ଆନ୍ତର୍ଜାତିକ ଗ୍ରିନ୍ କନଭେନସନ୍‌ : ‘ବୃକ୍ଷ ଆମ ଜୀବନ ଓ ସଂସ୍କୃତିର ପ୍ରମୁଖ ଅଂଶ’

ଭୁବନେଶ୍ବର : ବୃକ୍ଷ ଆମ ଜୀବନ ଓ ସଂସ୍କୃତିର ପ୍ରମୁଖ ଅଂଶବି‌ଶେଷ। ବୃକ୍ଷକୁ ଆଧାର କରି ଭାରତୀୟ ଧର୍ମ ଧାରଣା, ଐତିହ୍ୟ ପରମ୍ପରା ଓ ଜୀବନବୋଧ ନିର୍ମିତ ହୋଇଛି। ପୁରାଣ ଓ ଇତିହାସରେ ବୃକ୍ଷର ମହିମା ଓ ମାହତ୍ମ୍ୟର ଭୁରି ଭୁରି ବର୍ଣ୍ଣନା ରହିଛି। ଏଣୁ ବ୍ୟାପକ ବୃକ୍ଷରୋପଣ ଓ ଏହାର ଲାଳନ ପାଳନ କରିବା ଦରକାର। ଆଜି ରବୀନ୍ଦ୍ର ମଣ୍ଡପରେ ଆନ୍ତର୍ଜାତିକ ଗ୍ରିନ୍ କନଭେନସନ୍‌‌ରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି।

ଏଥିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପରିବେଶ ସମ୍ପର୍କିତ ସମସ୍ତ ପ୍ରସଙ୍ଗକୁ ପ୍ରଗତି ପ୍ରକ୍ରିୟାରେ ଅଗ୍ରାଧିକାର ଦେବା ଆବଶ୍ୟକ। ଏହାସହ ସେ ୧୦ଲକ୍ଷରୁ ଅଧିକ ବୃ୍କ୍ଷରୋପଣ ପାଇଁ ପ୍ରୟାସ କରିବେ ବୋଲି କହିଥିଲେ।‌ ଲୋକସେବକ ମଣ୍ଡଳର ସମ୍ପାଦକ ନିରଞ୍ଜନ ରଥ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ସଫଳତା କାମନା କରିଥିଲେ। ପ୍ରେରଣା ଗ୍ରିନ୍‌ ଆର୍ମିର କମାଣ୍ଡର୍‌ ଇନ୍‌ ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନ ଗ୍ରିନ୍ ଆର୍ମିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।

ପ୍ରେରଣା ଓ ସ୍ମାଇଲ୍‌ ପ୍ଲିଜ୍ ପକ୍ଷରୁ ଆୟୋଜିତ ବୃକ୍ଷପ୍ରେମୀ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବରେ ଅମୀୟ ଦାସ, ବିଶ୍ବମୋହନ ପଟ୍ଟନାୟକ, ପ୍ରକାଶ ଶ୍ରୀଚନ୍ଦନ, ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟପାଳ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସାମ୍ବାଦିକ ମାଧବ ବେହୁରା, ସରିତା ପଟେଲ, ସ୍ମୃତିସୁଧା ନାୟକ, ଲୁସି ମହାପାତ୍ର, ସତ୍ୟନାରାୟଣ ସେଣ, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ପ୍ରକାଶ ସାମନ୍ତରାୟ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଓଡ଼ିଶାର ୩୦ଟି ଜିଲ୍ଲା, ୩୧୪ ବ୍ଲକ ତଥା ସମସ୍ତ ପୌରାଞ୍ଚଳ ପାଇଁ ୫୦୦ ଗ୍ରିନ୍‌ ଆର୍ମିକୁ ଦାୟିତ୍ବ ପ୍ରଦାନ କରାଯାଇଥିଲା।

ପୂର୍ବାହ୍ନରେ ପ୍ରେରଣା ଗ୍ରିନ୍‌ ଆର୍ମି ଓ ସ୍ମାଇଲ ପ୍ଲିଜ୍‌ର ମିଳିତ ସହଯୋଗରେ ଭୁବନେଶ୍ୱର ପୁଲିସ କମିସନର୍‌ କାର୍ଯ୍ୟାଳୟଠାରୁ ୨୦୦ ଛାତ୍ର, ଯୁବକ, ଅଭିନେତା/ଅଭିନେତ୍ରୀ, ନୃତ୍ୟଶିଳ୍ପୀ, ସାହିତ୍ୟିକ, ସାମଜସେବୀ ଆଦି ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତିମାନେ ‘ଆମେ ସବୁଜ ବିଶ୍ବ’, ‘ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାହୁଁ’, ‘ସ୍ବଚ୍ଛ ପରିବେଶ, ସୁସ୍ଥ ଜୀବନ’ଆଦି ନାରା ଦେଇ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ଆନ୍ତର୍ଜାତିକ ଗ୍ରିନ୍‌ ୱାକାଥନ୍‌କୁ ସବୁଜ ପତାକା ଦେଖାଇ ରାଜ୍ୟପାଳ ଶ୍ରୀ ଲାଲ୍‌ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର