‘ଖାଦ୍ୟ ପ୍ରକ୍ରିୟାକରଣ,ପ୍ୟାକେଜିଂ ଓ ଜେଡ୍’ ଶୀର୍ଷକ ଆଲୋଚନାଚକ୍ର : ଖାଦ୍ୟ ପ୍ରକ୍ରିୟାକରଣରେ ରାଜ୍ୟରେ ବହୁ ସମ୍ଭାବନା ରହିଛି
ଭୁବନେଶ୍ବର : ରାଜ୍ୟ ଏମ୍ଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୯ ଅବସରରେ ଆଜି ‘ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ ଓ ଜେଡ୍’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାଚକ୍ରକୁ ଆରମ୍ଭ କରି ଶିଳ୍ପ ନିର୍ଦେଶକ ପ୍ରଣବଜ୍ୟୋତି ନାଥ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଥିବା ସୁଯୋଗ, ସମ୍ଭାବନା, ମୂଲ୍ୟଯୁକ୍ତ, ନିୟାମକ ସମସ୍ୟା, ପ୍ରଦୂଷଣ ସଂପର୍କିତ ସମସ୍ୟା, ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ଉପରେ ଆଲୋଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ପ୍ୟାକେଜିଂର ନିର୍ଦେଶକ ଏନ୍.ସି ସାହା କହିଲେ, ପ୍ୟାକେଜିଂ ଓ ଖାଦ୍ୟ ପ୍ରକ୍ରିୟାକରଣ ପରସ୍ପର ପରିପୂରକ। ପ୍ୟାକେଜିଂ ବ୍ୟବହାର ଭାରତ ଓ ଚୀନ୍ରେ ସର୍ବାଧିକ। ତେଣୁ ଏହି ଶିଳ୍ପରେ ପୁଞ୍ଜିନିବେଶ କଲେ ଉଦ୍ୟୋଗୀମାନେ ଲାଭବାନ ହୋଇପାରିବେ। ଏଫ୍ଏସ୍ଏସ୍ଏଆଇର ପରାମର୍ଶଦାତା ଡି.ପି ଗୁହା ଖାଦ୍ୟ ସୁରକ୍ଷା ଏଣ୍ଡ ମାନକ ଆଇନ ୨୦୦୬ ସଂପର୍କରେ ଆଲୋଚନା କରିଥିଲେ। ଓୱାଇଏର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମିଶ୍ର କହିଲେ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ଏକ ନୋଡାଲ ସଂସ୍ଥା ଗଠନର ଆବଶ୍ୟକତା ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ବାୟୁ, ଜଳ, ପରିବେଶ ସୁରକ୍ଷା ଆଇନ ସଂପର୍କରେ ସୂଚନା ଦେଇଥିଲେ। ବୋର୍ଡ ଗୋ-ସୁଇଫ୍ଟ ପୋର୍ଟାଲ ସହିତ ସଂଯୁକ୍ତ ହୋଇଛି। ଫଳରେ ଇଜ୍ ଅଫ ଡୁଇଁ ବିଜିନେସର ସୁଫଳ ସମସ୍ତେ ପାଇପାରିବେ। ଏହାସହ ସମୟାନୁଭୁତ୍ତିକ ଅନୁମତି ପ୍ରଦାନ ପାଇଁ ବୋର୍ଡର ନିଜସ୍ବ ଏକ ଅନଲାଇନ ପୋର୍ଟାଲ ମଧ୍ୟ ରହିଛି।
କ୍ୟୁସିଆଇର ବରିଷ୍ଠ ନିର୍ଦେଶକ ଏ ରାଜ୍, ଜିରୋ ଡିଫେକ୍ଟ ଓ ଜିରୋ ଇଫେକ୍ଟ ପାଇଁ ୫୦ଟି ମାନକ ମଧ୍ୟରେ ୩୦ଟି ମାନକକୁ ବିଚାରକୁ ନିଆଯାଇଥାଏ। ଏଥିରେ କାଂସ୍ୟ, ରୌପ୍ୟ, ସ୍ବର୍ଣ୍ଣ, ହୀରକ ଓ ପ୍ଲାଟିନମ ଆଦି ୨୦ଟି ମାନକ ରହିଛି ବୋଲି ସେ କହିଥିଲେ। ପୌର ପ୍ରଶାସନର ନିର୍ଦେଶକ ସଂଗ୍ରାମଜିତ ନାୟକ କହିଥିଲେ, ଏମ୍ଏସ୍ଏମ୍ଇଙ୍କୁ ଟ୍ରେଡ ଲାଇସେନ୍ସ ଅନଲାଇନ ମାଧ୍ୟମରେ ଦିଆଯାଉଛି। ଆପିକଲର ପରିଚାଳନା ନିର୍ଦେଶକ ଏସ୍ ଏସ୍ ଦେ, ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଥିବା ସମ୍ବଳ ସମ୍ଭାବନା ଓ ଆହ୍ବାନ ସଂପର୍କରେ ଆଲୋଚନା କରିଥିଲେ। ଏମ୍ଏସ୍ଏମ୍ଇ ବିଭାଗର ଉପଶାସନ ସଚିବ ମାନସୀ ମାନ୍ଧାତା ଧନ୍ୟବାଦ ଦେଇଥିଲେ। ଏହି ଆଲୋଚନାଚକ୍ରରେ ଉଦ୍ୟୋଗୀ ଓ ଶିଳ୍ପ ସଂଘର ପ୍ରତିନିଧି ଯୋଗ ଦେଇଥିଲେ। ପରବର୍ତୀ ଆଲୋଚନାଚକ୍ରରେ ମହିଳା ଓ ଶିଶୁବିକାଶ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ରାଜ୍ୟର ଅର୍ଥନୀତିକୁ ଏମ୍ଏସ୍ଏମ୍ଇମାନଙ୍କ ଅବଦାନ ଯଥେଷ୍ଟ ଅଧିକ। ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତ ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ସହିତ ଅନେକ ଅନୁକୂଳ ନୀତି ପ୍ରଣୟନ କରିଛନ୍ତି ବୋଲି ସେ କହିଥିଲେ।
ଭିଏତନାମର ରାଷ୍ଟ୍ରଦୂତ ମି.ଫାନ୍ ସାନ୍ସ ଚାଉ କହିଲେ, ଓଡ଼ିଶାର ଏମ୍ଏସ୍ଏମ୍ଇମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ, ଯାତ୍ରା ଓ ପର୍ଯ୍ୟଟନ, ଔଷଧ, ସ୍ବାସ୍ଥ୍ୟସେବା, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଭିଏତନାମ ସହିତ ବାଣିଜ୍ୟ କାରବାର ପାଇଁ ଆମନ୍ତ୍ରଣ କରିଥିଲେ। ଗତବର୍ଷ ଭାରତ ଓ ଭିଏତନାମ ମଧ୍ୟରେ ବାଣିଜ୍ୟିକ କାରବାର ୪୦ ପ୍ରତିଶତ ବୃଦ୍ଧି ପାଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ରାଜ୍ୟର ବିଭିନ୍ନ ଶିଳ୍ପସଂଘ ସହିତ ବାଣିଜ୍ୟ ସଂପର୍କରେ ଆଲୋଚନା କରିଥିଲେ। ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା କହିଲେ, ଏମ୍ଏସ୍ଏମ୍ଇ କ୍ଷେତ୍ର ମୁଖ୍ୟତଃ ଅଣୁ କ୍ଷେତ୍ର ଉପରେ ପର୍ଯ୍ୟବସିତ। ୯୯ ପ୍ରତିଶତ ଉଦ୍ୟୋଗ ଅଣୁ ଉଦ୍ୟୋଗ ଶ୍ରେଣୀର। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରାଜ୍ୟର ଏମ୍ଏସ୍ଏମ୍ଇମାନଙ୍କର ସ୍ଥିତି ସଂପର୍କରେ ଏକ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। ସ୍ଥାନୀୟ ଏମ୍ଏସ୍ଏମ୍ଇମାନେ ନିଜର ବ୍ୟବସାୟ ବୃଦ୍ଧି କରିବା ପାଇଁ ଜେମ୍ରେ ପଞ୍ଜୀକୃତ ହେବା ପାଇଁ ସେ ପରାମର୍ଶ ଦେଇଥିଲେ।
ଏନ୍ଏସ୍ଆଇସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ସୁଧୀର ଗର୍ଗ ଏନ୍ଏସ୍ଆଇସି ଓ ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇପାରିଲେ ରାଜ୍ୟରେ ଏମ୍ଏସ୍ଏମ୍ଇମାନଙ୍କୁ ବିପଣନ ସହାୟତା ସହିତ ଅନ୍ୟ ଆନୁଷଙ୍ଗିକ ସାହାଯ୍ୟ ମିଳିପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ବର ଆଞ୍ଚଳିକ ନିର୍ଦେଶକ ଏମ୍.କେ ମଲ୍ଲ, ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା, ଟାଟା ଷ୍ଟିଲର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ର ପରିଚାଳନା ନିଦେର୍ଶକ ଆଶିଷ ମାଥୁର, ଓଏସ୍ଏସ୍ଆଇର ଅଧ୍ୟକ୍ଷ ହିମାଂଶୁ ଶେଖର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଶିଳ୍ପ ନିର୍ଦେଶକ ପ୍ରଣବଜ୍ୟୋତି ନାଥ ସ୍ବାଗତ ଭାଷଣ ଦେଇଥିବା ବେଳେ ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦେଶକ ଏସ୍.କେ ଜେନା ଧନ୍ୟବାଦ ଦେଇଥିଲେ।