ଅର୍ନ୍ତଜାତୀୟ ସ୍ୱେଚ୍ଛାସେବୀ ଦିବସ, ‘ଗାନ୍ଧୀବାଦ ଓ ସ୍ୱେଚ୍ଛାସେବୀ ଅଙ୍ଗାଙ୍ଗୀ ଜଡ଼ିତ

ଭୁବନେଶ୍ୱର: ଏକ ସ୍ବଚ୍ଛ, ସଂକଳ୍ପବଦ୍ଧ ଓ ସମର୍ପିତ ମନ ହିଁ ଜଣେ ସାଧାରଣ ମଣିଷକୁ ସ୍ବେଚ୍ଛାସେବୀ ଭାବେ ଗଢ଼ି ତୋଳେ। ମହାତ୍ମା ଗାନ୍ଧୀଙ୍କ ବିଚାରଧାରାରେ ସର୍ବଦା ସ୍ୱେଚ୍ଛାସେବୀର ସ୍ଥାନ ସ୍ୱତନ୍ତ୍ର। ଗାନ୍ଧୀବାଦ ଓ ସ୍ୱେଚ୍ଛାସେବୀ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପାଳନ ଅବସରରେ ସିୱାଇଏସ୍‌ଡି ପରିସରରେ ଆୟୋଜିତ ‘ସ୍ୱେଚ୍ଛାସେବା ଓ ମହାତ୍ମା ଗାନ୍ଧୀ’ ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତ ପ୍ରକାଶ ପାଇଛି। କ୍ଲାପ୍‍, ସୋଚ୍‍, ଏସଆଇଟିଓସି, ଆର୍‍ସିଡିସି, ନିୟତି ଫାଉଣ୍ଡେସନ୍‍, ଏନ୍‍ୱାଇପି, ସଲାମ୍‍ ଜୀବନ, ବାହାଇ ଓ ସିୱାଇଏସ୍‍ଡିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ଭାଇ ଏଥିରେ ଯୋଗଦେଇ କହିଲେ, ନିରନ୍ତର ବିକାଶ ଦିଗରେ ଦାରିଦ୍ର୍ୟ ମୁଖ୍ୟ ପ୍ରତିବନ୍ଧକ। ନିଶା, ଆଳସ୍ୟ ଓ ଜଡ଼ତା ହିଁ ଏହାର ମୂଳ କାରଣ ବୋଲି ୧୯୨୧ ମସିହାରେ ଓଡ଼ିଶା ଗସ୍ତ ସମୟରେ ଗାନ୍ଧୀ କହିଥିଲେ। ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଯୋଗଦେଇ କହିଲେ, ପ୍ରାକୃତିକ ସମ୍ବଳର ସୁବିନିଯୋଗ, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ କୁସଂସ୍କାର ଦୂରେଇବା ଏବଂ ମାନବ ଅଧିକାର ଭଳି ସମସ୍ୟାର ବିଭିନ୍ନ ଦିଗକୁ ଗାନ୍ଧୀବାଦରେ ଗୁରୁତ୍ୱ ଦିଆଯାଇଛି। ୟୁଏନ୍‍ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର କହିଲେ, ଆମ ମା’ମାନେ ନିଜ ପେଟରୁ ମୁଠେ ଚାଉଳ କାଟି ଦୁଃଖୀ ଦରିଦ୍ରଙ୍କୁ ଦାନ କରିବା ବି ଏକ ପ୍ରକାର ସ୍ୱେଚ୍ଛ‌ସେବା। ଟାଟା ଷ୍ଟିଲ୍‍ ସିଏସ୍‍ଆର୍‍ର ଓଡ଼ିଶା ମୁଖ୍ୟ ଅମ୍ବିକା ନନ୍ଦ କହିଲେ, ଗାନ୍ଧୀଙ୍କର ଦୁଇଟି ପ୍ରମୁଖ ଅସ୍ତ୍ର- ସତ୍ୟ ଓ ଅହିଂସା ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଦୁଇଟି ମାର୍ଗ- ସେବା ଓ ତ୍ୟାଗକୁ ଜଣେ ସ୍ୱେଚ୍ଛାସେବୀ ନିଜ ଜୀବନର ବ୍ରତ କରିବା ଉଚିତ। ସେହିପରି ସିୱାଇଏସ୍‍ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ କହିଲେ, ଆଗାମୀ ବଂଶଧରମାନଙ୍କ ପାଇଁ ପୃଥିବୀକୁ ଆହୁରି ସରସ ଓ ସୁନ୍ଦର କରିବା ଦିଗରେ ଜଣେ ସ୍ୱେଚ୍ଛାସେବୀ ପ୍ରଥମେ ଜଣେ ଭଲ ଓ ସମ୍ବେଦନଶୀଳ ମନ ସହ ଦରଦୀ ମଣିଷଟିଏ ହେବା ଆବଶ୍ୟକ। ସିୱାଇଏସ୍‍ଡିର ସହ ପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ଜଗଦାନନ୍ଦ କହିଲେ, ଫନି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ସ୍ୱେଚ୍ଛାସେବୀ ସ୍ୱତଃପ୍ରବୃତ୍ତ ଆସି ରିଲିଫ୍‍ ଓ ପୁନଃଥଇଥାନ କାମରେ ନିୟୋଜିତ ହୋଇଥିଲେ। ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବା ଉଚିତ ବୋଲି ସେ କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଆରସିଡିସିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାସ ଉଦ୍‌ଯାପନୀ ଭାଷଣ ଓ ସଲାମ୍‍ ଜୀବନର ପ୍ରତିନିଧି ଇମ୍ରାନ୍‍ ଖାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର