‘ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ’ ଆରମ୍ଭ

ଭାଗ ନେବେ ଦେଶ ବିଦେଶରୁ ୪୦୦ ନୃତ୍ୟ ଶିଳ୍ପୀ

ଭୁବନେଶ୍ବର: କେବେ ପାଦର ଛନ୍ଦ ସଂସାରର ଚାଲିଚଳନି ବିଷୟରେ କହୁଥିଲା ତ’ ‌କେବେ ହାତର ଛନ୍ଦ ଭକ୍ତିଅର୍ଘ୍ୟ ଢାଳୁଥିଲା। ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଓଡ଼ିଆ କଳାର ମାଧୁର୍ଯ୍ୟକୁ ବଖାଣୁଥିଲା। ଅବସର ଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ‘ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ’ ଉଦ୍‌ଘାଟନୀ ସମାରୋହର।

ଏହି ପାଞ୍ଚଦିନିଆ ନୃତ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଦେଶ ବିଦେଶରୁ ପ୍ରାୟ ୪୦୦ରୁ ଅଧିକ ନୃତ୍ୟଶିଳ୍ପୀ ଯୋଗ ଦେବେ। ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ ସଙ୍ଗୀତଜ୍ଞ, ଗୁରୁ ପ୍ରଫେସର ରାମହରି ଦାସ, ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ, ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ଏକକ ନୃତ୍ୟ ପର୍ଯ୍ୟାୟରେ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ୱାରା ନୃତ୍ୟାଭିନୟ ‘ସଂସାର’ ପରିବେଷିତ ହୋଇଥିଲା। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ଜେନା। ପରେ ପରେ ମମତା ଶତପଥୀଙ୍କ ଦ୍ୱାରା ଅଭିନୟ ବିଦଗ୍ଧ ଚିନ୍ତାମଣି କାବ୍ୟରୁ ଉଦ୍ଧୃତ ‘ଧୀରେ ଘେନ କାନନରେ କୃଷ୍ଣ… ପରିବେଷିତ ହୋଇଥିଲା। ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଦିଲ୍ଲୀରୁ ଆସିଥିବା ନୃତ୍ୟ ଶିଳ୍ପୀ ରାହୁଲ ଭର୍ସନେଙ୍କ ଶୁଦ୍ଧ ନୃତ୍ୟ ବଡ଼ ସ୍ଥାୟୀ। ଏହାର ନୃତ୍ୟ ସଂରଚନା କରିଥି‌ଲେ ଗୁରୁ ଦୁର୍ଗାଚରଣ ରଣବୀର। ଆମେରିକାର କାକଳୀ ପରମଗୁରୁଙ୍କ ଦ୍ୱାରା ଅଭିନୟ ‘ଗାନ୍ଧାରୀର ଆଶୀର୍ବାଦ’, ଜାପାନରୁ ଆସିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ଶୋୟ ଅମାଚୀଙ୍କ ଦ୍ୱାରା ପରିବେଷିତ ‘ପଲ୍ଲବୀ’ ବେଶ୍‌ ଚିତ୍ତାକର୍ଷକ ଥିଲା। ପରେ ପରେ ଅନନ୍ୟା ଦେବ ଓ ଈଶା ଛବିଙ୍କ ଦ୍ୱାରା ଓଡ଼ିଶୀ ଦ୍ୱୈତ ନୃତ୍ୟ, ଏକକ ନୃତ୍ୟରେ କଲିକତାର ଶ୍ରାବଣୀ ସେନ ଓ ସଞ୍ଜୀତ କୁମାର ପ୍ରଧାନଙ୍କ ଓଡ଼ିଶୀ ନୃତ୍ୟ ଏବଂ ପ୍ରଥମ ସଂଧ୍ୟାର ଅନ୍ତିମ କାର୍ଯ୍ୟକ୍ରମ ଓଡ଼ିଶୀ ଦଳଗତ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ।

ସମ୍ବନ୍ଧିତ ଖବର