ସମ୍ମିଳନୀର ଗୁରୁତ୍ୱ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ କରୋନା ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ପୂରା ବିଶ୍ୱ ଅର୍ଥନୀତିରେ ଯେଉଁ ଆର୍ଥିକ ଓ ମାନସିକ ସମସ୍ୟାଗୁଡ଼ିକ ସୃଷ୍ଟି ହୋଇଥିଲା, ଯଥାଶୀଘ୍ର ତାହାର ସମାଧାନ କରିବା ଏହି ଆନ୍ତର୍ଜାତିକ ସମ୍ମିଳନୀର ପ୍ରୟାସ। ଏହି ସମ୍ମିଳନୀରେ ଦେଶବିଦେଶର ଶତାଧିକ ଶିକ୍ଷାବିତ୍ ଅଂଶଗ୍ରହଣ କରିଥିଲେ। ଅଧ୍ୟାପିକା ମୌସୁମୀ ଦାସ ଧନ୍ୟବାଦ ଦେଇଥିଲେ।