ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ: ଭିନ୍ନକ୍ଷମଙ୍କୁ ସୁବିଧା ଦେବାରେ ଓଡ଼ିଶା ଆଦର୍ଶ ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୱେବପୋର୍ଟାଲ ଓ ଆପ୍ ଲୋକାର୍ପିତ, ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ସମ୍ବଲପୁର ଜିଲ୍ଲା ପୁରସ୍କୃତ
ଭୁବନେଶ୍ବର: ଭିନ୍ନକ୍ଷମମାନେ ସମାଜର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସମାଜ ପାଇଁ ସେମାନଙ୍କର ବି ଯଥେଷ୍ଟ ଅବଦାନ ରହିଛି। ସେମାନଙ୍କ ନିକଟରେ ଦକ୍ଷତାର ଅଭାବ ନାହିଁ। ଅନେକ କ୍ଷେତ୍ରରେ ସେମାନେ ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି। ସମାନ ସୁଯୋଗ ମିଳି ପାରିଲେ ଭିନ୍ନକ୍ଷମମାନେ ବହୁତ କିଛି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ଆଦିବାସୀ ପଡ଼ିଆରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଆ‌‌ୟୋଜିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଭିନ୍ନକ୍ଷମମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିବା ସମସ୍ତଙ୍କର ମୂଳ ଲକ୍ଷ୍ୟ ହେବା ଉଚିତ୍। ସେମାନଙ୍କୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ସବୁବେଳେ ତତ୍ପର। ଭିନ୍ନକ୍ଷମମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବା ଦିଗରେ ଜାତୀୟସ୍ତରରେ ଓଡ଼ିଶା ଏକ ଆଦର୍ଶ (ମଡେଲ)ରାଜ୍ୟ ବୋଲି ସେ କହିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ରାଜ୍ୟରେ ୯ଟି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କାର୍ଯ୍ୟ କରୁଛି। ଆଉ କିଛି ଜିଲ୍ଲାରେ ଖୁବଶୀଘ୍ର ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ। ବିଭାଗ ପକ୍ଷରୁ ୨.୪୨ଲକ୍ଷରୁ ଅଧିକ ଭିନ୍ନକ୍ଷମଙ୍କୁ ଚିହ୍ନଟ ପତ୍ର ଦିଆଯାଇଛି। ରାଜ୍ୟର ପ୍ରାୟ ୪୮ ଲକ୍ଷରୁ ଅଧିକ ହିତାଧିକାରୀ ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ଭତ୍ତା ପାଉଛନ୍ତି। ପୁରୀରେ ଭିକ୍ଷାବୃତ୍ତି କରୁଥିବା ୫ଶହ ଭିକାରିଙ୍କୁ ଥଇଥାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବେଙ୍ଗାଲୁରୁସ୍ଥିତ ନିମାହନ୍‌ସ ସହାୟତାରେ ଏକ ମୋବାଇଲ ଆପ୍‌ ପ୍ରସ୍ତୁତ ହୋଇଛି। ଏହି ଆପ୍ ଜରିଆରେ ଭିନ୍ନକ୍ଷମମାନେ ନିଜକୁ ପଞ୍ଜୀକରଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରିବେ ବୋଲି ଶ୍ରୀ ପଣ୍ଡା କହିଥିଲେ।

ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା କହିଲେ, ବିଭାଗ ପକ୍ଷରୁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଦୁର୍ଘଟଣାରେ ଗୋଡ଼ ହରାଇଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ମାଗଣାରେ ଗୋଡ଼ ଯୋଗାଇ ଦିଆଯାଉଛି। ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ ଜରିଆରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଫିଜିଓଥେରାପି ଓ ସ୍ପିଚ୍ ଥେରାପି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ଶ୍ରୀ ଶର୍ମା କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭାଗ ପକ୍ଷରୁ ପ୍ରସ୍ତୁତ ୱେବପୋର୍ଟାଲ ଓ ମୋବାଇଲ ଆପ୍‌ର ଲୋକାର୍ପଣ କରିଥିଲେ। ପରେ ଭିନ୍ନକ୍ଷମ ସଶକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୮ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ସମ୍ବଲପୁର ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ବ୍ୟକ୍ତିଙ୍କୁ ୨୫ହଜାର ଓ ସମ୍ବଲପୁର ଜିଲ୍ଲାକୁ ୫୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ଓ ଆଇସିଆଇସିଆଇ ବ୍ୟାଙ୍କର ଜୋନାଲ ମୁଖ୍ୟ ପ୍ରଦୋଷ ରାଉତ ଉପସ୍ଥିତ ଥିଲେ। ବିଭାଗର ନିର୍ଦେଶିକା ବ୍ରତତୀ ହରିଚନ୍ଦନ ଧନ୍ୟବାଦ ଦେଇଥିଲେ। ଏହି ଦିବସ ଉପଲକ୍ଷେ ବିଭାଗ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ରାଜମହଲ ଛକରୁ ବାହାରି ଆଦିବାସୀ ପଡ଼ିଆରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର