ଅନ୍ତରାଷ୍ଟ୍ରୀୟ ଦେବଦାସୀ ନୃତ୍ୟ ସମାରୋହ ଉଦ୍‌ଯାପିତ

ଭୁବନେଶ୍ବର: ‘ଦେବଦାସୀ ନୃତ୍ୟ ମନ୍ଦିର’ ପକ୍ଷରୁ ଭଞ୍ଜ କଳାମଣ୍ତପଠାରେ ଚାଲିଥିବା ‘ତ୍ରୟୋଦଶ ଅନ୍ତରାଷ୍ଟ୍ରୀୟ ଦେବଦାସୀ ନୃତ୍ୟ ସମାରୋହ’ ଏବ˚ ‘ନବ ଉନ୍ମେଷ ଉତ୍ସବ’ ଆଜି ଉଦ୍‌ଯାପିତ ହୋଇଛି। ଏହି ଅବସରରେ ଭାରତର ୭ଟି ନୃତ୍ୟଶୈଳୀର ୭ଜଣ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀଙ୍କୁ ‘ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ’ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ମୁମ୍ବାଇର ଗୁରୁ ରବୀନ୍ଦ୍ର କୁମାର ଅତିବୁଦ୍ଧି, ଭାରତନାଟ୍ୟମ୍‌ରେ ବେଙ୍ଗାଲୁରୁର ସୁପର୍ଣ୍ଣା ଭେଙ୍କଟେଶ, କୁଚିପୁଡ଼ି ନୃତ୍ୟରେ ହାଇଦ୍ରାବାଦର ଭୋଲେତି ଶ୍ରୀରେଖା, କଥକ ନୃତ୍ୟ ପାଇଁ ପୁନେର ରୁଜୁତା ସୋମନ, ମୋହିନୀଆଟ୍ଟମ୍‌ ନୃତ୍ୟରେ ଚେନ୍ନାଇର ରଶ୍ମି ମେନନ୍‌, ସତ୍ରିୟା ନୃତ୍ୟ ପାଇଁ ଗୌହାଟୀର ରାମକୃଷ୍ଣ ତାଲୁକଦାର ଓ ମଣିପୁରୀ ନୃତ୍ୟ ପାଇଁ କୋଲକାତାସ୍ଥିତ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପିକା ଶୃତି ବନ୍ଦୋପାଧ୍ୟାୟଙ୍କୁ ‘ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନୂଆଦିଲ୍ଲୀର ପ୍ରାଚୀ ହୋତା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ଚେନ୍ନାଇର ସିନ୍ଧୁ ଶ୍ୟାମ୍‌ ଭାରତ୍‌ନାଟ୍ୟମ୍‌, ବେଙ୍ଗାଲୁରୁରୁ ଶ୍ବେତା ଭେଙ୍କେଟଶ୍‌ଙ୍କ ଦ୍ବାରା ଭାରତ୍‌ନାଟ୍ୟମ୍‌, ଗୌହାଟୀର ଶ୍ରଦ୍ଧାଞ୍ଜଳି ଶର୍ମା ‘ସାତ୍ରିୟା’ ନୃତ୍ୟରେ ଦର୍ଶକଙ୍କ ମନ ମୋହିଥିଲେ। ସେହିପରି କୋମଳ କଶ୍ୟପ୍‌ ଓ ରଚିତା ଅତିବୁଦ୍ଧି ନିଜ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ସନ୍ଧ୍ୟାରେ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଜଗବନ୍ଧୁ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ମଞ୍ଚ ପରିଚାଳନା କରିଥିଲେ ବନିତା ପ୍ରଧାନ।

ସମ୍ବନ୍ଧିତ ଖବର