ଭାବକୁ ବ୍ୟକ୍ତ କରିବାର ଶ୍ରେଷ୍ଠ ମାଧ୍ୟମ ହେଉଛି ମାତୃଭାଷା

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ

ଭୁବନେଶ୍ୱର : ନିଜ ଭାବକୁ ବ୍ୟକ୍ତ କରିବାର ଶ୍ରେଷ୍ଠ ମାଧ୍ୟମ ହେଉଛି ମାତୃଭାଷା। ଆମେ ଯେତେ ଇଂରାଜୀ ବା ହିନ୍ଦୀ କହିଲେ ମଧ୍ୟ ନିଜ ମନରେ ପ୍ରଥମେ ଆମ ଭାବନାକୁ ମାତୃଭାଷାରେ ଭାବୁ। ତା’ ପରେ ଅନ୍ୟ ଭାଷାରେ ଅନୁବାଦ କରି କହିଥାଉ। ମାତୃଭାଷାର ଯେଉଁ ମହକ ଓ ଚମକ ଅଛି, ତାହା ଅନ୍ୟ ଭାଷାରେ ମିଳିପାରିବ ନାହିଁ। ତେଣୁ ମାତୃଭାଷା ହେଉଛି ସର୍ବଶ୍ରେଷ୍ଠ। ଆଜି ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ଆଜିର ଦିନରେ ଓଡ଼ିଆ ଭାଷାରେ ବହୁ ସାହିତ୍ୟ, ଉପନ୍ୟାସ, ଗଳ୍ପ, କବିତା ଆଦି ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଆ ଭାଷା ସଂକଟରେ ଅଛି ବୋଲି ଆମର କାହିଁକି ଭୟ ରହିଛି, ତାହା ଏବେ ଭାବିବାର ସମୟ ଆସିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ବରିଷ୍ଠ ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ‘ଓଡ଼ିଆ ବର୍ଣ୍ଣମାଳା ନିର୍ଦ୍ଧାରଣ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ବିତ୍ତ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ନେହଲତା ପୃଷ୍ଟି ଓ ଦେବାଶିଷ ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ।

ଛବିଳ ମଧୁ ବର୍ଣ୍ଣବୋଧକୁ ଅକ୍ଷୁଣ୍ଣ ରଖାଯାଉ

ଓଡ଼ିଆ ଭାଷାରେ କେତୋଟି ବର୍ଣ୍ଣମାଳା ରହିବ, ଏହାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଥିବା ବେଳେ ଏହାର ଏକ ନିର୍ଯ୍ୟାସରେ ପହଞ୍ଚିବା ପାଇଁ ଆଜି ଓଡ଼ିଆ ଭାଷା ପ୍ରତିଷ୍ଠାନଠାରେ ଦିନତମାମ କସରତ୍‌ ଚାଲିଥିଲା। ‘ଓଡ଼ିଆ ବର୍ଣ୍ଣମାଳା ନିର୍ଦ୍ଧାରଣ’ ଶୀର୍ଷକ ଆଲୋଚନାଚକ୍ରରେ ବହୁ ଭାଷାବିତ୍‌ ଉପସ୍ଥିତ ରହି ଯୁକ୍ତି ଓ ତଥ୍ୟ ସହ ନିଜ ମତ ଉପସ୍ଥାପନ କରିଥିଲେ। ଓଡ଼ିଆ ବର୍ଣ୍ଣବୋଧରେ ୪୯ଟି ବର୍ଣ୍ଣମାଳା ରହିବା ଆବଶ୍ୟକ ବୋଲି କିଛି ଭାଷାବିତ୍‌ ଏଥିରେ ମତ ରଖିଥିବା ବେଳେ ଉଚ୍ଚାରଣ କରାଯାଉ ନ ଥିବା ବର୍ଣ୍ଣଗୁଡ଼ିକୁ ବର୍ଣ୍ଣବୋଧରୁ ହଟାଇ ଦେବାକୁ ଯୁକ୍ତି ବାଢ଼ିଥିଲେ। ତେବେ ଅକ୍ଷରର ସୃଷ୍ଟି ନଷ୍ଟ କରି ଦେବାକୁ ହୋଇ ନାହିଁ ବୋଲି ବହୁ ଭାଷାବିତ୍‌ ନିଜର ସ୍ପଷ୍ଟ ମତ ରଖି ମଧୁ ବର୍ଣ୍ଣବୋଧକୁ ଅକ୍ଷୁଣ୍ଣ ରଖିବାକୁ ଦୃଢ଼ୋକ୍ତି ବାଢ଼ିଥିଲେ। ଦିନତମାମର ଯୁକ୍ତିତର୍କ ଓ ବିଶ୍ଳେଷଣ ପରେ ମଧୁ ବର୍ଣ୍ଣବୋଧର ବର୍ଣ୍ଣମାଳା ହିଁ ଓଡ଼ିଆ ଭାଷାରେ ରହିବା ଉଚିତ ବୋଲି ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା। ଏ ନେଇ ଆଗକୁ ଆହୁରି ଆଲୋଚନାଚକ୍ରମାନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏଥିରେ ନିଷ୍ପତ୍ତି ହୋଇଛି ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ଦାସ ମହାପାତ୍ର ସୂଚନା ଦେଇଛନ୍ତି। ଭାଷାବିତ୍‌ ନଟବର ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ କୈଳାସ ଚନ୍ଦ୍ର ଟିକାୟତରାୟ, ଅନ୍ତର୍ଯ୍ୟାମୀ ମିଶ୍ର, ରଘୁନାଥ ପଣ୍ଡା, ହରପ୍ରସାଦ ମିଶ୍ର, ବୈଷ୍ଣବ ଚରଣ ମହାନ୍ତି, ନିର୍ମଳ ଚନ୍ଦ୍ର ମହାନ୍ତି, ବିଜୟଲକ୍ଷ୍ମୀ ମହାନ୍ତି ଓ ସଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର