ଭୁବନେଶ୍ବର: ଆଉଟରିଚ୍ ପକ୍ଷରୁ ‘ନବମ ଆଉଟରିଚ୍‌ ଅନ୍ତର୍ଜାତୀୟ ରେଡିଓ ମେଳା’ ବିଶ୍ବ ରେଡିଓ ଦିବସ ଅବସରରେ ଆସନ୍ତା ୧୧ରୁ ୧୩ ତାରିଖ ୩ ଦିନ ଧରି ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହେବ। ଏଥିରେ ଶହଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମୋଫୋନ୍‌ ସହ ହାମ୍ ରେଡିଓ ପ୍ରଦର୍ଶିତ ହେବ। ଏହାଛଡ଼ା ଦିଲ୍ଲୀର ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍‌ ଇଣ୍ଡିଆ ଲିମିଟେଡ୍‌, ରେଡିଓ ଟ୍ରାନ୍ସମିଟର୍‌ ଏବଂ ରେଡିଓ ଯନ୍ତ୍ରପାତି ପ୍ରଦର୍ଶନ କରିବେ। ଜୟଦେବ ଭବନ ପ୍ରଦର୍ଶନୀ କକ୍ଷଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଉଟ୍‌ରିଚର ମୁଖ୍ୟ ସୁବ୍ରତ କୁମାର ପତି ଏହି ସୂଚନା ଦେଇଛନ୍ତି।

Advertisment

ଏହି ମେଳାରେ ଓଡ଼ିଶାର ଲୋକପ୍ରିୟ ରେଡିଓ ଜକି ସଂଗ୍ରାମଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ମେମୋରିଆଲ ଆଓ୍ୱାର୍ଡ, ପ୍ରଖ୍ୟାତ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କୁ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆଓ୍ୱାର୍ଡ ଏବଂ ଅବସରପ୍ରାପ୍ତ ସମ୍ବାଦ ପାଠକ ରବି ଶତପଥୀଙ୍କୁ ନଦିଆ ବିହାରୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ। ଚଣ୍ଡିଗଡ଼ର ରେଡିଓ ପଞ୍ଜାବକୁ ଚଳିତବର୍ଷ ଶ୍ରେଷ୍ଠ କମ୍ୟୁନିଟି ରେଡିଓ ଭାବେ ସମ୍ମାନିତ କରାଯିବ। ଜାମ୍ମୁ କଶ୍ମୀରର ରେଡିଓ ପିରପଞ୍ଜଲକୁ ଜନସେବାରେ ରେଡିଓର ସର୍ବୋତ୍ତମ ବ୍ୟବହାର ପାଇଁ ସମ୍ମାନିତ କରାଯିବ। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ରେଡିଓ ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ସେହିପରି ଶେଷ ସଂଧ୍ୟା‌ରେ ସ୍ୱାଧୀନତା ଆନ୍ଦୋଳନରେ ରେଡିଓର ଯୋଗଦାନ ସମ୍ପର୍କିତ ଏକ ବିଷୟକୁ ନେଇ ରେଡିଓ ନାଟକ ‘ଦ ଅଣ୍ଡରଗ୍ରାଉଣ୍ଡ୍‌ ରେଡିଓ’ କରାଯିବ। ଏହାବ୍ୟତୀତ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।