ଭୁବନେଶ୍ୱର: ଜ୍ୟୋତି କଳାମନ୍ଦିର ପକ୍ଷରୁ ଆନ୍ତର୍ଜାତିକ ଓଡ଼ିଶୀ ଉତ୍ସବ ‘ସଂଯୋଗ’ ଭଞ୍ଜ କଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ସୁଲତା ଦେଓ, ଗୁରୁ ଦୁର୍ଗା ଚରଣ ରଣବୀର, ଗୁରୁ କେ. ରାମାରାଓ, ଖଦି ଓ ଗ୍ରାମୋଦ୍ୟୋଗ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଓ ଗୁରୁ ପୂର୍ଣ୍ଣଶ୍ରୀ ରାଉତ ଯୋଗ ଦେଇଥିଲେ। ଜ୍ୟୋତି କଳା ମନ୍ଦିରର ପ୍ରତିଷ୍ଠାତ୍ରୀ ଓ ନିର୍ଦ୍ଦେଶିକା ଗୁରୁ ଜ୍ୟୋତି ରାଉତଙ୍କ ଦ୍ୱାରା ପରିବେଷିତ ଜଣାଣ ଅଭିନୟ ‘ଅନୁସରିତ’ ବେଶ୍ ଚିତ୍ତାକର୍ଷକ ଥିଲା। କଳା ମନ୍ଦିରର କଳାକାରମାନଙ୍କ ଦ୍ୱାରା ‘ସରଗମ ଗୀତ୍’ ନୃତ୍ୟ ପରିବେଷିତ ହୋଇଥିଲା।
ଗୁରୁ ଇଲିଆନା ସିତାରିସ୍ତିଙ୍କ ଦ୍ୱାରା ମୋନମୋହକ ଅଭିନୟ ଖୁବ୍ ସୁନ୍ଦର ଥିଲା, ଗୁରୁ ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ଦ୍ୱାରା ‘ଶ୍ୟାମ ସମ କମନୀୟ ନାହିଁ ଲୋ’ ପରିବେଷିତ ହୋଇଥିଲା। ଏହା ପରେ ନୃତ୍ୟଶିଳ୍ପୀ ବିନୋଦ ଚନ୍ଦ୍ର ସାହୁଙ୍କ ଦ୍ୱାରା ଶ୍ରିତ କମଳା, ରସିକା ଗୁମାସ୍ତେଙ୍କ ଦ୍ୱାରା ଦଳଗତ ପରିବେଷଣ ଦଶାବତାର ଓ ତାପସୀ ରଥଙ୍କ ଦ୍ୱାରା ସାବେରୀ ପଲ୍ଲବୀ ପରିବେଷିତ ହୋଇଥିଲା। ଜ୍ୟୋତି କଳା ମନ୍ଦିରର ବରିଷ୍ଠ କଳାକାରମାନଙ୍କ ଦ୍ୱାରା ବ୍ରଜରାଜ କୁମାର, ଅୟଗିରି ନନ୍ଦିନୀ, କୃଷ୍ଣ ତାଣ୍ଡବ, କିରୱାନି ପଲ୍ଲବୀ ଓ ମୋକ୍ଷ ବେଶ ମନୋରମ ଥିଲା। ଗୁରୁ ଡ. ସଂଗୀତା ଗୋସାଇଁ ଏହାକୁ ପରିଚାଳନା କରିଥିଲେ।