ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ: ନୃତ୍ୟରେ ଦିବ୍ୟ ପ୍ରେମ

ଭୁବନେଶ୍ବର: ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘ଅନ୍ତର୍ଜାତୀୟ ଓଡ଼ିଶୀ ମହୋତ୍ସବ’ର ଆଜି ଥିଲା ଦ୍ବିତୀୟ ଦିବସ। ରାଧାକୃଷ୍ଣଙ୍କ ଦିବ୍ୟ ପ୍ରେମର ଭାବସ୍ପର୍ଶୀ ଅଭିନୟ ସାଙ୍ଗକୁ ସାମାଜିକ କଥାବସ୍ତୁକୁ ତାଳ ଓ ମୁଦ୍ରାରେ ରୋଚକ ଢଙ୍ଗରେ ପରିବେଷଣ କରିଥିଲେ ନବୀନ ଓ ପ୍ରବୀଣ ଶିଳ୍ପୀ। ‘ନ ଯା ଯମୁନା ଲୋ ସହି…’ଗୀତରେ ନୃତ୍ୟାଭିନୟ ସାଙ୍ଗକୁ ଶିବ ପଞ୍ଚକରେ ଶିଳ୍ପୀଙ୍କ ଉପସ୍ଥାପନା ପ୍ରଶଂସନୀୟ ହୋଇଥିଲା। ସୁସ୍ମିତା ସିହ୍ନା, ଈଶାନୀ ବେହେରା, ନନେ କାଜୁକା, ସ୍ବାତିଶ୍ରୀ ପଣ୍ଡା, ବିବେକିନୀ ଦାସ, ଭାଗୀରଥି ସାହି, ମଧୁସ୍ମିତା ସ୍ବାଇଁ, ପ୍ରିୟଦର୍ଶିନୀ ପ୍ରଧାନ, ସ୍ବାତୀ, ବ୍ରାହ୍ମୀ ଷଡ଼ଙ୍ଗୀ, ମଧୁଲିତା ମହାପାତ୍ର, ଐଶ୍ବର୍ଯ୍ୟା ସିଂହଦେଓ, ଧାରା ମହାପାତ୍ର, ମମତା କର, ପ୍ରାପ୍ତି ଗୁପ୍ତା, ପ୍ରୀତିଶା ମହାପାତ୍ର, ସଚ୍ଚିକାନ୍ତ ପ୍ରଧାନ ପ୍ରମୁଖ ଏକକ ଓ ଦ୍ବୈତ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ମନମୋହନ ସଂଗୀତ ପରିଷଦ, କଳାଜ୍ୟୋତି ଆଶ୍ରମ, ଆରାଧନା ଡ୍ୟାନ୍ସ ଫାଉଣ୍ଡେସନ୍‌ ପକ୍ଷରୁ ଶିଳ୍ପୀମାନେ ଦଳଗତ ନୃତ୍ୟ ଭେଟି ଦେଇଥିଲେ। ଦ୍ବିତୀୟ ସନ୍ଧ୍ୟାରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ଗୁରୁ ରାମହରି ଦାସ, ନିତ୍ୟାନନ୍ଦ ମିଶ୍ର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସଂଗୀତା ଗୋସାଇଁ ଉପସ୍ଥିତ ଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର