ଆଜି ଉଦ୍‌ଘାଟନ ହେବ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନୀ, ୧୭ ଦେଶର ୪୮ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ

ଭୁବନେଶ୍ବର: କଳା ଓ କଳାକାରଙ୍କ ଉପରେ ଆୟୋଜିତ ହୋଇ ଆସୁଥିବା ଜେଡି ସେଣ୍ଟର ଅଫ୍‌ ଆର୍ଟ‌୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଆସନ୍ତା ୮ ଓ ୯ ତାରିଖ ଦୁଇଦିନ ଧରି ଇଡ୍‌କଲ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଏହି ଅବସରରେ ଚଳିତ ବର୍ଷ ୧୭ଟି ଦେଶର ୪୮ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ। ଏଥି‌ମଧ୍ୟରେ ଓଡ଼ିଆ ଓ ଓଡ଼ିଶା ସଂକ୍ରାନ୍ତ ୧୨ଟି ଚଳଚ୍ଚିତ୍ର ଦେଖିବାର ସୁ‌ଯୋଗ ମିଳିବ। ୭ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ।

ପ୍ରାମାଣିକ ଚିତ୍ରରେ ଏସିଆ ପେସିଫିକ୍‌ ସ୍କ୍ରିନ୍‌ ପୁରସ୍କାର ଜିତିଥିବା ‘ଗୁରୁମୁଲ୍‌’ ଚଳଚ୍ଚିତ୍ରରୁ ଚଳଚ୍ଚିତ୍ର ପ୍ରଦର୍ଶନର ଶୁଭାରମ୍ଭ ହେବ। ଅଷ୍ଟ୍ରେଲିଆର ପଲ୍‌ ଡେମିନ ୱିଲିୟମସଙ୍କ ଦ୍ବାରା ପ୍ରସ୍ତୁତ ଦୃଷ୍ଟିହୀନ ଜେ‌ଓଫ୍ରେ ଗୁରୁମୁଲ ୟୁନୁପିଙ୍ଗୁଙ୍କ ସଂଗୀତ ଯାତ୍ରାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରଟି ୮ ତାରିଖ ଦିନ ୧୧ଟାରେ ପ୍ରଦର୍ଶିତ ହେବା ସହ ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ ହେବ। ଏଥିସହ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଶଙ୍କର ମହାଦେବନଙ୍କ ସଂଗୀତ ଜୀବନ ଆଧାରିତ ଚଳଚ୍ଚିତ୍ର ‘ଡିକୋଡିଙ୍ଗ ଶଙ୍କର’ ମଧ୍ୟ ଦେଖିବାର ସୁଯୋଗ ମିଳିବ। ଏହା ବ୍ୟତୀତ ଗୋଟିପୁଅ ଗୁରୁ ବୀରବର ସାହୁଙ୍କ ଉପରେ ନିର୍ମିତ ‘ଥ୍ରୋ ଦି ଆଇଜ୍‌ ଅଫ୍ ଆନ୍‌ ଆର୍ଟିଷ୍ଟ୍‌’, ମନୋରଂଜନ ବାଡ଼ତ୍ୟାଙ୍କ ନିର୍ମିତ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ସମ୍ପର୍କିତ ଚଳଚ୍ଚିତ୍ର ‘ସାଣ୍ଡ୍‌ ସେଜ୍‌ ସମ୍‌ଥିଙ୍ଗ୍‌’, ଗୋଟିପୁଅ ନୃତ୍ୟ ଉପରେ ଆଧାରିତ ‘ସଖୀ ପିଲା’, ପୁରୀ ଓ ଭୁବନେଶ୍ବର ମନ୍ଦିରମାଳାକୁ ନେଇ ସିଦ୍ଧାର୍ଥ ଦାସଙ୍କ ନିର୍ମିତ ‘କ୍ରାଫ୍‌ଟସ ଆଣ୍ଡ୍‌ ଟେମ୍ପୁଲ୍‌ସ’, ଆଶୁତୋଷ ପଟ୍ଟନାୟକଙ୍କ ‘ଶ୍ରୀକ୍ଷେତ୍ର ଟୁ ସାହିଯାତ’, ଓଡ଼ିଶାର ଢୋକ୍ରା କଳାକୁ ନେଇ ନିର୍ମିତ ‘ଲଷ୍ଟ୍‌ ଇଣ୍ଟୁ ଆର୍ଟ-ଢୋକ୍ରା’, ବାବାସାହେବ ଆମ୍ବେଦକରଙ୍କ ଜୀବନ ଓ ସଂଗୀତ ସମ୍ପର୍କକୁ ନେଇ ନିର୍ମିତ ଚର୍ଚ୍ଚିତ ଫିଲ୍ମମାନ ପ୍ରଦର୍ଶିତ ହେବ। ଅଷ୍ଟ୍ରେଲିଆ, ଚୀନ୍‌, ଜର୍ମାନୀ, ମିଆଁମାର, କାଜ୍‌ଖସ୍ତାନ, କାନାଡ଼ା ଭଳି ଦେଶର କଳା ଓ କଳାକାରଙ୍କ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ।

ଏଥିସହ ବୋସ୍‌ କ୍ରିଷ୍ଣାମଚାରି, ନୂଆଦିଲ୍ଲୀର ନାସନାଲ ଗ୍ୟାଲେରି ଅଫ୍ ମଡର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକ ସ୍ବତନ୍ତ୍ର ବକ୍ତୃତା ପ୍ରଦାନ କରିବେ। ସକ୍ସେନା, କବିତା ବେହଲ ଗୁଣାତ୍ମକ ଫିଲ୍ମ ପାଇଁ ଆବଶ୍ୟକ ବଜେଟ୍‌ ଓ ସୁଟିଂ ନିର୍ମାଣ କୌଶଳ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରିବ‌େ। ଓଡ଼ିଆ ସିନେମା ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନର ପ୍ରସାର ଓ ଉନ୍ନତି ସମ୍ପର୍କିତ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହେବ। ୨୦୧୮ ମସିହାରେ ଅଭିନେତ୍ରୀ ନନ୍ଦିତା ଦାସ ନିର୍ଦ୍ଦେଶନା ଦେଇଥିବା ‘ମଣ୍ଟୋ’ ଚଳଚ୍ଚିତ୍ର ସମ୍ପର୍କିତ ଅଭିଜ୍ଞତା ବର୍ଣ୍ଣନା କରିବେ। ଆଜି ନୂଆପଲ୍ଲୀସ୍ଥିତ ଜେଡି ସେଣ୍ଟର ଅଫ ଆର୍ଟ‌୍ସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜେଡି ସେଣ୍ଟର୍‌ର ଅଧ୍ୟକ୍ଷ ଯତୀନ ଦାସ, ଉତ୍ସବ ନିର୍ଦ୍ଦେଶକ ଅରୁଣା ବାସୁଦେବ, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଚଳଚ୍ଚିତ୍ର ଅଭିନେତ୍ରୀ ତଥା ନି‌‌‌ର୍ଦ୍ଦେଶିକା ନନ୍ଦିତା ଦାସ, ଆମ୍ବାସଡର୍‌ ଲଳିତ ମାନସିଂହ, ଚଳଚ୍ଚିତ୍ର ନିର୍ମାତା ତଥା ଟ୍ରଷ୍ଟି ବୀରେନ ଦାସ, ଟ୍ରଷ୍ଟି ସିଦ୍ଧାର୍ଥ ଦାସ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର