ଭୁବନେଶ୍ୱର : ସାହିତ୍ୟ ଓ ସିନେମାକୁ ନେଇ ଏଥର ଆୟୋଜିତ ହେବ ଦ୍ୱାଦଶ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। କଳା ଓ କଳାକାରଙ୍କ ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ କରୁଥିବା ଜେଡି ସେଣ୍ଟର ଅଫ୍ ଆର୍ଟ ଏଥର ଇଡ୍କଲ୍ ପ୍ରେକ୍ଷାଳୟରେ ୩୯ଟି ଚଳଚ୍ଚିତ୍ର ଭେଟିଦେବ। ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ନିର୍ଦେଶକ ସ୍ୱର୍ଗତ ନୀରଦ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ତାଙ୍କ ନିର୍ଦେଶିତ ‘ମାୟା ମିରିଗ, ଅହଲ୍ୟାର ବାହାଘର, ମୟୂରଭଂଜର ଛଉନୃତ୍ୟ, ଧଉଳିଗିରିର ଶାନ୍ତିସ୍ତପ ଏବଂ ପଟ୍ଟଚିତ୍ର ଭଳି ଚର୍ଚିତ ଓ ଅନ୍ତର୍ଜାତୀୟ ପୁରସ୍କୃତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ବିଶିଷ୍ଟ କଥାକାର ମନୋଜ ଦାସ ଓ ଗୌରହରି ଦାସଙ୍କ ଲିଖିତ କ୍ଷୁଦ୍ରଗଳ୍ପର ଚଳଚ୍ଚିତ୍ର ମଧ୍ୟ ଦେଖିବାକୁ ମିଳିବ।
୧୧ ଦେଶର ୧୫ଟି ବିଦେଶୀ ଭାଷାର ସିନେମା ଦେଖିବାକୁ ମିଳିବ। ଏତଦ୍ବ୍ୟତୀତ ୧୨ଟି ଓଡ଼ିଶାର ଏବଂ ୧୨ଟି ଅନ୍ୟ ଭାରତୀୟ ଭାଷାର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଅସ୍ଗର ଫର୍ହାଦିଙ୍କ ଇରାନି ଚଳଚ୍ଚିତ୍ର ‘ଦି ସେଲ୍ସମ୍ୟାନ୍’, ଆର୍ଜେଣ୍ଟିନାର ‘ଦି ସିକ୍ରେଟ୍ ଇନ୍ ଦେୟାର ଆଇଜ୍’, କ୍ଲାଉଡି ବାରାସ୍ଙ୍କ ସ୍ୱିସ୍ ଫିଲ୍ମ ‘ମାଇ ଲାଇଫ୍ ଆଜ୍ ଏ ଜୁଚିନି’, ଟମ୍ ଲୋ’ଙ୍କ ‘ଟାଇମ୍ସ୍କେପ୍ସ୍’ ସମେତ ରାଜୁ ମିଶ୍ରଙ୍କ ‘ଲକ୍ଷ୍ମୀର ଅଭିସାର’, ଗୁରୁବିନ୍ଦର ସିଂହଙ୍କ ଚଉଠି କୁଟ, ସତ୍ୟଜିତ୍ ରାୟଙ୍କ ‘ସତ୍ରଞ୍ଜ୍କେ ଖିଲାଡ଼ି’, ନିର୍ମଳ ଚନ୍ଦରଙ୍କ ‘ଦି ଫେସ୍ ବିହାଇଣ୍ଡ୍ ଦି ମାସ୍କ୍’ ଭଳି ଚଳଚ୍ଚିତ୍ର ଦେଖିବାକୁ ମିଳିବ। ଆସନ୍ତାକାଲି ପୂର୍ବାହ୍ଣ ୧୧ଟାରେ ଉଦ୍ଘାଟନ ପରେ ୧୪ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏତଦ୍ବ୍ୟତୀତ ପାରମ୍ପରିକ କଳାକୁ ନେଇ ଏକ ପ୍ରଦର୍ଶନୀ ହେବ। ୧୬ ଜଣ କାରିଗର ଅଂଶଗ୍ରହଣ କରିବେ। କେନ୍ଦ୍ରର ପ୍ରତିଷ୍ଠାତା ଯତୀନ ଦାସ, ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ଚଳଚ୍ଚିତ୍ର ନିର୍ମାତା ଅରୁଣା ବାସୁଦେବ, ସଂଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ର, ଅଭିନେତ୍ରୀ ନନ୍ଦିତା ଦାସ, ଉପାଧ୍ୟକ୍ଷ ସିଦ୍ଧାର୍ଥ ଦାସ, ସୁବ୍ରତ ଭୌମିକ ପ୍ରମୁଖ ଜେଡିସିଏ ପରିସରରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/film-2.jpg)