ଅର୍ନ୍ତଜାତୀୟ ବ୍ୟାଘ୍ର ଦିବସ: ବାଘ ହିଁ ବନ୍ୟପ୍ରାଣୀ ସନ୍ତୁଳନ ରକ୍ଷକ

କେଏମ୍‌ବିବି କଲେଜ: ଭୁବନେଶ୍ବର: ତ୍ରିଶୁଳିଆ ନରଣପୁରସ୍ଥିତ କେଏମ୍‌ବିବି ସାଇନ୍‌ସ କଲେଜରେ ‘ଅର୍ନ୍ତଜାତୀୟ ବ୍ୟାଘ୍ର ଦିବସ’ ପାଳିତ ହୋଇଯାଇଛି। କେଏମ୍‌ବିବି ଇକୋ କ୍ଲବ୍‌, ଏଭର୍‌ଗ୍ରିନ୍‌‌‌‌ ଫୋରମ୍‌ ଏବଂ ପ୍ରକୃତି ଓ ଓଡ଼ିଶା ବନ୍ୟପ୍ରାଣୀ ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ସରୋଜ ପଟ୍ଟନାୟକ‌ ଯୋଗଦେଇଥିଲେ। ଜଙ୍ଗଲ ସୁରକ୍ଷାରେ ବାଘମାନଙ୍କ ଭୂମିକା ବିଷୟରେ ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବନ୍ୟପ୍ରାଣୀ ବିଶେଷଜ୍ଞ ଲାଲ୍‌ ଅଶ୍ବିନୀ କୁମାର ସିଂହ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ୫୦ ବର୍ଷରେ ବ୍ୟାଘ୍ର ସଂରକ୍ଷଣର ସଫଳତା ଏବଂ ଜୈବ ବିବିଧତା ରକ୍ଷାରେ ବାଘମାନଙ୍କର ଭୂମିକା ସମ୍ପର୍କରେ ରେଖାପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଭୁବନେଶ୍ବର ସର୍କଲ୍‌ ପୂର୍ବତନ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର କହିଲେ ଯେ ଜଙ୍ଗଲରେ ବାଘ ଥିଲେ ହିଁ ଅନ୍ୟ ବନ୍ୟପ୍ରାଣୀ ମଧ୍ୟରେ ସନ୍ତୁଳନ ରକ୍ଷା ହୋଇଥାଏ। କଲେଜର ଅଧ୍ୟକ୍ଷ ବିଜୁନି ଚରଣ ସୂତାର ସଭାପତିତ୍ବ କରିଥିବା ବେଳେ ଫୋରମ୍‌ର ସଭାପତି ପ୍ରକାଶ ଚନ୍ଦ୍ର ଜେନା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ୟାଘ୍ର ସଂରକ୍ଷଣ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାରୀ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ୩ ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ କଲେଜର ଅଧ୍ୟାପକ ସନ୍ତୋଷ ସାହୁ ଓ ଅଧ୍ୟାପିକା ରୋମାଲି ସୋନ୍‌ମ ସମର୍ପିତା ପରିଚାଳନା କରିଥିଲେ। ଅଧ୍ୟାପିକା ମିନତିପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ।

ନନ୍ଦନକାନନ: ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୪ତମ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି। ଏକଦା ପ୍ରାଣୀ ଉଦ୍ୟାନ ପାଚେରି ଡେଇଁ ଭିତରକୁ ପଶିଯାଇଥିବା ଚନ୍ଦକା ଅଭୟାରଣ୍ୟର ଜଙ୍ଗଲି ବାଘ ‘ନନ୍ଦନ’ର ପ୍ରତିକୃତି ସମ୍ମୁଖରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉପନିର୍ଦ୍ଦେଶକ ସନତ କୁମାର ନାରାୟଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ସେଲିବ୍ରିଟି ଓ ବ୍ୟାଘ୍ରପ୍ରେମୀମାନେ ଅଂଶଗ୍ରହଣ କରିଥିଲେ। ପ୍ର‌ଶ୍ନୋତ୍ତର କାର୍ଯ୍ୟକ୍ରମର ସଫଳ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେଲିବ୍ରିଟି ସମର୍ପିତା ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସନ୍ତୁଳନ ରକ୍ଷା ଉପରେ ବୁଝାଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏସିଏଫ୍ ଶରତ କୁମାର ସାହୁ, ଏସିଏଫ୍ ରଶ୍ମିରଞ୍ଜନ ସ୍ବାଇଁ, ବରିଷ୍ଠ ପ୍ରାଣୀ ଚିକିତ୍ସକ ଶରତ କୁମାର ମିଶ୍ର, ଡାକ୍ତର ଶରତ କୁମାର ସାହୁ, ଡାକ୍ତର ରାଜେଶ କୁମାର ମହାପାତ୍ର, ରେଞ୍ଜ୍‌ ଅଫିସର ରଣଜିତ ମହାନ୍ତି, ଜିଏଫ୍ ଖାଁ, ସରୋଜ ପଣ୍ଡା, ଗଗନ ବିହାରୀ ମଲ୍ଲିକ। ଶିକ୍ଷା ବିଭାଗ ଅଧିକାରୀ ମିଲନ୍‌ କୁମାର ପଣ୍ଡା, ରୂପ୍‌ସାନା ପ୍ରଧାନ ଏବଂ ବନପାଳ, ବନରକ୍ଷୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର: ଭୁବନେଶ୍ବର: ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଆଜି ପାଳିତ ହୋଇଯାଇଛି। ଦେଶ ଓ ବିଶ୍ବରେ ଧୀରେଧୀରେ ବାଘମାନଙ୍କ ସଂଖ୍ୟା ହ୍ରାସ ପାଉଥିବ‌ା ବେଳେ ବାଘ ସଂରକ୍ଷଣ ଓ ସୁରକ୍ଷା ପ୍ରତି ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି। ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଡିଏଫ୍‌ଓ ସୁରେଶ କୁମାର ମିଶ୍ର ‘ବ୍ୟାଘ୍ର ପ୍ରକଳ୍ପ’ ଉପରେ ଆଲୋଚନା କରିଥିଲେ। ଡାକ ଟିକେଟ ସଂଗ୍ରାହକ ଶାନ୍ତିସ୍ବରୂପ ରଥ ‘ବିୟଣ୍ଡ୍‌ ଦ ଷ୍ଟ୍ରାଇପ୍‌ସ୍‌’ ପ୍ରଦର୍ଶନୀର ଆୟୋଜନ କରିଥିଲେ। ଏହି ପ୍ରଦର୍ଶନୀରେ ବାଘମାନଙ୍କ କାହାଣୀ, ମାନବ ସମାଜ ପାଇଁ ବାଘମାନଙ୍କ ଭୂମିକା ସମ୍ପର୍କିତ ବହୁ ଫଟୋଚିତ୍ର ପ୍ରଦର୍ଶିତ ହୋଇଥିଲା। ଏଥିସହ ବିଭିନ୍ନ ପ୍ରକାର ଷ୍ଟାମ୍ପ ଓ ପୋଷ୍ଟ କାର୍ଡ ପ୍ରଦର୍ଶିତ କରିଥିଲେ। ବାଘ ଉପରେ ଥିବା ଭାରତୀୟ ଷ୍ଟାମ୍ପ, ପୋଷ୍ଟ କାର୍ଡ ଓ ଡାକ ଟିକଟକୁ ନେଇ ଆଲୋଚନା ହୋଇଥିଲା। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ କପିଲ ଜୈନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର