ଚନ୍ଦ୍ରଶେଖରପୁର : କିମସ୍ ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି ଆନ୍ତର୍ଜାତୀୟ ନୃତ୍ୟ ଓ ସଂଗୀତ ମହୋତ୍ସବ। ଆଇସିସିଆର୍ ଓ କିଟ୍ ବିଶ୍ୱବିଦ୍ୟାଳୟ ମିଳିତ ଭାବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମଳିଥିଲା ଶ୍ରୀଲଙ୍କା ଲୋକକଳା ଓ ସଂଗୀତର ଝଲକ। ଏହି ଉତ୍ସବକୁ ଶ୍ରୀଲଙ୍କା ନୃତ୍ୟ ଗୁରୁମା’ ସୀତାରା ମଧୁବାଲୀ ଓ ଓଡ଼ିଶୀ ନୃତ୍ୟ ଗୁରୁ ପୀତାମ୍ବର ବିଶ୍ୱାଳ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ସାଂସ୍କୃତିକ ସଂଧ୍ୟାରେ ଶ୍ରୀଲଙ୍କାର କଳାକାରମାନେ ଉପସ୍ଥିତ ଶତାଧିକ ଦର୍ଶକଙ୍କୁ ନିଜ ନୃତ୍ୟ ଓ ବାଦ୍ୟଯନ୍ତ୍ରର ଯାଦୁରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ଫଳରେ ସଭାକକ୍ଷଟି ଦର୍ଶକଙ୍କ ଗହଳିରେ ପୂରି ଉଠିଥିଲା। ତେବେ ଏହି ସଂଗୀତ ସଂଧ୍ୟାରେ ଦେଖାଯାଇଥିଲା କିଛିଟା ନିଆରା ଝଲକ । ଶ୍ରୀଲଙ୍କା ଦଳରେ ସମସ୍ତ କଳାକାର ଯୁବତୀ ହୋଇଥିଲା ବେଳେ ସେମାନେ ପାରମ୍ପରିକ ପୋଷାକ ପିନ୍ଧି ଭରପୂର ଉତ୍ସାହରେ ସେମାନଙ୍କ କଳା ପଦର୍ଶନ କରିଥିଲେ। ପ୍ରଥମେ ପ୍ରସ୍ତୁତ ହୋଇଥିଲା ଶ୍ରୀଲଙ୍କା ସାଂସ୍କୃତିକ ବାଦ୍ୟଯନ୍ତ୍ରର ସଂଗୀତ କାର୍ଯ୍ୟକ୍ରମ। ପରେ ପରେ ଆଦ୍ୟନୃତ୍ୟ ଓ ଗଜବା(ହାତୀ)ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଶେଷରେ କଳାକାରମାନେ ମୁଖା ନୃତ୍ୟ ଦ୍ୱାରା ଉପସ୍ଥିତ ଦର୍ଶକଙ୍କ ମନୋରଂଜନ କରିଥିଲେ। ନୃତ୍ୟ କାର୍ଯ୍ୟକ୍ରମ ପରେ ଅତିଥିମାନେ ସମସ୍ତ କଳାକାରଙ୍କୁ ପୁରସ୍କୃତ କରିଥିଲେ।
ଶ୍ରୀଲଙ୍କା ଲୋକକଳାରେ ଜମିଲା ସାଂସ୍କୃତିକ ସଂଧ୍ୟା
ଆନ୍ତର୍ଜାତୀୟ ନୃତ୍ୟ ଓ ସଂଗୀତ ମହୋତ୍ସବ
/sambad/media/post_attachments/wp-content/uploads/2018/01/Madhu-Indian-council-of-culture.jpg)