ବାରଙ୍ଗ: ୨୦୧୦ ମସିହାରୁ ବିଶ୍ବ ବ୍ୟାପୀ ଜୁଲାଇ ମାସ ୨୯ ତାରିଖକୁ ବିଶ୍ବ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି। ବିଶ୍ବବ୍ୟାପୀ ଜଙ୍ଗଲରେ ବର୍ତ୍ତମାନ ମୋଟ୍ ୫,୫୭୪ ବାଘ ଥିବା ବେଳେ ୨୦୧୪ ବାଘ ଗଣନା ଅନୁସାରେ ଭାରତରେ ୨,୨୨୬ ବାଘ ଅଛନ୍ତି। ୨୦୨୫ରେ ଏହି ସଂଖ୍ୟା ବୃଦ୍ଧି ପାଇ ମୋଟ୍ ୩,୬୮୨ରେ ପହଞ୍ଚିଛି। ୧୯୬୦ ମସିହାରେ ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ଜନ୍ମ ଓ ମୃତ୍ୟୁ ସତ୍ତ୍ବେ ସଂଖ୍ୟା ବୃଦ୍ଧି ପାଇ ୨୮ରେ ପହଞ୍ଚିଛି। ନନ୍ଦନକାନନରେ ମଧ୍ୟ ବାଘକୁ ନେଇ ଅନେକ ଚର୍ଚ୍ଚିତ ଘଟଣା ରହିଛି।
୧୯୭୯ ମସିହା ଡିସେମ୍ବର ୨୮ ତାରିଖରେ ନନ୍ଦନକାନନ କର୍ତ୍ତୃପକ୍ଷ ଧଳା ବାଘ ପ୍ରଜନନ ଯୋଜନା କରି ପ୍ରଥମ କରି ଦିଲ୍ଲୀ ଚିଡ଼ିଆଖାନାରୁ ଶୁଭ୍ରା ନାମକ ଧଳା ବାଘୁଣୀକୁ ଆଣିଥିଲେ। ହେଲେ ଶୁଭ୍ରାର ମୃତ୍ୟୁ ହେଲା ପଛେ ଯୋଜନା ସଫଳ ହୋଇନଥିଲା। ଶେଷରେ ୧୯୮୦ ମସିହା ଜାନୁଆାରି ୮ ତାରିଖରେ ନନ୍ଦନକାନନରେ ସାଧାରଣ ନାଲିରଙ୍ଗର ମହାବଳ ବାଘ ଦୀପକ ଓ ବାଘୁଣୀ ଗଙ୍ଗା ୩ଟି ଧଳା ରଙ୍ଗର ଶାବକ ଜନ୍ମ ଦେବା ଫଳରେ ନନ୍ଦନକାନନ ଇତିହାସରେ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଥିଲା। ସେହିପରି ଧଳା ବାଘୁଣୀ କୁସୁମ ସର୍ବାଧିକ ୨୨ବର୍ଷ ବଞ୍ଚି ରହିବାର ରେକର୍ଡ କରିବା ସହିତ ୧୨ଟି ଶାବକ ଜନ୍ମ ଦେଇ ବଂଶବୃଦ୍ଧିର ମୁଖ୍ୟ ସୂତ୍ରଧର ହୋଇଥିଲା। ଏବେ ଧଳା ବାଘ ସଂଖ୍ୟା ୭(୩ ଅଣ୍ଡିରା ଓ ୨ ମାଈ) ରହିଛି। ୨୦୦୦ ମସିହାରେ ନନ୍ଦନକାନନରେ ବାଘମାନଙ୍କ ସଂକ୍ରମଣ ସାଙ୍ଗକୁ ମଡ଼କ ଭୟ ଦେଖାଯାଇଥିଲା। ବେରେନିଲ୍ ଇଞ୍ଜେକ୍ସନ ଦିଆଯିବା ପରେ ଗୋଟିଏ ଦିନରେ ୧୨ ବାଘଙ୍କର ମୃତ୍ୟୁ ଘଟଣା ଏବେ ବି କର୍ତ୍ତୃପକ୍ଷ, କର୍ମଚାରୀ ଓ ବ୍ୟାଘ୍ରପ୍ରେମୀଙ୍କ ମହଲରେ ଦୁଃଖର ବିଷୟ ହୋଇ ରହିଛି।
୨୦୧୩ ମସିହା ଜୁଲାଇ ୧୩ ତାରିଖରେ ନନ୍ଦନକାନନର ବାଘୁଣୀ ମେଘା’ର ପ୍ରେମରେ ଆକୃଷ୍ଟ ହୋଇ ଚନ୍ଦକା ଜଙ୍ଗଲର ମହାବଳ ବାଘ ‘ନନ୍ଦନ’ ଅନୁପ୍ରବେଶ କରିଥିଲା। ଧରାପଡ଼ିବା ପରେ ଅଟକି ରହିଥିଲା। ୨୦୧୫ ମସିହାରେ ନନ୍ଦନ ସହିତ ମେଘାକୁ ମିଳନର ସୁଯୋଗ ନଦେଇ ସରାକୁ ଦିଆଯାଇଥିଲା। ଯାହାକୁ ମେଘା ବରଦାସ୍ତ କରିପାରି ନଥିଲା। ଏକଦା ରାଗରେ ଜର୍ଜରିତ ମେଘାକୁ ସୁଯୋଗ ମିଳିଥିଲା। ସାରାର ଡାହାଣ ପାଖ ଆଗ ଗୋଡ଼ ମେଘା ଖୁଆଡ଼ ପଟକୁ ଚାଲି ଆସିଥାଏ। ଏହାର ସୁଯୋଗ ନେଇ ମେଘା ଆକ୍ରମଣ କରି ସାରାକୁ ଝୁଣି ଦେଇଥିଲା। ସାରା ଚିକିତ୍ସା ପାଇଁ ଯାଇ ଦୂରରେ ରହିବା ପରେ ମେଘାକୁ ମିଳିଥିଲା ନନ୍ଦନ ସହ ମିଳନର ସୁଯୋଗ। ଉଭୟଙ୍କ ମିଳନରୁ ୨୦୧୬ ମସିହା ୨୦ ତାରିଖରେ ୨ଟି ଶାବକ ‘ବାହୁବଳୀ’ ଓ ‘କୁନ୍ଦନ’ ଜନ୍ମ ନେଇଥିଲେ।
ସେହିପରି ୨୦୧୪ ମସିହା ଜୁଲାଇ ୨୮ ତାରିଖରେ ଧଳା ରଙ୍ଗର ବାଘୁଣୀ ସ୍ନେହା ଓ ସାଧାରଣ ରଙ୍ଗର ମହାବଳ ମନୀଷଙ୍କ ମିଳନରୁ ନନ୍ଦନକାନନ ପ୍ରଥମ ବିରଳ କଳାରଙ୍ଗ ମହାବଳ ବାଘ ‘କ୍ରିଷ୍ଣା’ ଓ ବିରଳ ଧଳା କଳା ପଟି ରଙ୍ଗର ‘ଶୁଭ୍ରାଂଶୁ’ ଜନ୍ମ ନେଇଥିଲେ। ପୁଣି ଉଭୟ ବାଘ ବାଘୁଣୀଙ୍କ ମିଳନରୁ ବିରଳ କଳା ରଙ୍ଗ ମହାବଳ ‘ଭିକି’ ଜନ୍ମ ନେଇଥିଲା। ୨୦୧୮ ଡିସେମ୍ବର ୨୨ ତାରିଖରେ ସାଧାରଣ ନାଲି ରଙ୍ଗର ‘ରେଣୁକା’ ଓ ଧଳା ରଙ୍ଗର ମହାବଳ ‘ସମ୍ରାଟ’ ମିଳନରୁ ବିରଳ କଳା ରଙ୍ଗର ବାଘ ଶାବକ ‘ସ୍ପନ୍ଦନ’ ଓ ‘ବାସୁ ’ଜନ୍ମ ନେଇଥିଲେ। ନନ୍ଦନକାନନର କଳାବାଘ ପ୍ରଜନନରେ ମଧ୍ୟ ବିରଳ ରେକର୍ଡ ରହିଛି। ବର୍ତ୍ତମାନ ନନ୍ଦନକାନନରେ ମୋଟ୍ ୪ଟି ବିରଳ କଳାବାଘ (୩ ମହାବଳ କ୍ରିଷ୍ଣା, ସ୍ପନ୍ଦନ, ବାସୁ ଓ ୧ ମାଈ କ୍ରିଷ୍ଣାପ୍ରିୟା) ଅଛନ୍ତି। ସେହିପରି ୧୯ଟି ସାଧାରଣ ନାଲି ମଧ୍ୟରେ ୧୧ ବାଘ ଓ ୮ ବାଘୁଣୀ ଅଛନ୍ତି। ସର୍ବମୋଟ୍ ୨୮ଟି ବାଘ ଥିବା ବେଳେ ଏମାନଙ୍କ ମଧ୍ୟରେ ୧୬ଟି ବାଘ ଓ ୧୨ଟି ବାଘୁଣୀ ଅଛନ୍ତି।