ଅନ୍ତର୍ଜାତୀୟ ଲୋକକଳା ଓ ଜନଜାତି ଚିତ୍ରକଳା ପ୍ରଦର୍ଶନୀ ଆଜିଠୁ

୭ ଦେଶର ୩୯ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶିତ ହେବ

ଭୁବନେଶ୍ବର: ରାଜ୍ୟ ସଂଗ୍ରହାଳୟ ପରିସରରେ ଆସନ୍ତାକାଲି (ମଙ୍ଗଳବାର)ଠାରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଲୋକକଳା ଓ ଜନଜାତି ଚିତ୍ରକଳା ପ୍ରଦର୍ଶନୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଓ ପୂର୍ବାସା ଲୋକକଳା ଓ ଜନଜାତି ସଂଗ୍ରହାଳୟ ପକ୍ଷରୁ ଅନୁଷ୍ଠିତ ଏହି ପ୍ରଦର୍ଶନୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବାହ୍ନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବାକୁ ଥିବା ଏହି ପ୍ରଦର୍ଶନୀରେ ଭାରତରୁ ୨୪ଜଣ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ସମେତ କୋରିଆରୁ ୬ ଜଣ, ନେପାଳରୁ ୪ ଜଣ, ବାଂଲାଦେଶରୁ ୨ ଜଣ, ଶ୍ରୀଲଙ୍କାରୁ ଜଣେ, ଇଣ୍ଡୋନେସିଆରୁ ଜଣେ ଓ ମିଆଁମାର୍‌ରୁ ଜଣେ ଲେଖାଏଁ ଅଂଶଗ୍ରହଣ କରିବେ।

ଭାରତର ୨୪ ଜଣଙ୍କ ମଧ୍ୟରେ ଓଡ଼ିଶାର ୩ ଚିତ୍ରଶିଳ୍ପୀ ସାମିଲ ଅଛନ୍ତି। ପଟ୍ଟଚିତ୍ରକୁ ନେଇ ଚିତ୍ରଶିଳ୍ପୀ ବିଜୟ ପରିଡ଼ା ଓ ସୁଧୀର ମହାରଣା ଏବଂ ସୌରଚିତ୍ରକୁ ନେଇ ଜୁନେଶ୍‌ ଗମାଙ୍ଗ ଏଥିରେ ଅଂଶଗ୍ରହଣ କରିବେ। ଏଥିସହ କାଞ୍ଚି ଅଭିଯାନ, ନବଗୁଞ୍ଜର ଓ ତଅପୋଇ କାହାଣୀ ଆଧାରିତ ଚିତ୍ରକଳା ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ପାଇବ। ସଂଗ୍ରହାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର