ସଂସ୍କୃତି ଭବନରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ

କାହାଠାରୁ ମାତୃଭାଷା ଶୁଣିଲେ ଆପଣାପଣ ବସା ବାନ୍ଧିଦିଏ

ଭୁବନେଶ୍ବର : ଦୁନିଆର ଯେ କୌଣସି ସ୍ଥାନ‌ରେ ମାତୃଭାଷା କହୁଥିବା ଲୋକଟିଏ ସହ ଭେଟ ହୋଇଗଲେ ଆପଣାପଣ ଆପେ ଆମ ହୃଦୟରେ ବସା ବାନ୍ଧିଦିଏ। ଏହା ହିଁ ମାତୃଭାଷାର ମହତ୍ବ। ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏଭଳି ମତବ୍ୟକ୍ତ କରିଛନ୍ତି ଉପସ୍ଥିତ ଅତିଥିବୃନ୍ଦ।

ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ‌ଯୋଗ ଦେଇ ଭାଷା ଓ ମାତୃଭାଷା ଭିତରେ ଥିବା ପ୍ରଭେଦକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେଇ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ଓଡ଼ିଆ ଶବ୍ଦକୋଷ ପୁସ୍ତକ ପାଇଁ ଧନ୍ୟବାଦ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଲେ, ମାତୃଭାଷା ଉଚ୍ଚ ହେଲେ ଗୋଟିଏ ଜାତି ଉଚ୍ଚ ହୋଇଥାଏ। ଆମ ମାତୃଭାଷା ଓଡ଼ିଆ ଏକ ସମୃଦ୍ଧ ଭାଷା। ତେଣୁ ଆମ ମାତୃଭାଷାକୁ ଆମେ କିଭଳି ଆହୁରି ରୁଦ୍ଧିମନ୍ତ କରିପାରିବା ସେ ବିଷୟରେ ଅଧିକ ଆଲୋଚନା ଆବଶ୍ୟକ।

ଓଡ଼ିଆ ଭା‌ଷା, ସାହିତ୍ୟ ଓ ସାଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ କହିଲେ, ଭାଷାଭିତ୍ତିକ ଆନ୍ଦୋଳନ କରି ଗୋଟିଏ ରାଜ୍ୟ ତା’ର ସ୍ବତନ୍ତ୍ର ମାନ୍ୟତା ପାଇବାରେ ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ଏମିତିରେ ଆମେ କେମିତି କହିବା ଯେ, ଆମ ଓଡ଼ିଆ ଜାତିର ଜାତୀୟତା ଭାବ ନାହିଁ କିମ୍ବା ଭାଷାପ୍ରୀତି ନାହିଁ ବୋଲି? ଆମେ ଅନ୍ୟ ଭାଷାକୁ ସମ୍ମାନ ଦେବା, କିନ୍ତୁ ଓଡ଼ିଆ ଭାଷାର ଶାଳୀନତା ବଜାୟ ରଖିବା ବୋଲି ଶ୍ରୀମତୀ ରାୟ କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ଯୋଗ ଦେଇ ମାତୃଭାଷା ସମ୍ପର୍କରେ ସୁଦୀର୍ଘ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଓଡ଼ିଆ ଶବ୍ଦକୋଷ ପୁସ୍ତକର ସମ୍ପାଦକ ଗୌରାଙ୍ଗ ଚରଣ ଦାଶ ଓ ପ୍ରଦୀପ୍ତ କୁମାର ପଣ୍ଡାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପାଇଁ ଉପସ୍ଥିତ ଅତିଥିମାନେ ବିଭାଗୀୟ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବରୁ ୩ ଦିନବ୍ୟାପୀ ଅନୁଷ୍ଠିତ ହୋଇଥିବା ଶୁଦ୍ଧଲିଖନ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାଗ୍ୟଲିପି ମଲ୍ଲ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ତତ୍ବାବଧାରକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର