ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ‘ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ’ ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ପୃଥିବୀର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ସୌନ୍ଦର୍ଯ୍ୟ ଓ କଳାକୁ ଦର୍ଶକମାନଙ୍କ ଆଗରେ ଉପସ୍ଥାପନ କରିବା ଏହାର ଲକ୍ଷ୍ୟ ବୋଲି ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଏହାର ଉଦ୍‌ଘାଟନୀ ସନ୍ଧ୍ୟାରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଉଦ୍‌ଘାଟନୀ ସଂଧ୍ୟାର ଅତିଥି ଭାବେ ବିଶିଷ୍ଟ ସଙ୍ଗୀତ ବିଷାରଦ ଶ୍ୟାମାମଣୀ ଦେବୀ, ବିଶିଷ୍ଟ ସଂସ୍କୃତ ବିଶାରଦ ପ୍ରଫେସର ପ୍ରଫୁଲ୍ଲ ମିଶ୍ର, ଓଡ଼ିଆ ଭାଷା, ସାହି‎ତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଦେବ ପ୍ରସାଦ ଦାଶ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ଯୋଗ ଦେଇଥିଲେ। ଏଥିରେ ମାଲେସିଆର ଦୁଇ ପ୍ରବାସୀ ରୀତା ବୁସଟନ ଓ ପବିର ମିତ୍ରଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା।

Advertisment

ଏକକ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ନୃତ୍ୟଶିଳ୍ପୀ କୁମ୍‍କୁମ୍‍ ମହାନ୍ତିଙ୍କ ଦ୍ୱାରା ପ୍ରଥମେ ଶ୍ରୀରାମ ବନ୍ଦନା ପରେ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ୟାମୀ ହେ ପରିବେଷିତ ହୋଇଥିଲା। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ପବିତ୍ର କୁମାର ପ୍ରଧାନଙ୍କ ଦ୍ୱାରା ଅଭିନୟ ପ୍ରକୃତି ପୁରୁଷ। ଏହାପରେ ଯୁଗଳ ନୃତ୍ୟ ପର୍ଯ୍ୟାୟରେ ରାକ୍ଷୀ ଏସ୍‍ଏସ୍‍ ଓ ଅର୍ଚ୍ଚନା ବାସୁଙ୍କ ଦ୍ୱାରା ମଧୁବନ୍ତୀ ପଲ୍ଲବୀ ପରିବେଷିତ ହୋଇଥିଲା। ଏକକ ନୃତ୍ୟ ପର୍ଯ୍ୟାୟରେ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ସୁକନ୍ୟା ଗାୟତ୍ରୀ ରଣବୀର, ସୌମ୍ୟା ବୋଷ, ଶକ୍ତି ସମ୍ପନ୍ନ ପରିଡ଼ା, ଶୁଚିସ୍ମିତା ସାହୁ, ଦୁଃଶାସନ ସାହୁ, ମୀନାକ୍ଷୀ ରାଣୀ ଜେନା ପରିବେଷଣ କରିଥିଲେ। ଶେଷରେ ଦିଲ୍ଲୀରୁ ଆସିଥିବା ସାରନ୍‍ ଲୋରେନ୍‍ଙ୍କ ଦ୍ୱାରା ପ୍ରତିଷ୍ଠିତ ମାନସ-ଆର୍ଟ ଉଇଦାଉଟ୍‍ ଫ୍ରଣ୍ଟିୟର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମଙ୍ଗଳା ଚରଣ ପରିବେଷିତ ହୋଇଥିଲା। ଉତ୍ସବରେ କଳାପ୍ରେମୀ ପ୍ରବାସୀ ଭାରତୀୟଙ୍କ ସହିତ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଉତ୍ସବର ସିଧାପ୍ରସାରଣ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଫେସବୁକ୍‍, ଏକ୍ସ ଓ ୟୁଟ୍ୟୁବ୍‍ ଚ୍ୟାନେଲ୍‌ରେ ଆସନ୍ତା ପାଞ୍ଚଦିନ ଧରି ପ୍ରସାରିତ ହେବ। ଏହି ପାଞ୍ଚଦିନିଆ ନୃତ୍ୟ କାର୍ଯ୍ୟକ୍ରମରେ ବିଦେଶ, ଦେଶ ତଥା ରାଜ୍ୟର ପ୍ରାୟ ୩୫୦ରୁ ଅଧିକ କଳାକାର ଯୋଗଦାନ କରୁଛନ୍ତି। କିଛି ଖ୍ୟାତନାମା ନୃତ୍ୟଶିଳ୍ପୀମାନଙ୍କ ଫଟୋ ପ୍ରଦର୍ଶନୀ, ଖାଦ୍ୟ, ମିଲେଟ୍‌ ଷ୍ଟଲ ଓ ବହି ବିକ୍ରୟ କେନ୍ଦ୍ର ସ୍ୱତନ୍ତ୍ର ଆକର୍ଷଣ ସାଜିଛି। କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ମୃତ୍ୟୁଞ୍ଜୟ ରଥ।