ଭାରତରେ ୧୦୦୦ କୋଟି ବିନିଯୋଗ କରିବ ଜାପାନ

‘ଭାରତ ଓ ଜାପାନ ସମ୍ପର୍କ: ପ୍ରସଙ୍ଗ ଓ ଆହ୍ଵାନ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : ଭାରତରେ ଏକ ହଜାର କୋଟି ଟଙ୍କା ବିନିଯୋଗ କରିବ ଜାପାନ। ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ସହ ଜାପାନର ବହୁମୁଖୀ କମ୍ପାନି ସେମାନଙ୍କ ଶାଖା କାର୍ଯ୍ୟାଳୟ ଏଠାରେ ପ୍ରତିଷ୍ଠା କରିବେ। ଉଭୟ ଦେଶର ଉତ୍ପାଦିତ ଦ୍ରବ୍ୟର ବାଣିଜ୍ୟିକ ବିନିମୟ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କୋଲକାତାସ୍ଥିତ ଜାପାନ କନ୍‌ସୁଲ ଜେନେରାଲ୍‌ ମାସାୟୁକି ତାଗା କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଓ ନୃତତ୍ତ୍ୱ ବିଜ୍ଞାନ ବିଭାଗରେ ପ୍ରଚଳିତ ଜାପାନ ଭାଷା ପାଇଲଟ୍‌ ପ୍ରକଳ୍ପ ପକ୍ଷରୁ ପିଜି କାଉନ୍‌ସିଲ୍‌ ହଲ୍‌ରେ ଅନୁଷ୍ଠିତ ‘ଭାରତ ଓ ଜାପାନ ସମ୍ପର୍କ: ପ୍ରସଙ୍ଗ ଓ ଆହ୍ଵାନ’ ଶୀର୍ଷକ ଅନ୍ତର୍ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ତାଗା କହିଲେ, ଜାପାନ ଓ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ସମ୍ପର୍କ ବହୁ ପୁରୁଣା। ଜାପାନର କଳା, ସଂସ୍କୃତି, ପରମ୍ପରା, ସାହିତ୍ୟ, ଐତିହ୍ୟ, ରାଜନୀତି ଆଦି ଭାରତ ସହ ସାମଞ୍ଜସ୍ୟ ରହିଛି। ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ହୋଇପାରିଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବାକୁ ଥିବା ଜାପାନ ଭାଷା କେନ୍ଦ୍ର ପାଇଁ ଜାପାନ ସରକାରଙ୍କ ପକ୍ଷରୁ ଶୈକ୍ଷିକ ଉପକରଣ ଓ ଶିକ୍ଷକ ଯୋଗାଇ ଦେବାକୁ ଯୋଜନା ହୋଇଛି। ହେଲେ ଉତ୍କଳରେ ଏହି କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ ଓଡ଼ିଶା ସରକାର ଆବଶ୍ୟକ ସହଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାପାନସ୍ଥିତ ଜିଫୁ ମହିଳା ବିଶ୍ୱବିଦ୍ୟାଳୟର ପ୍ରଫେସର ତାକେନୋରି ହୋରିମୋତୋ ଯୋଗଦେଇ ଜାପାନ ଓ ଭାରତ ମଧ୍ୟରେ ସମ୍ପର୍କ ସ୍ଥାପନର ଅତୀତ ଓ ବର୍ତମାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇକ୍ୟୁଏସି ନିର୍ଦେଶକ ପ୍ରଫେସର କିଶୋର ବାସା, ଡିଡିସିଇ ପୂର୍ବତନ ନିର୍ଦେଶକ ପ୍ରଫେସର ସୁସ୍ମିତ ପାଣି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଜାପାନ ଭାଷା ପାଇଲଟ୍‌ ପ୍ରକଳ୍ପ ସଂଯୋଜକ ତଥା ନୃତତ୍ତ୍ୱ ବିଜ୍ଞାନ ବିଭାଗ ମୁଖ୍ୟ ଡ. ପ୍ରସନ୍ନ କୁମାର ପାତ୍ର ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ରାଜନୀତି ବିଜ୍ଞାନ ମୁଖ୍ୟ ଡ. ସ୍ମିତା ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପିକା ଡ. ସୀମା ମଲ୍ଲିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର